Unknown

 

 

 

 

 

 

 

 

ମାୟାବୀ ସପ୍ତମ ଖଣ୍ଡ

(ଦ୍ୱିତୀୟ ଭାଗ)

ଶ୍ରୀ ଗୋବିନ୍ଦ ତ୍ରିପାଠୀ

 

୧୦

 

ସଦାଶିବ ବାବୁ ଓ ଫଲଣା ତିଆଡ଼ିଏ ପ୍ରମଥ ବାବୁଙ୍କ ଘରୁ ବାହାରି ଏକ ନିଃଶ୍ୱାସରେ ବାହାରି ଚାଲିଗଲେ ଯେ ହରିସନ ରୋଡ଼ ନ୨୮ମ୍ୱର ଇମ୍ଫିରିୟାଲ କ୍ଲବ୍‌ ହୋଟେଲ ପର୍ଯ୍ୟନ୍ତ । ସେଠାରେ ତିଆଡ଼ିଙ୍କ ଅଗୋଚରରେ ସେ ନିଜକୁ ସାଆନ୍ତ ଓ ତିଆଡ଼ିଙ୍କୁ ତାଙ୍କର ରୋଷେଇଆ ବ୍ରାହ୍ମଣ ବୋଲି ପରିଚିତ କରାଇ ଚାରିମହଲା ଉପରେ ବଖରାଏ ଘର ଭଡ଼ା ନେଲେ । ଘରେ ଯାଇ ପ୍ରଥମେ ସେ ଖଟ ଉପରେ ଓ ତିଆଡ଼ିଏ ଗୋଟାଏ ଚଉକିରେ ବସି ଦମ ନେବା ପରେ ସଦାଶିବ ବାବୁ ପଚାରିଲେ, ‘‘କି, ତିଆଡ଼ିଏ କଣ ହେଲା ?’’ ତିଆଡ଼ିଏ କାନ ନାକ ଛୁଇଁ କହିଲେ, ‘‘ଆରେ, ରାମ୍, ରାମ୍‌, ମା ଭଗବତୀର ବରାଦ୍‌, ପ୍ରାଣ ନେଇ ପଲାଇ ଆସିଲେଇଁ । କିନ୍ତୁ ବାବୁ ଦେଢ଼ ହଜାର ଟଙ୍କା– ?’’ ସଦାଶିବ ବାବୁ ନିଶରେ ହାତ ପକେଇ ବେପରୋଆ ହସଟାଏ ହସି କହିଲେ, ‘‘ଆରେ ଗଧ, ମୀନଟିଏ ପକାଇଲେ ସିନା ସେଉଳଟିଏ ଧରିବ । ଦେଢ଼ ହଜାର ଖର୍ଚ୍ଚ ନ ହବ ତ ଲକ୍ଷେ ଟଙ୍କାର ସମ୍ପତ୍ତି ଆୟତ୍ତ ହେବ କିପରି ?’’

 

ତିଆଡ଼ିଏ ଟିକିଏ ଅପ୍ରସ୍ତୁତ ହୋଇଗଲା ପରି କହିଲେ, ‘‘ହଁ, ତା ଯା କହିଲେ ତା ଏକା ସତ । ଆମ ମୁଣ୍ଡରେ କଣ ପଶୁଚି । ତା’ ହେଇଥିଲେ ଆମେ କିଆଁ ଗୋବର ଗୋଟାନ୍ତୁ, ଆପଣ କିଆଁ ମଣିଷ ଚରାନ୍ତେ । କିନ୍ତୁ ବାବୁ, ସେ ଯୁ ଲୋକ ! ତାର ଯୁ ଦାନ୍ତ ଗଣ୍ଡାକ, ବାଘ ମୁହଁ ପରି ମୁହଁରେ ସେ ଦାନ୍ତଗୁଡ଼ାକ ପାଟି ମେଲାଇଲା ବେଳକୁ ଦିଶିଲା ଯେପରି ବାଘ ପାଟି ମେଲେଇ ବସିଚି, ଟାକୋକିନି ଗିଳି ଦେବ । ଲୋକଟା ସତରେ କେଡ଼େ ବେହିମାନ ବାବୁ !’’

 

ଶିବ– କିନ୍ତୁ ଦେଖିଚ ମୁଁ ତାକୁ କିପରି ଜବତ୍‌ କଲି ? ବେହିପୋ, ଜାଣେ ନାହିଁ ଆମେ କିଏ ! ଆମ ଆଗରେ ପୁଣି କଲିକତିଆ ପାହୁ ଦେଖଉ ଥିଲା । କଣ ନା ତୁମକୁ ଫୌଜଦାରିରେ ଦେବି । ଦେଖିଲ ନା, ଏକା କଥାକେ କିପରି ମ୍ୟାଉଁ ମ୍ୟାଉଁ ହେଇଗଲା ।

 

ତିଆଡ଼ିଏ– ତା’ ତାର ବୁଦ୍ଧି କେତେ ସେ ଆପଣଙ୍କ ଭଳିଆ ଲୋକ ଯାହାକୁ କି କିଲଟର କମିସନର ମାନନ୍ତି, କଥାରେ, ଆଇନ ନଜିରରେ ପାରିଯିବ । କିନ୍ତୁ ବାବୁ ସେଇ ଟଙ୍କାଗୁଡ଼ାକ ମୋ ମନରୁ ଯାଉ ନାହିଁ ।

 

ଶିବ– ମୋ ମନରୁ ବି ଯାଉ ନାହିଁ ତିଆଡ଼ିଏ । ଏ ପର୍ଯ୍ୟନ୍ତ ଏ ବିଷୟରେ ଯାହା ସବୁ କରିଥିଲେଇଁ ସେ ଖାଲି ପିଲା ଖେଳ । ଲଣ୍ଡାଠାରୁ ସେ ରେଜଷ୍ଟରି ହାଣ୍ଡନୋଟଟା କରି ନବା ଛଡ଼ା ସେ ଦିଗରେ ଆଉ କିଛି ପ୍ରକୃତ କାମ ହୋଇ ନାହିଁ । ମୁଁ ଭାବିଥିଲି ଆପଣମାନଙ୍କର ଉଦ୍ୟମ ଓ ଉତ୍ସାହ ବୋଧହୁଏ ଏ ଦିଗରୁ ଶୀତଳେଇ ଗଲାଣି । ମୋର ଥରେ ଅଧେ ମନେ ହେଇଥିଲା, ତୁମକୁସବୁ ଟିକିଏ ସ୍ମରଣ କରାଇ ଦେବି ବୋଲି । ପୁଣି ଭାବିଲି ଲଣ୍ଡାର କାମ, ଏମାନଙ୍କ ହେତୁରୁ ମୁଁ ସେଥିରେ ପଶୁଥିଲି । ଲଣ୍ଡା ଚୁପ୍‌, ଏମାନେ ମଧ୍ୟ ଚୁପ୍‌, ମୋର ଏତେ ଗରଜ କିଆଁ ? ସେ ଦିନ କିନ୍ତୁ ବଡ଼ ମଜ୍ଜାରେ ଟୋକାଟାକୁ ବାଗରେ ପାଇଥିଲେଇଁ ନା ? ସେ ଯେ ବାଜି ମାରିବ ଆଉ ସତକୁ ସତ ରଖିବ ଆପଣମାନେ ଜାଣିଲେ କିପରି ?

 

ତିଆଡ଼ିଏ– ତା ଆଉ ଜାଣି ନଥିଲୁ ନା ! ତାର କଥାକେ କଥାକେ ବାଜି । ଆଉ ଥରେ ବାଜି ମାଇଲେ ସେ ପଡ଼ିଆ ବାଡ଼ିରୁ ପୋକ ପର୍ୟନ୍ତ ଗୋଟାଇ ଖାଇଯିବ । ସତରେ, ଥରେ ପରା ଗୋଟାଏ ଲାଙ୍ଗୁଡ଼ା ପୋକ ବାଜିମାରି ଖାଇ ଯାଇଥିଲା । ଆଉ ଥରେ ସିମିତି ବାଜିମାରି ପାଞ୍ଚ ଗଣ୍ଡା ଆମ୍ୱଡ଼ା ଖାଇଯାଇଥିଲା ।

 

ସଦାଶିବ– ଯାହାହଉ, ବେଶ ବାଗରେ ପାଇଥିଲେଇଁ । ସେ ଯେ ସତରେ ବାଜି ମାରି କଲିକତା ଆସିବ ମୋର ଏ ବିଶ୍ୱାସ ନଥିଲା । ସତକୁ ସତ ଆସିଚି । ଏଣେ ମୁଁ ମଧ୍ୟ ଏତେ ଟଙ୍କା ଏ କାମରେ ଆଜି ଖର୍ଚ୍ଚ କଲିଣି ଯେ, ଏହାର ଗୋଟାଏ କିଛି ଶେଷ ବ୍ୟବସ୍ଥା ନ କରିବା ପର୍ଯ୍ୟନ୍ତ ଆଉ ଶାନ୍ତି ନାହିଁ । ଖାଲି ସେଇ ଗୁଣ୍ଡାଟା ଉପରେ ବିଶ୍ୱାସ ରଖି କାମ କଲେ କି ଚଳିବ ? ସେ ଲୋକଟା ଯେପରି ରାଣ୍ଡୀବାଜ, ମୋର ତ କିମିତି ଆଶଙ୍କା ଯେ ସେ ପୁଣି ଜୁଆଚୋରି କରି ନ ବସେ ।

 

ତିଆଡ଼ିଏ– କିନ୍ତୁ ଆଉ ଇ ଲାଗେ ଉପାୟ କଣ ?

 

ସଦାଶିବ– ଉପାୟ ତ ଅଛି ଅନେକ । କଥା ହଉଚି କେଉଁ ଉପାୟଟା ତା ମଧ୍ୟରୁ ନେବି-। ଗୋଟାଏ ଲୋକ ଉପରେ ଯେତେବେଳେ କାର୍ଯ୍ୟର ଭାର ଦେଇଚି ଆଉ ସେଥିଲାଗି ଆଞ୍ଜୁଳା ଆଞ୍ଜୁଳା ଟଙ୍କା ମଧ୍ୟ ଖର୍ଚ୍ଚ କରି ସାରିଲିଣି, ସେ କଣ କରୁଚି ନ କରୁଚି ନ ଦେଖି ପୁଣି ଅନ୍ୟ ଲୋକକୁ ସେଇ କାମରେ ଲଗେଇ ଆଉରି ଗୁଡ଼ିଏ ଟଙ୍କା ଖରଚ କରିବା ହବ ଗୋଟାଏ ମସ୍ତ ବଡ଼ ବୋକାମି । ଏଣେ ସେ ଯଦି କାମ ନ କରେ ବା ଖଇଚା କରେ ତା ହେଲେ ମୁଁ ଖବର ପାଇ ଅନ୍ୟ ଉପାୟ କଲା ବେଳକୁ ଚଡ଼େଇ ହୁଏତ ସମୁଦ୍ର ପାର । କଣ କରିବା କହନ୍ତୁ ତ ?

 

ତିଆଡ଼ିଏ– ସେ ଲୋକଟା କଣ କରୁଚି ନ କରୁଚି ତାର କିଛି ଖବର.......

 

ସଦାଶିବ– ସାବାସ, ତିଆଡ଼ିଏ, ସାବାସ । ଠିକ୍‌କଥା ମନେ କରି ଦେଲେ । କହି ସଦାଶିବ ବାବୁ ଦମ୍‌ ଦମ୍‌ କରି ସିଡ଼ି ଉପରେ ସିଡ଼ି ଓହ୍ଲେଇ ଏକାବେଳକେ ଯାଇ ମ୍ୟାନେଜରଙ୍କ ଖାସ ଅଫିସରେ ହାଜର । ସେଠାରେ ଦୁଇ ଅଣା ପଇସା ତଣ୍ଡ ଦେଇ ଟେଲିଫୋନ ବହିଟାରୁ ଗୋଟାଏ ଠିକଣା ବାହାର କରି ଟେଲିଫୋନ ମୁହଁଟା ତାଙ୍କ ମୁହଁ ପାଖରେ ଓ ଆର ପଟଟା କାନ ପାଖରେ ଦେଇ, ‘‘ବ୍ରଜବାବୁ ବ୍ରଜବାବୁ’’ ! ଅପର ପକ୍ଷରୁ କଣ ଜବାବ ଆସିଲା, ତା ତ ଆମର ଜାଣିବାର କିଛି ଉପାୟ ନାହିଁ । ଯାହା ସଦାଶିବ ବାବୁ କହୁଥାନ୍ତି ସେତିକି ମାତ୍ର ଆମ୍ଭେମାନେ ଶୁଣିଚୁଁ ଓ ଲେଖିଚୁଁ । ଶିବ ବାବୁ କିଛି ସମୟ ଗଲା ପରେ ପୁଣି କହିଲେ, ‘‘ବ୍ରଜ ବାବୁଙ୍କୁ ଦରକାର, ବ୍ରଜମୋହନ ରାୟ ।’’ ପୁଣି କିଛି ସମୟ ଗଲାପରେ ‘‘ମୁଁ ସଦାଶିବ, ସଦାଶିବ ମିଶ୍ର । ବ୍ରଜବାବୁ ନା-?’’ .......... ‘‘ହଁ, ହଁ, ମୁଁ ଆଜି ସକାଳେ ଆସି ପହଞ୍ଚିଚି ତ’’ କଣ କହିଲେ ? ‘‘ହଁ ଏଇ ଇମ୍ପିରିଆଲ କ୍ଳବରେ ଅଛି ।’’ ‘‘କହିଲ ଇମ ପଦରେ ଇକାର ଇମ୍ଫିରରେ ଇକାର ଇମ୍ପରିୟାଲ କ ଲ କ୍ଲବରେ ଅଛି ।’’ ‘‘ଆଛା, ବେଶ, ସେ ପରେ ଦେଖାଯିବ, ଆପଣ ଆସିଲେ କଥା-ବାର୍ତା ହବା ।’’ ‘‘ଆଛା, ଆଛା, ହବ ସେ ସେତେବେଳେ’’ ‘‘ମୁଁ କହୁଥିଲି, କେହି ବିଶ୍ୱାସୀ ଓ ଚାଲାକି ଲୋକ ଅଛି ଯେ ମୋ ପାଇଁ ଗୋଟାଏ ଲୋକର ସନ୍ଧାନ ରଖିପାରିବ, ବିଶ୍ୱାସି ଓ ଖୁବ୍‌ ଚାଲାକି ହବା ଦରକାର’’ ‘‘ହଁ, ହେ, ପଇସା ନବ ନାହିଁ ତ ଆଉ କଣ ମାଗଣା କରିବ !’’ ‘‘ଅଛି ? ସେ ବର୍ତ୍ତମାନ ଆସି ପାରିବ-? ଏଇ ମୁହୂର୍ତ୍ତରେ । ଖଣ୍ଡେ ଭଡ଼ା ମଟର ନେଇ ପାରେ, ଆପତ୍ତି ନାହିଁ । ସେ ଲୋକଟାକୁ ପଠେଇ ଦେଉଚ ? ନା, ମୋର ବର୍ତ୍ତମାନ ଗଫ କରିବାକୁ ବେଳ ନାହିଁ । ପରେ ଆସ, କଥାବାର୍ତା ହବା ।’’ କହି ସେ ଖଟ କରି ଟେଲିଫୋନଟା ଟେବୁଲ ଉପରେ ଥୋଇ ଦେଲେ । ମେନଜରଙ୍କୁ କହିଗଲେ ଯେ ତାଙ୍କୁ ଯଦି କେହି ଖୋଜେ ତାକୁ ତୁରନ୍ତ ଉପରକୁ ପଠାଇଦେବେ ।

 

ସଦାଶିବ ବାବୁ ଯାଇ ତାଙ୍କ ଘରେ ବସି ରହିଲେ । ପ୍ରାୟ ଅଧ ଘଣ୍ଟାକ ମଧ୍ୟରେ ଜଣେ ଯୁବକ ଆସି ସେଠାରେ ପହଞ୍ଚିଲେ । ପିନ୍ଧିବାରେ ସରୁ ସୂକ୍ଷ୍ମ ଫୁଲକିନାରି ଧୋତି, ଦେହରେ ଫୁଲବାଲା ସରୁ କନାର ପଞ୍ଜାବି, ମୁଣ୍ଡଟି ଚହଟ ଚିକଣ ଆ ମାଙ୍ଗ ପକା । ଦେହରୁ ଅଟୋ ଦିଲବାହାରର ଗନ୍ଧ ଉଛୁଳି ପଡ଼ୁଚି । ଗୋଡ଼ରେ ହଳିଏ ପାଲିଶି ଚମଡ଼ାର କନା ଫୁଲାଲି ଅଧା ଜୋତା । ଯୁବକ ଘର ଭିତରକୁ ପଶିଆସି ପଚାରିଲେ, ‘‘ଆପଣଙ୍କ ନାମ ସଦାଶିବ ବାବୁ ? ମୋର ନାମ ଶ୍ରୀମାନ ଅବନୀନ୍ଦ୍ର କୁମାର ଘୋଷ । ମତେ ବ୍ରଜ ବାବୁ ପଠେଇ ଦେଇଚନ୍ତି ।’’

 

ସଦାଶିବ ୟାଙ୍କର ଛଇ ଛଟକ ଦେଖି ଦବି ଯାଇଥିଲେ । କହିଲେ, ‘‘ତୁମେ କି ଏ କାମକୁ ଭାର୍ଜନ ହେ ବାବୁ !’’

 

ଅବନୀ– କାମଟା ଆଗେ କହନ୍ତୁ । ମୋର ତ ମନେହୁଏ ପାରିବି । ଲୋକର ପିଛା ଧରି ଡାହାଳ କୁକୁର ପରି ତାକୁ ବ୍ୟତିବ୍ୟସ୍ତ କରିବା ଠାରୁ ତାର ପିଠିରେ ଗୋଟାଏ ଅଧେ ଛୁରି ବସାଇବା ପର୍ଯ୍ୟନ୍ତ ସବୁ ମୁଁ ପାରେଁ । ତେବେ ଟଙ୍କା ନେଇ ସବୁ । ଯେମିତି ପାଉଣା, ସେମତି ଦେଉଣା ।

 

ସଦାଶିବ– ତୁମେ ତ ଆଚ୍ଛା ଲୋକ ହେ ବାବୁ । ତୁମକୁ ଡାହାଳ କୁକୁର ହବା ପାଇଁ ବା କାହା ପିଠିରେ ଛୁରି ମାରିବା ପାଇଁ କିଏ କହିଲା ? ଆଛା ଲୋକଟାଏ ତ ବ୍ରଜ ପଠେଇଲା ।

 

ଅବନୀ– ଆହା, ଚିଡ଼ କାହିଁକି ମହାଶୟ, ଚିଡ଼ କାହିଁକି ? କଥାଟା ଖୋଲି କହନା, ମୁଁ ଖାଲି କହିଲି ପଇସା ପାଇଲେ ମୁଁ ସବୁ କରିପାରେଁ ।

 

ସଦାଶିବ– କଥା ବେଶୀ କିଛି ନୁହେ । ଆଜି ସନ୍ଧ୍ୟାବେଳେ ମାଛୁଆ ବଜାର ଷ୍ଟ୍ରୀଟର ନ୫୨ମ୍ୱର ଘରକୁ ଜଣେ ବାରବୁଲା ଯୁବକ ଯିବ । ତୁମର କାମ ହଉଚି, ତୁମେ ଦେଖିବ ସେ ସେଠାରୁ ବାହାରି କୁଆଡ଼େ ଗଲା, କଣ କଲା । ସେ ଯଦି କଲିକତା ଛାଡ଼ି ଯିବାର ଉଦ୍ୟମକରେ ତା’ହେଲେ କ୍ଷଣେ ମାତ୍ର ବିଳମ୍ୱ ନ କରି ମତେ ଖବର ଦବ ।

 

ଅବନୀ– ଓଃ ଏଇ କଥା ତ, ତା ଖୁବ୍‌ପାରିବି । ମୋର ଇନାମ୍‌ ?

 

ଶିବ– କେତେ ଆଉ ନବ ? ଏଇ ସାମାନ୍ୟ କାର୍ଯ୍ୟତ ? ପାଞ୍ଚ ଦଶ ଟଙ୍କା ଯାହା ହବ କାମ ସରିଲେ ନେଇଯିବ ।

 

ଅବନୀ– ଏ କଥାଟି ହଉ ନାହିଁ ବାପ୍‌ ଧନ, ଶର୍ମା ସେ ଚାଲାକିରେ ବୁଲିବ ନାହିଁ । କଥା ହଉଚି ମତେ ଦିନାଦି ଦଶୋଟି କରି ଟଙ୍କା ଦବତ ମୁଁ ଏ କାମରେ ହାତ୍‌ ଦେବି, ତା ନ ହେଲେ ଘରର ଛୁଆ ଘରକୁ ଯାଅ ।

 

ଶିବ– ଏଇ କଥାକୁ ଦଶ ଟଙ୍କା ? ବଡ଼ ବେଶୀ ବେ......

 

ଅବନୀ– ତୁମକୁ ବଡ଼ ବେଶୀ ହେଲା ତ, ମୁଁ ଆଉ କଣ କରିବି ? କଣ କହୁଚ, ମୁଁ ଯିବି ଯେ, ମୋର ଆଉ କାମ ଅଛି ନା ।

 

ସଦାଶିବ– ତାହାହିଁ ହଉ, ତୁମେ କିନ୍ତୁ ମତେ ସକାଳେ ଓ ସନ୍ଧ୍ୟା ବେଳେ ଦୁଇ ଥର ସବୁ ହାଲ ଜଣେଇବ ।

 

ଅବନୀ– ତା ହବ । ଆଉ ଗୋଟିଏ କଥା ମୁଁ ଏ ଟଙ୍କାଟା ସକାଳ ବେଳା ପାଞ୍ଚ ଟଙ୍କା ଓ ଉପର ବେଳା ପାଞ୍ଚ ଟଙ୍କା କରି ନେବି । ମୋର ପାଞ୍ଚୋଟି ଟଙ୍କା ଦିଅ ।

 

ସଦାଶିବ ବାବୁ ବାଧ୍ୟ ହୋଇ ପାଞ୍ଚୋଟି ଟଙ୍କା କାଢ଼ିଦେଲେ । ଅବନୀ ବାବୁ ସେତକ ପକେଟରେ ପୁରାଇ ଜୋତା ମଚ ମଚରେ ଘର କମ୍ପାଇ ଅତର ଗନ୍ଧରେ ମନ ମହକାଇ ଚାଲିଗଲେ-

Image

 

୧୧

 

ସେ ଦିନ ଚାରିଟା ବେଳେ ପ୍ରମଥ ବାବୁ ତାଙ୍କର ଶୋଇଲା ଘରେ ଆରାମ ଚୌକିରେ ପଡ଼ିରହିଚନ୍ତି । ପାଖରେ ଗୋଟାଏ ଟୁଲ ଉପରେ ଚା ବାଟି ଓ ଥାଳିଆ ଏବଂ ଆଉ ଗୋଟାଏ ଥାଳିଆରେ ଲୁଚି ସାତ ଆଠ ଖଣ୍ଡ ଓ ରସଗୋଲା ଗଣ୍ଡା ଚାରି । ଏବଂ ଗୋଟାଏ କାଚ ଗିଲାସରେ ଗିଲାସେ ପ୍ରମଥ ବାବୁଙ୍କର କିନ୍ତୁ ସେ ଦିଗକୁ ନଜର ନାହିଁ । ସେ କଣ ଗୋଟାଏ ବିଷୟ ଏକ ମନରେ ଭାବୁଚନ୍ତି । ତାଙ୍କର କୁଞ୍ଚିତ ଲଲାଟ ଓ ଉର୍ଦ୍ଧତାରୁ ଜଣାପଡ଼ୁଚି ଯେପରି ସେ କିଛି ସ୍ଥିର କରି ପାରୁ ନାହାନ୍ତି । ଏହିପରି ପ୍ରାୟ ଅଧ ଘଣ୍ଟାଏ ପର୍ଯ୍ୟନ୍ତ ବସିଲା ପରେ ହଠାତ୍‌ତାଙ୍କର ମୁହଁ ଉଜ୍ଜ୍ୱଳ ହୋଇ ଗଲା । ସେ ଚଟପଟ ବସିପଡ଼ି ଚୌକି ହାତରେ ଗୋଟାଏ ଚାପଡ଼ ମାରିଦେଲେ ତା ପରେ ଡାକ ପକେଇଲେ ‘ମେନକା’ ! ଆମ୍ଭମାନଙ୍କର ପୂର୍ବ ରାତ୍ରିର ସେ ଯୁବତୀଟି ଆସି ପହଞ୍ଚିଲେ । ଯୁବତୀ ଦେଖିବାକୁ ଅସୁନ୍ଦରୀ ନୁହନ୍ତି, ତେବେ ଗଫର ନାୟିକାମାନଙ୍କ ପରି ସରଳ, ନିଟୋଳ, ନିର୍ମଳ ସୁନ୍ଦରୀ ନୁହନ୍ତି । ତାଙ୍କର ବର୍ଣ୍ଣ ତପ୍ତ କାଞ୍ଚନ ବର୍ଣ୍ଣ ନ ହେଲେ ମଧ୍ୟ, ଅମାବାସ୍ୟା ରାତି ନୁହେ-। କି ଅଳନ୍ଧୁ କଳା ନୁହେ । ତାଙ୍କର ମୁହଁ ଚନ୍ଦ୍ର ସହିତ ଉପମା ନ ଖାଇଲେ ମଧ୍ୟ ଚୂଲି ବା ଗାଈ ସହିତ ଉପମା ଖାଇବାର ବହୁତ ଉପରେ । ତାଙ୍କର ଆଖିରେ ମାଦକତା ଅଛି, ଓଠରେ ସରସତା ଅଛି, ଗାଲରେ କାମନାର ଫଗୁଖେଳ ଅଛି, ଛାତିରେ ଅଭିଳାଷର ଅମୃତ ଭଣ୍ଡାର ଅଛି । ଏ ସବୁ ଥାଇ ମଧ୍ୟ ତାଙ୍କ ମୁହଁଟି କିପରି ଉଦାସ । ଆଖି ତଳେ ଲମ୍ବା ଲମ୍ୱା ଓ ଓସାରିଆ କଳା ଦାଗ…... ଯେପରି କେତେ କଣ ଦୁର୍ଭାବନାର ବା କେତେ ରାତିର ଅନିଦ୍ରାର ଛାପ ସେଠାରେ ରହିଯାଇଚି । ତାଙ୍କର ସମୁଦାୟ ମୁହଁରେ ଗୋଟାଏ ଭୟର ଛାଇ ତାର ଶାର୍ଗୁଣା ପର ମେଲି ବସିଲା ପରି ଜଣା ପଡ଼ୁଚି । ସେ ଆସି ଠିଆ ହେଲେ, ପ୍ରମଥ ବାବୁ କହିଲେ, ‘‘ମା ବସ ! ତତେ ମୋର ଅନେକ ଜିନିସ କହିବାର ଅଛି ।’’ ମେନକା ଜଳଖିଆ ସରଞ୍ଜାମଗୁଡ଼ାକ ପ୍ରତି ଦୃଷ୍ଟି ପକାଇ କହିଲେ, ‘‘ତୁମର ଜଳଖିଆ ହେଇ ନାହିଁ ଯେ !’’

 

ପ୍ରମଥ– ସେ ହବ ଏକ୍ଷଣି ‘‘ତୁ ବସତ !’’

 

ମେନକା ବସିଲେ । ପ୍ରମଥ ତାଙ୍କ ମୁଣ୍ଡ ଉପରେ ହାତଟି ରଖି, ସ୍ୱରଟାକୁ କୋମଳକରି କହିଲେ, ‘‘ମା, ତୋର ବୟସ ହେଇଚି । ମୁଁ ଏ ପର୍ଯ୍ୟନ୍ତ ଗୋଟିଏ ସତ୍‌ପାତ୍ର ଖୋଜୁଥିଲି, ତା ହାତରେ ତତେ ସମର୍ପିଦେଲେ ମୁଁ ନିଶ୍ଚିନ୍ତ ହୁଅନ୍ତି ବୋଲି । ବର୍ତମାନ ମତେ ସେ ସୁବିଧା ମିଳିଚି । ମୋର ବିଶ୍ୱାସ, ତୁ ମୋର ଏ ଇଚ୍ଛାର ପ୍ରତିକୂଳ ହବୁ ନାହିଁ ।

 

ମେନକାଙ୍କର ମୁହଁ ଶୁଖି କଳା କାଠ ପଡ଼ିଗଲା । ସେ କଣ ଯେପରି କହିବାକୁ ଯାଉଥିଲେ, କିନ୍ତୁ ପୁଣି କଣ ଭାବି ଦାନ୍ତରେ ଓଠଟା କାମୁଡ଼ିଧରି ଚୁପ୍‌ହୋଇ ବସିରହିଲେ । ପ୍ରମଥ ବାବୁ ତାଙ୍କର ପିଠିରେ ହାତ ବୁଲେଇ ଦଉ ଦଉ କହିଲେ, ‘‘କି ମା ! ତୁନିହେଇ ରହିଲୁ ଯେ !’’

 

ମେନକା– କାହିଁକି ବାବା, ଆଜି ତୁମର ଏ ଦୁଃଖିନୀ କନ୍ୟା ପ୍ରତି ଏତେ ନିର୍ଦୟ, ଏତେ ନିଷ୍ଠୁର ? ମୁଁ ପ୍ରାଣପଣେ ଖଟି ତୁମର ସେବା କରିବାରେ ଏ ଦେହ ମନ ଢ଼ାଳିଦେଇଚି, ତାର ବଦଳି ମାତ୍ର ମାଗୁଚି ଗଣ୍ଡେ ଖାଇବାକୁ ଓ ଖଣ୍ଡେ ପିନ୍ଧିବାକୁ । ଗୋଟାଏ ଚାକରାଣି ରଖିଲେ ତ ତାକୁ ଏହା ଦବାକୁ ପଡ଼ନ୍ତା । ତା ହେଲେ ମତେ ଏଇତକ ଦବାପାଇଁ ଏତେ କୃପଣ କାହିଁକି ବାବା ? ତୁମର ଗୋଡ଼ତଳେ ପଡ଼ୁଚି ବାବା, ମତେ ସେ କଥା କହ ନାହିଁ ।

 

କହି ମେନକା ପ୍ରମଥ ବାବୁଙ୍କର ଗୋଡ଼ ଧରି କାନ୍ଦିପକାଇଲେ । ପ୍ରମଥ ବାବୁଙ୍କ ମୁହଁରୁ ଓ ସ୍ୱରରୁ କୋମଳତା ହଠାତ୍‌ କୁଆଡ଼େ ଉଭେଇଗଲା । ସେ ଜୋରରେ ଗୋଡ଼ଟା ଟାଣିନେଇ ଋକ୍ଷ ସ୍ୱରରେ କହିଲେ, ‘‘ଦେଖ, ମେନକା, ମତେ ଏ ଶକ, ଏ ସୁଆଗଗୁଡ଼ାକ ଆଦୌ ଭଲ ଲାଗେ ନାହିଁ-। ଆଜି ଏତେ ସୁଆଗ କାହିଁକି କହ ଦେଖି ? ସ୍ୱାମୀର ଚୁମ୍ୱନ ଅପେକ୍ଷା ଚାବୁକ ପ୍ରାହାର କଣ ବେଶୀ ମିଠା ଲାଗେ !

 

ମେନକା– ସମୟ ସମୟରେ ମିଠାଲାଗେ । ଯାହାକୁ ଭଲ ନପାଏଁ, ତାର ଚୁମ୍ୱନ ଅପେକ୍ଷା ଜଳନ୍ତା ନିଆଁ ମଧ୍ୟ କୋମଳ ଓ ତୃପ୍ତିକର ।

 

ପ୍ରମଥ– ହୁଁ, ତୁ କି କାହାକୁ ଭଲପାଉ ?

 

ମେନକା ଏତେ ଜଲଦି ‘ନା’ କଥାଟା କହିପକାଇ ପରେ ତାଙ୍କର ନାଲ ଟହ ଟହ ମୁହଁଟିକୁ ଏତେ ଜଲଦି ନୁଆଁଇଦେଲେ ଯେ ପ୍ରମଥବାବୁ ଯଦି ନିଜ ଚିନ୍ତାରେ ନିଜେ ବୁଡ଼ିରହି ନଥାନ୍ତେ, ତା ହେଲେ କଥାଟା ଯେ ମିଛ, ତାହା ସେ ଅକ୍ଳେଶରେ ଅନୁମାନ କରି ନେଇ ପାରିଥାନ୍ତେ-। ଯାହାହଉ ସେ ତା ଦେଖିଲେ ନାହିଁ । କହିଲେ, ‘‘ତା ହେଲେ ମୁଁ ଯାହାକୁ ଠିକ୍‌କରିଚି ତାକୁ ଭଲ ପାଇବାରେ ତୋର ଆପତ୍ତି କଣ ?’’

 

ମେନକା– ଭଲପାଇବା କି କାହାରି ବରାଦରେ ବା ଇଙ୍ଗିତରେ ଆସେ ବାବା ? ସେ ଯେ ସ୍ୱୟଂମ୍ଭୁ ।

 

ପ୍ରମଥ– ଆରେ ରଖିଦେ ତୋର ଉପନ୍ୟାସର ଗପକଥା ! ତତେ ଏ ବିବାହ କରିବାକୁ ହବ ।

 

ମେନକା– ତା ହେଲେ ବିବାହ ଦିନ ରାତିରେ ମୁଁ ଆତ୍ମହତ୍ୟା କରିବି ।

 

ପ୍ରମଥ– ତା’ କର, ସେଥିରେ ବରଂ ମୋର ଲାଭ । କିନ୍ତୁ ତତେ ବିବାହକରିବାକୁ ଇ ହବ ।

 

ତା ପରେ ସେ ଉଠିଯାଇ ଅଲମାରି ଫିଟାଇ ସେଥିରୁ ଦୁଇଖଣ୍ଡ ସିଠାମ କାଗଜ ବାହାରକଲେ, ଓ ଦୁଆତ କଲମ ଘେନି ସେଥିରେ କଣଗୁଡ଼ାଏ ଲେଖିଲେ । ତା ପରେ କହିଲେ ଏ କାଗଜରେ ଦସ୍ତଖତ କରତ । ଏଇଠି ମେନକା କଲମଟା ନ ଧରି କହିଲେ, ‘‘ଏଥିରେ ସବୁ କଣ ଲେଖାହେଲା, ଆଉ ମୁଁ ବା ଦସ୍ତଖତ କରିବି କାହିଁକି ?’’

 

ପ୍ରମଥ– ଏଥିରେ ଲେଖାହେଲା ଯେ ତୋର ଯାହା କିଛି ସମ୍ପତ୍ତି ଅଛି ବା ଯାହା କିଛି ସମ୍ପତ୍ତିରେ ତୁ ଉତ୍ତରାଧିକାରିଣି ଅଛୁ ବା ହେବୁ, ସେ ସମସ୍ତର ରକ୍ଷଣାବେକ୍ଷଣ ଭାର ଓ ଦାୟିତ୍ୱ ମୋ ଉପରେ । ତୁ ବଞ୍ଚିଥିବା ପର୍ଯ୍ୟନ୍ତ ମାତ୍ର ପଚାଶ ଟଙ୍କା କରି ମାସରେ ଭତ୍ତା ପାଇବୁ ।

 

ମେନକା– କିନ୍ତୁ ମୋର ତ ସମ୍ପତ୍ତି କିଛି ନାହିଁ କି ତୁମଛଡ଼ା ଆଉ କାହାରି ଉତ୍ତରାଧିକାରି ହବା ତ ମୋର ସମ୍ଭବ ନୁହେ ।

 

ପ୍ରମଥ– ଅତଏବ ଏ କାଗଜଟା ଦସ୍ତଖତ କରିବାରେ ତୋର କୌଣସି ଆପତ୍ତି ନ ହବାର ଉଚିତ ।

 

ମେନକା– ନା, ଏହା ଭିତରେ କିଛି ରହସ୍ୟ ଅଛି । ତୁମେ ମତେ କଣ ଗୋଟାଏ ଖାପଚରେ ପକାଇବାର ଚେଷ୍ଟା କରୁଚ । ନା ମୁଁ ଦସ୍ତଖତ କରିବି ନାହିଁ ।

 

ପ୍ରମଥଙ୍କର ଓଠ ଦୁଇଟା ଲମ୍ୱିଗଲା । ଦାନ୍ତଗୁଡ଼ାକ ବାହାରି ପଡ଼ିଲା । ଯେପରି ବାଘ ଦାନ୍ତ ଦେଖାଏ । ସେ କହିଲେ, ‘‘ଦେଖ, ଦସ୍ତଖତ କର, କଥା ମାନ୍‌, ତା ନହେଲେ ଭଲ ହବ ନାହିଁ କହୁଚି ।’’

 

ମେନକାଙ୍କର ତୋଟି ଶୁଖି ଆସିଲାଣି, ତଥାପି ସେ କହିଲେ, ‘‘ନା ମୁଁ କରିବି ନାହିଁ ।’’

 

ପ୍ରମଥ– ଆଛା ! ଏହା କହି ସେ ଆଲମାରି ଉପରୁ ଗୋଟାଏ ଚାବୁକ ବାଡ଼ି ଆଣିଲେ-। ଚାବୁକଟା ଧରି ମେନକାଙ୍କର ସମ୍ମୁଖରେ ଠିଆହୋଇ କହିଲେ, ‘‘କର ଦସ୍ତଖତ !’’ ମେନେକାଙ୍କର ଦେହ ବରଡ଼ାପତ୍ର ପରି ଥରୁଚି, ଓଠ କାଠ ପରି ଶୁଖିଲା, ଆଖିରୁ ବାମ୍ପ ବାହାରି ଯାଉଚି, ତଥାପି ସେ କହିଲେ ନା, କରିବି ନାହିଁ ।

 

ତା ପରେ ସେ ନୃଶଂସ ପଟାପଟ ଚାବୁକ ଲଗାଇବାକୁ ଲାଗିଲା । ମେନକା ପଳାଇ ଯିବାର ଚେଷ୍ଟାକଲେ, କିନ୍ତୁ ଦେଖିଲେ ଦରୁଜା ଓ ତାଙ୍କ ମଝିରେ ଏ ଯମ । ଚିତ୍‌କାର କରି କାନ୍ଦିଉଠିଲେ । କେହି ଆସିଲେ ନାହିଁ କୋମଳ ଯୁବତୀ ଶରୀର, କେତେ ସହିବ, ପିଠି ଫାଟି ରକ୍ତ ବହିଲାଣି । ସେ ଆଉ ସମ୍ଭାଳି ପାରିଲେ ନାହିଁ । ଗୋଡ଼ତଳେ ପଡ଼ିଯାଇ କହିଲେ, ‘‘ମାରନା, ମାରନା, ମୁଁ ଦସ୍ତଖତ କରିବି ।’’ ଚାବୁକ ବନ୍ଦ ହେଲା । ମେନକା ଉଠି ଥର ଥର ହାତରେ ଯଥା ସ୍ଥାନରେ ଦୁଇଟା ଦସ୍ତଖତ କରିଦେଲେ । ନୃଶଂସ ପ୍ରମଥ ତାଙ୍କର ଦୁଇଟା ଟିପ ଚିହ୍ନ ମଧ୍ୟ ନେଲା । ଏଇ ସମୟରେ ଚାକର ଆସି ଖବର ଦେଲା, ‘‘ବାବୁ ସକାଳ ବେଳାର ସେ ଟୋକାଟା ଆସିଚି ।’’ ‘‘ଆଛା, ତାକୁ ବୈଠକଖାନାକୁ ନେଇ ଆସ ।’’ କହି ଚାକରକୁ ବିଦାୟ ଦେଲେ । ତା ପରେ ମେନକାଙ୍କ ଆଡ଼କୁ ବୁଲିପଡ଼ି କହିଲେ, ‘‘ଦେଖ ତୋର ଭବିଷ୍ୟତ ସ୍ୱାମୀ ଆସିଚି । ଯା ଲୁଗା-ପଟା ପିନ୍ଧି ବେଶ-ଭୂଷା ହୋଇ ଆସିବୁ । ସାବଧାନ କରି ଦେଉଚି, କଥାରେ ବା କାର୍ଯ୍ୟରେ ମୁଁ ଯଦି ତୋର କିଛି ବେଖାପ ଦେଖେଁ, ତା ହେଲେ ୟାର ଶତଗୁଣ କଠିଣ ଦଣ୍ଡ ଦେବି । ତୋର ହାବଭାବ ଦ୍ୱାରା ଯେପରି ତାକୁ ବଶୀଭୂତ କରୁ !’’ ତା ପରେ ସେ ଚାଲିଗଲେ ବୈଠକଖାନାକୁ । ମେନକା ସେହି ସ୍ଥାନରେ ସେହିପରି ଭାବରେ ପ୍ରାୟ ଦଶ ପନ୍ଦର ମିନିଟ ପର୍ଯ୍ୟନ୍ତ ବସିରହିଲେ । ତାପରେ ଗୋଟିଏ ଦୀର୍ଘ ନିଶ୍ୱାସ ଛାଡ଼ି ସେ ସ୍ଥାନରୁ ଉଠିଗଲେ । ତାଙ୍କ ନିଜ ଘର ଭିତରେ ଗୋଟିଏ ପେଡ଼ି ଫିଟାଇ ଖଣ୍ଡିଏ କଳା ଶାଢ଼ୀ କାଢ଼ିଲେ । କେଜାଣି କାହିଁକି ସେଇଟାକୁ ଧୋଇ କୋଠା ଉପରକୁ ନେଲେ ଶୁଖେଇବାକୁ ସାଙ୍ଗରେ ଦୁଇଖଣ୍ଡ ବାଁଉଶ ବାଡ଼ି ମଧ୍ୟ ଗଲେ । କୋଠା ଉପରେ ଲୁଗାଟାକୁ ଶୁଖାଇବାର ଗୋଟାଏ ନୂଆ ଫଳ ଆମ୍ଭେମାନେ ଦେଖିବାକୁ ପାଇଲୁଁ । ବାଉଁଶ ଦୁଇଟାକୁ ଛାତ ବାଡ଼ ଦିହରେ ବାନ୍ଧି ଲୁଗାଟାକୁ ଏପରି ଭାବରେ ତା ଦେହରେ ଟାଣିଦେଲେ.... ଦେଖାଗଲା ଯେପରି ଡ଼ଙ୍ଗା ଦେହରେ ଗୋଟାଏ କଳା ରଙ୍ଗର ପାଲ ଟଣାହେଇଚି । ତା ପରେ ସେ ତାଙ୍କ ଘରର ପୂର୍ବ ଦକ୍ଷିଣ ମୁହଁ ହୋଇ କିଛି ସମୟ ଚାହିଁ ଠିଆହେଲେ । ମୁହଁରେ ବ୍ୟଗ୍ରତାର ଗୋଟାଏ ଚିହ୍ନ । ଦଶ ପନ୍ଦର ମିନିଟ ଏହିପରି ଭାବରେ ଚାହିଁ ରହିବା ପରେ, କଣ ସେ ଦେଖିଲେ କେଜାଣି ତାଙ୍କର ସେ ଶୁଷ୍କ ମୁଖରେ ଟିକିଏ ଆଶ୍ୱସ୍ତିର ଚିହ୍ନ ଦେଖାଗଲା । ସେ ତରବର ହୋଇ ଲୁଗାଟାକୁ ଫିଟାଇ ପୁଣି ଘର ଭିତରକୁ ଚାଲିଗଲେ ।

 

X X X X

 

ଏଣେ ପ୍ରମଥ ବାବୁ ବୈଠକଖାନାକୁ ଆସି ଦେଖନ୍ତି ଯେ ସେ ବାରବୁଲା ଟୋକାଟା ଗୋଟାଏ ଚୌକି ମାଡ଼ି ବସିଚି । ପ୍ରମଥ ବାବୁ ପଶିଆସିବାର ଦେଖି ସେ ଉଠି ଠିଆହେଲା, ଏବଂ ନମସ୍କାରଟିଏ କରି ପଚାରିଲା, ‘‘ଆପଣଙ୍କର ନାମ କି ପ୍ରମଥ ବାବୁ ?’’ ପ୍ରମଥ ବାବୁ ତାଙ୍କ ହାତ ଧରି ବୁହେ ଝିଙ୍କାଝିଙ୍କି କରି କହିଲେ, ‘‘ବସ, ବସ, ବାବୁ, ଆପଣଙ୍କର ନାମ ?’’

 

ବାରବୁଲା– ମୋର ନାମ ସଙ୍ଗରେ କିଛି ଦରକାର ନାହିଁ ବୋଧହୁଏ ଆପଣଙ୍କର । ଆପଣ ସଦାଶିବ ମିଶ୍ରଙ୍କୁ ଚିହ୍ନନ୍ତି ?

 

ପ୍ରମଥ– ଆରେ ତା ଚିହ୍ନେ ନାଇଁ ? ଏକା ସାଙ୍ଗରେ ପାଠ ପଢ଼ିଥିଲୁଁ ଏକା ସାଙ୍ଗରେ ଥିଏଟର, ବାଇସ୍କୋପ ଦେଖିଥିଲୁଁ, କେତେ ହୁଣ୍ଡାମି, ଦୁଷ୍ଟାମି, କଲେଜ ଜୀବନରେ ଏକା ସାଙ୍ଗରେ ହୋଇଯାଇଚି, ମୁଁ ସଦାଶିବକୁ ନ ଚିହ୍ନେ ତ, ଆଉ ଚିହ୍ନେ କିଏ ? ନା ହେ, କଣ କହୁଚ ?

 

ବାବୁ– କିନ୍ତୁ ଆଜି ସକାଳେ ଆପଣ ନାହିଁ କଲେ ଯେ ତାକୁ ଚିହ୍ନନ୍ତି ନାଇଁ ବୋଲି ?

 

ପ୍ରମଥ– ହଁ ସେଇକଥା ମୁଁ କହିବାକୁ ଯାଇଥିଲି । ନାହିଁ କଲି କାହିଁକି ଜାଣ ? ସଦାଶିବ ସେତେବେଳେ ଏଇ ବୈଠକଖାନାରେ ବସି ଥିଲା । ତା ସାଙ୍ଗରେ ଆଉଜଣେ ଚୁଟିଆ ମଳିମୁଣ୍ଡା ବ୍ରାହ୍ମଣ ବି ଥିଲା । ତୁମକୁ ସେମାନେ ଦେଖି କେଜାଣି କାହିଁକି ବଡ଼ ବ୍ୟତିବ୍ୟସ୍ତ ହୋଇ ଉଠିଲେ ସେଇମାନଙ୍କ ଅନୁରୋଧରେ ମୁଁ ସେ ନାଇଁ ବୋଲି କହିଥିଲି । ନାହେ କଣ କହୁଚ ? କାହିଁକି ବାବୁ, ସଦାଶିବ ଓ ତୁମ ଭିତରେ ଏପରି କଣ ଅଛି ଯେ ସେ ତୁମକୁ ଲୁଚି ବୁଲୁଚି ?

 

ବାବୁ– ମତେ ଲୁଚି ବୁଲୁଚନ୍ତି ସେ କାହିଁକି ! ତାଙ୍କ ମୋ ମଧ୍ୟରେ ସେଇ ବାଜି ବ୍ୟାପାର ଛଡ଼ା ତ ଆଉ କିଛି ନାହିଁ ।

 

ପ୍ରମଥ– ବାଜି ! କି ବାଜିହେ ବାବୁ ?

 

ବାବୁ– ସେ ବିଶେଷ କିଛି ନୁହେ, ‘‘ସେ ବାଜିମାରିଥିଲେ ଯେ ମୁଁ ଯଦି କୋଡ଼ିଏ ଦିନ ମଧ୍ୟରେ ମାତ୍ର ଗୋଟିଏ ଟଙ୍କା ଘେନି ପୁରୀରୁ କଲିକତା ଯିବି ଓ ଆସିବି, ତା ହେଲେ ସେ ଟ୫୦୦ଙ୍କା ଛାଡ଼ିଯିବେ ।’’

 

ପ୍ରମଥ– ହୁଁ, ଚାଲାକିଟା ମନ୍ଦ ନୁହେତ, ନାହେ କଣ କହୁଚ ?

 

ଧୋଇ– ଚାଲାକି ? ଏଥିରେ ଚାଲାକି କଣ ଅଛି ମୁଁ ତ ଦେଖିପାରୁ ନାହିଁ ।

 

ପ୍ରମଥ– ସେ ମୋ ଘରକୁ ଆଜି କାହିଁକି ଆସିଥିଲା ଜାଣନ୍ତି !

 

ଧୋଇ– ମୁଁ କିପରି ଜାଣିବି !

 

ପ୍ରମଥ– ସେ ବଡ଼ ସାଂଘାତିକ ବ୍ୟାପାର । ତୁମକୁ କହିବି ! ନା, କହିବି ନାହିଁ । କହିଲେ ବା କ୍ଷତି କଣ ! ନାହେ କଣ କହୁଚ !

 

ଧୋଇ ବାବୁ ତାଙ୍କ ଆଡ଼କୁ ବଲ ବଲ କରି ଚାହିଁ ରହିଲେ । ପ୍ରମଥ କହିଲାଗିଲେ, ‘‘ସେ ଆସିଥିଲା, ମତେ ଅନୁରୋଧ କରିବାକୁ ଯେ, ମୁଁ ଜଣେ ଗୁଣ୍ଡା ଠିକ୍‌ କରିଦେଲେ, ସେ ତୁମକୁ ମାରିବ– ’’

 

ଧୋଇ– ମତେ ମାରିବ ! କାହିଁକି ? ତାଙ୍କ ମୋ ଭିତରେ ତ ସେପରି କିଛି ସମ୍ୱନ୍ଧ ନାହିଁ, ସେ ମତେ ମାରିବାକୁ ଯିବେ କାହିଁକି ?

 

ପ୍ରମଥ– ସେ ତୁମର ବନ୍ଧୁ ବାନ୍ଧବ, କି ଆତ୍ମୀୟ ସ୍ୱଜନ ନୁହେଁ ! ତୁମକୁ ମାରିପାରିଲେ ସମ୍ପତ୍ତିଟା ତା ହାତକୁ ଯିବାର କିଛି ଆଶଙ୍କା ନାହିଁ ।

 

ଧୋଇ– କିଛି ମାତ୍ର ନାହିଁ । ସେ ଭିନ୍ନ ଗୋତ୍ରର ଆମେ ଭିନ୍ନ ଗୋତ୍ରର । ମୁଁ ମଲେ ସେ ତ ସମ୍ପତ୍ତି ପାଇବେ ନାହିଁ।

 

ପ୍ରମଥ– ତୁମର ଭାଇ ଭଉଣୀ କେତୋଟି ?

 

ଧୋଇ– ମୁଁ ଏକା । ମୋର ଭାଇ ଭଉଣୀ କେହି ନାହିଁ ।

 

ପ୍ରମଥ– ହୁଁ ଶଳା ଚୋର, କେତେ ମିଛ କଥା କହିଦେଇ ଗଲା । ତୁମେ ସମ୍ପତ୍ତିବାଡ଼ି ଗୁଡ଼ାକ ଉଡ଼େଇ ଦେଉ ନାହଁ ?

 

ଧୋଇ– ମୁଁ ! ମୁଁ ଏ ପର୍ଯ୍ୟନ୍ତ ସମ୍ପତ୍ତି ବାଡି କଣ ଜାଣେ ନାହିଁ । ମା ଦେଖାଶୁଣା କରନ୍ତି ସେଗୁଡ଼ାକର । ମୁଁ ତାଙ୍କ ଠାରୁ ଯେତେବେଳେ ଯାହା ଦରକାର କରେ ନେଇ ଚଳେ ।

 

ପ୍ରମଥ– ଆଉରି ଚମତ୍କାର

ଧୋଇ– କଣ ସବୁ ଯେ ଆପଣ କହୁଚନ୍ତି, ମୁଁ କିଛି ବୁଝି ପାରୁ ନାହିଁ

 

ପ୍ରମଥ– ତୁମେ ଜାଣ ସେ ମତେ କଣ ସବୁ କହିଚି ? ସେ କହିଲା, ‘‘ତୁମେ ତାର ଜଣେ ଆତ୍ମୀୟାର ବଡ଼ ପୁଅ । ତୁମେ ସମ୍ପତ୍ତିବାଡ଼ି ଗୁଡ଼ାକ ଉଜାଡ଼ି ଦେଉଚ ବୋଲି, ତୁମ ମା ବଡ଼ କାତର ଯେ ଅନ୍ୟ ପିଲାମାନଙ୍କ ପାଇଁ ଆଉ କିଛି ରହିବ ନାହିଁ । ସେଥିପାଇଁ ସେ ଆସିଥିଲା ଯେ ତୁମକୁ ଏଠୁ ନ ଛାଡ଼ିଲେ ତୁମର ମା ବିଷୟ ଆଶୟ ଗୁଡ଼ାକର ଗୋଟାଏ ସୁବନ୍ଦୋବସ୍ତ କରି ପାରନ୍ତେ ।

 

ଧୋଇଆ– ନା, ଆପଣ ଏଗୁଡ଼ାକ ମିଛ କହୁଚନ୍ତି । ସେ କାହିଁକି ଏ ସବୁ କଥା ମୋ ନାରେ କହନ୍ତେ....

 

ପ୍ରମଥ– ମୁଁ କାହିଁକି ମିଛ କହିବାକୁ ଯିବି ?

ଧୋଇଆ– ତା ମଧ୍ୟ ଠିକ୍‌। କିନ୍ତୁ କାହିଁକି ?

ପ୍ରମଥ– ଆଚ୍ଛା, ତୁମେ ମଲେ ସମ୍ପତ୍ତିଗୁଡ଼ାକ କିଏ ପାଆନ୍ତା !

ଧୋଇଆ– କିଏ ଆଉ ପାଇବ ! ଆମର ଓ୍ୱାରସ ଲଣ୍ଡା ଭାଇନା ବୋଧହୁଏ......

ପ୍ରମଥ– ତୁମର ଏ ଲଣ୍ଡା ଭାଇନା ଓ ସଦାଶିବ ମିଶ୍ରଙ୍କର କିପରି ପଡ଼େ ।

 

ଧୋଇଆ– ଏବେ କେତେ ଦିନ ହେଲା ମୁଁ ଦେଖିଥିଲି ଲଣ୍ଡା ସଦାଶିବ ବାବୁଙ୍କ ଘରକୁ ଏଓଳି ସେଓଳି ଖୁବ୍‌ଦଉଡ଼ ଧପଡ଼ କରୁଚି ।

 

ପ୍ରମଥ– ଜାଣେ ନା, ଲଣ୍ଡାକୁ କିପରି ବାଗରେ ପାଇଚି ବାବା, କି ବୁଦ୍ଧି, କି ସାହସ ! ଯାଉ, ତୁମେ ଭଦ୍ରଲୋକ ଘରର ପୁଅ । ଏପରି ବେଶ କିପରି ସହି ରହିଚ । ଆସତ, ତୁମେ ଆଗ ଏ ଲୁଗା-ପଟା ଗୁଡ଼ା ଛାଡ଼ି କ୍ଷିଅରବାଆର ହେଇପଡ଼ ।

 

ଧୋଇ– ନା, ମତେ ସେ ବେଳ ନାହିଁ । ମୋର ପ୍ରାୟ ଦୁଇ ଦିନ ଏଠାରେ ନଷ୍ଟ ହେଲାଣି-। ମତେ ଆପଣ ଖଣ୍ଡେ ଲେଖି ଦିଅନ୍ତୁ । ହଁ ଆଛା କଥା ମନେ ପଡ଼ିଲା । ସଦାଶିବ ବାବୁ ଖଣ୍ଡେ ଚିଠି ମୋ ହାତରେ ଆପଣଙ୍କ ପାଖକୁ ଦେଇଥିଲେ । କହି ଚିଠି ଖଣ୍ଡିଏ ବଢ଼ାଇଦେଲେ । ଚିଠିରେ ମାତ୍ର ଦୁଇଟି ଧାଡ଼ି, ‘‘ଭାଇ ପ୍ରମଥ ! ମୋର ଆର ଚିଠି ପାଇଥିବ । ଏଇ ପତ୍ର ବାହିକଙ୍କ କଥା ସେଥିରେ ଲେଖିଥିଲି । ଯଥାବିଧି କରିବ ।’’ ପ୍ରମଥ ଚିଠିଟା ପଢ଼ିସାରି କହିଲେ, ‘‘ଏଇ ଚିଠିଟା ପାଇ, ତୁମେ କଲିକତା ଆସିଚ ବୋଲି ମୁଁ ଖଣ୍ଡେ ଚିଠି ତୁମ ହାତରେ ଦେଇଥାନ୍ତି, ତୁମେ ନେଇଯାଇ ଦେଇଥିଲେ ବାଜି ଜିତିଥାନ୍ତ ନା ?’’

 

ଧୋଇ ବାବୁ ମୁଣ୍ଡ ଟାଙ୍ଗୁରି ସମ୍ମତି ଜଣେଇଲେ । କହିଲେ, ‘‘ଚିଠିଟା ତା ହେଲେ ଦିଅନ୍ତୁ-!’’

ପ୍ରମଥ– ତୁମେ କଣ ଚିଠିଟା ନେଇ ଯିବ ବୋଲି ଆଶାକରୁଚ ?

ଧୋଇ– ନିଶ୍ଚୟ, ଆଉ ମୋର କାମ କଣ !

 

ପ୍ରମଥ– ମୁଁ ଯାହାସବୁ କହିଲି, ସେ ସବୁ ପରେ ମଧ୍ୟ ତୁମେ ଯଦି ଆଶା କରିଥାଅ ଯେ ସୁରୁଖୁରୁରେ ଘରକୁ ଫେରିଯିବ ବୋଲି, ତା ହେଲେ ତୁମ ଠାରୁ ବଡ଼ ବୋକା ଆଉ କେହି ନାହିଁ । ନା ହେ କଣ କହୁଚ ?

 

ଧୋଇ– କାହିଁକି ? ଫେରି ନ ଯିବି କାହିଁକି ?

ପ୍ରମଥ– ବାବୁହେ, ସଦାଶିବ ଭାଇ ଯେ ତୁମ ପାଇଁ ଏତେ କଷ୍ଟକରୁଚି ସେଗୁଡ଼ାକ କଣ ବୃଥା !

ଧୋଇ– କିନ୍ତୁ ଆଉ କଣ ! ଆପଣ କଣ ମତେ ତାଙ୍କ କଥାନୁସାରେ ମାରିବେ !

 

ପ୍ରମଥ– ମୁଁ ନୁହେଁରେ ବୋକା, ମୁଁ ତ ତାକୁ ଏପରି ଜବାବ ଦେଇଚି ଯେ ସେ ଆଉ ଏ ମୁହଁ ହଉ ନାହିଁ । କିନ୍ତୁ କଲିକତା ସହରରେ ଗୁଣ୍ଡା ଅପୂର୍ବ ନାହାନ୍ତି । ଟଙ୍କା ପଚାଶ ଷାଠିଏଟାକୁ ଗୋଟାଏ ଲୋକର ପ୍ରାଣ ନବା ପାଇଁ ଗଣ୍ଡା ଗଣ୍ଡା ଲୋକ ଆଗୁସାର ହେବେ ।

 

ଧୋଇ– ତା ସତ ହୋଇପାରେ, ମୁଁ ଶୁଣିଚି କଲିକତା ସହରରେ ସେପରି ଲୋକ ଅଛନ୍ତି । କିନ୍ତୁ ସଦାଶିବ ବାବୁ କାହିଁକି ମତେ ମରେଇବେ, ତାର କାରଣ ତ ମୁଁ ଏ ପର୍ଯ୍ୟନ୍ତ ଖୋଜି ପାଇଲି ନାହିଁ ।

 

ପ୍ରମଥ– ଠିକ୍‌ କଣ ହେଇଚି ମୁଁ କହିପାରୁ ନାହିଁ । ତେବେ ଏହିପରି ଗୋଟାଏ ହେଇଥିବ ଯେ ତୁମକୁ ମାରି ଲଣ୍ଡାକୁ ସମ୍ପତ୍ତି ଦେଇ ପାରିଲେ ସଦାଶିବ ଲଣ୍ଡାଠାରୁ କିଛି ଗୋଟାଏ ବଡ଼ ଲାଭ ପାଇବ । ଏପରି ଘଟଣା ବିରଳ ନୁହେ । ଯେଉଁମାନେ ସମ୍ୱାଦ କାଗଜମାନଙ୍କରେ ମାଲିମକଦ୍ଦମା କଥାଗୁଡ଼ାକ ପଢ଼ୁଥିବେ, ସେମାନେ ଜାଣିଥିବେ ଯେ ଏପରି ଘଟଣା ଅନେକ ଘଟୁଚି-

 

ଧୋଇ ତା ମଧ୍ୟ ସତ । କିନ୍ତୁ ସଦାଶିବ ବାବୁ ପଣ୍ଡିତ, ନାମଜାଦା, ବିଖ୍ୟାତ ବ୍ୟକ୍ତି । ତାଙ୍କର କିଛି ପଇସା ପତ୍ରର ଅଭାବ ନାହିଁ । ସେ ଏତେ ଗୋଳମାଳକୁ ପଶିବେ କାହିଁକି !

 

ପ୍ରମଥ– ବାବୁ ହେ, ତୁମେ ବୋକା, ସଂସାର ଜ୍ଞାନ ତୁମର ଢ଼େର କମ୍‌ । ତା ନ ହୋଇଥିଲେ, ୟା ତୁମକୁ କହିବାକୁ ପଡ଼ନ୍ତା ନାହିଁ ପାଠ ବା ପାଣ୍ଡିତ୍ୟ ମନୁଷ୍ୟର ସ୍ୱଭାବ ବଦଳାଇ ପାରେ ନାହିଁ, କେବଳ ତାକୁ ଘୋଡ଼ାଇବାକୁ ଗୋଟାଏ ଆବରଣ ଯୋଗାଇ ଦିଏ । ଆଉ ସମ୍ପତ୍ତି କଥା କହିଲେ, ସେ ଗୋଟାଏ ନିଶା । ଯେତେ ପାଉଥିବ, ପାଇବାର ଆଶା ସେତିକି ବଢ଼ୁଥିବ । ବିଶେଷତଃ ପାପ ଲବ୍ଧ ଧନ । ନାହେ କଣ କହୁଚ ! ନା, ବାବୁ, ଆଜି ରାତିଟା ଅନ୍ତତଃ ଏଠାରେ ରହିଯାଅ । କାଲି ସକାଳେ ନ ହେଲେ ଚାଲିଯିବ ଜାଣିଶୁଣି ତୁମକୁ ଏ ରାତିରେ ଛାଡ଼ିଦେଲେ, ଶେଷରେ ତୁମ ହତ୍ୟା ଦୋଷରେ ଆଇନ ଅନୁସାରେ ନ ହେଲେ ମଧ୍ୟ, ମୋ ବିବେକ ପାଖରେ ମତେ ଦାୟି ହେବାକୁ ପଡ଼ିବ ।

 

ଧୋଇ ବାବୁ ଦେଖିଲେ ଏତେ ଆଗ୍ରହ ଓ ଏତେ ସନ୍ଦେହକୁ ଏଡ଼ାଇ ରାତିଟାରେ ଆଶ୍ରୟ ଛାଡ଼ି ଯିବା ଉଚିତ ନୁହେ । ସେ ରାଜିହେଲେ । ଭଣ୍ଡାରି ଡାକରା ହେଲା । ସେ କ୍ଷିଅର ବାଅର ହୋଇ ଗାଧୁଆ ପାଧୁଆା ସାରି ବୈଠକଖାନାକୁ ଆସି ଦେଖନ୍ତି ତ ଧୋବ ଲୁଗା, କମିଜ, ଗେଞ୍ଜି, ଜଙ୍ଘିଆ ଇତ୍ୟାଦି ସବୁ ଥୁଆ ହୋଇଛି । ସେ ଲୁଗା ପାଲଟି ବସିଲା ପରେ ଦେଖିଲେ ଦୁଆରଟା ମେଲାକରି ତାଙ୍କ ଆଡ଼କୁ ଚାହିଁଚି, ଦୁଇଟି ସଜଳ କୋମଳ ଷୋଡ଼ଶି ଚକ୍ଷୁ । ସେ ଉଠି ଠିଆ ହୋଇ ପଡ଼ିଲେ । ତାଙ୍କର ଭ୍ରୁଲତା କୁଞ୍ଚିନୋଇଗଲା । ପାଲିଶ କରା ମୁଗୁନି ପଥର ଭଳି କପାଳରେ କେତେଟା ଗାର ଆଙ୍କି ହୋଇ ତାଙ୍କୁ ଜଣାପଡ଼ିଲା ଯେପରି ଏ ଆଖି ଦୁଇଟା ସେ କେଉଁଠାରେ ଦେଖିଚନ୍ତି । ଯୁବତୀ ଏହା ମଧ୍ୟରେ କବାଟଟା ମେଲାଇ ଘର ଭିତରକୁ ପଶିଆସିଚନ୍ତି, ଧୋଇ ବାବୁ ଦଣ୍ଡେ ଖଣ୍ଡେ ଅପେକ୍ଷା କରି କହିଲେ, ‘‘ଆପଣଙ୍କୁ ମୁଁ କେବେ ଆଗରୁ ଦେଖିଥିଲି କି ?’’ ଯୁବତୀ ଚମକିପଡ଼ିଲେ । ଚକିତ ଭାବରେ ତାଙ୍କ ଆଡ଼କୁ ହଁ କହିଲେ, ‘‘ତୁମେ ! ତୁମେ ! ସେଇ କାଲ ରାତର ବାରବୁଲା !’’

Image

 

୧୨

 

ସରନ୍ତି ସୋମବାର ମେଳାରୁ ସମସ୍ତେ ଫେରିଆସିଲେ । ଫେରିଲା ନାହିଁ କେବଳ ଧୋଇଆ । ବାବୁଆଣୀ ମହାପାତ୍ରଙ୍କୁ ଡାକି ପଚାରିଲେ, କିଏ, ଧୋଇଆ କାହିଁ !’’ ମାହାପାତ୍ରେ କହିଲେ, ‘‘ମୁଁ ତ ତାକୁ ଆଉ ମେଳାରେ ଦେଖି ନାହିଁ । ଭାବିଲି ତାଙ୍କ ସାଙ୍ଗ ସୁଖକୁ ଘେନି ବୁଲୁଥିଲା-। ମୁଁ ବୁଝେଁ ।’’ ମଦନ ବାବୁଙ୍କୁ ପଚାରିବାକୁ ଗଲେ । ଶୁଣିଲେ ସେ କୁଆଡ଼େ କଟକ ଗଲେଣି ବାହାରି । ଗାଁରେ ଆଉ କେତେ ଜଣଙ୍କୁ ପଚାରିଲେ, କିନ୍ତୁ କେହି କିଛି କହି ପାରିଲେ ନାହିଁ-। ସେ ଫେରିଆସି ଯାହା ଜାଣିଥିଲେ କହିଲେ । ବାବୁଆଣି ଭାବିଲେ ବୋଧହୁଏ ପୁରୀରେ ରହିଗଲା । ଦିନ ପରେ ଦିନ ଯାଏ କିନ୍ତୁ ଧୋଇର କୌଣସି ଖବର ନାହିଁ । ମା ମନ ସମ୍ଭାଳିହୁଏ କେତେକେ ସେ ଏ କଥା ଯାହାକୁ କହନ୍ତି ସେ କହେ ଧୋଇଆ କଣ କାଖର କୋଡ଼ର ପିଲା ହେଇଚି ଯେ ତାକୁ କିଏ ନେଇଯିବ । ତୁମେ କାହିଁକି ସେପରି ବାୟାଣୀଙ୍କ ପରି ହଉଚ । ସେ କୁଆଡ଼େ ସାଙ୍ଗ ସାଥି ନେଇ ବୁଲୁଥିବ, ଫେରି ଆସିବ ନାଇଁ !’’ ବାବୁଆଣୀଙ୍କର ମନ ତଥାପି ବୁଝେ ନାହିଁ । ଧୋଇଆର ଏ ଚଗଲାମି ଅଛି ସତ, କିନ୍ତୁ ସେ ଯୁଆଡ଼େ ଗଲେ ଚିଠି-ପତ୍ର ବରାବର ଦିଏ । ଏପରି ଖବର ନ ଦେଇ ପାଞ୍ଚ ସାତ ଦିନ କେଉଁଆଡ଼େ ରହିବା କେବେ ହେଇ ନାହିଁ । ସେହି ହେତୁରୁ ତାଙ୍କ ମନଟା ଖୁନ୍ତୁ ଖୁନ୍ତୁ ହେଉଥାଏ । ଆଉରି ତାଙ୍କର ଭାବିବାର କାରଣ ହେଲା ଲଣ୍ତା ଘରର ବୁରେଡ଼ି ଦେଖି । ସେ ଜାଣନ୍ତି ଲଣ୍ତା ଏବେ ବର୍ଷେ ଖଣ୍ତେ ହେଲା ସଦାଶିବ ବାବୁଙ୍କ ଘରକୁ ଖୁବ୍‌ଯା ଆସ କରୁଚି । ଆଉମଧ୍ୟ ସେ ମନେ ମନେ ବୁଝି ପାରିଚନ୍ତି ସଦାଶିବ ବାବୁ ତାଙ୍କର ଅନିଷ୍ଟ କରିବାକୁ ସୁବିଧା ପାଇଲେ ଛାଡ଼ିବେ ନାହିଁ । ଏଇସବୁ କଥାକୁ ମିଳେଇ ସେ ମନେ ମନେ ବଡ଼ ତରକି ଉଠିଥିଲେ । ତାଙ୍କ ମନରେ ଏଇ ତର୍କ ଗାଢ଼ ସନ୍ଦେହରେ ପହଞ୍ଚିଲା ସେଇ ଯେଉଁଦିନ ଲଣ୍ତା ବୋଉ ତାଙ୍କ ଆଗରେ ତାଙ୍କ ବାଡ଼ିଆଡ଼ ନଡ଼ିଆ ଗଛରେ ବାଉରି ଚଢ଼େଇ ଗୋଟୋମା ପର୍ଯ୍ୟନ୍ତ କାଟି ନେଇଗଲେ । ଖାଇପିଇ ସାରି ସେ ବାରିପଟ ବରଣ୍ତାରେ ବସିଛନ୍ତି । ସାଇର ତିନି ଚାରିଜଣ ମାଇପେ ଆସି ଗଫ ଯୋଡ଼ିଦେଇଛନ୍ତି । ଏତିକି ବେଳେ ଲଣ୍ତା ବୋଉ ବାଉରି ଚଢ଼େଇ ଗଛରୁ ନଡ଼ିଆ କାଟିବାକୁ ଆରମ୍ଭକଲେ । ବାବୁଆଣୀଙ୍କର ତ ଏ ଗୁଡ଼ାକ ଦିହଘଷିଆ ହୋଇ ଯାଇଥିଲା । ସେ ଦେଖି ନ ଦେଖିଲା ପରି ମୁହଁ ବୁଲେଇ ଦେଇ ଗଫରେ ଲାଗିଗଲେ । ରାମ ବୋଉ କହିଲେ, ‘‘ମଲା ଏ ନଡ଼ିଆ ଗଛଟା ତୁମର ପରାଗୋ ? ସେ କିମିତି ନଡ଼ିଆ ତୋଳି ନଉଚନ୍ତି ମ ? ବାବୁଆଣୀ କଥାଗୁଡ଼ାକ ନ ଶୁଣିଲା ପରି ହୋଇ ଆଉରି କୋରରେ ଗଫରେ ଲାଗିଗଲେ । ସାବି ବୋଉ କହିଲେ, ‘‘ତୁମେ କିମିତି ସହିଚ କେଜାଣି ? ଆଖି ଆଗୁଟାରେ ପର ମୋ ସମ୍ପତ୍ତି ଉଚ୍ଚାଡି ଖାଇବାର ଦେଖିଲେ ତ ମୁଁ ଦାନ୍ତକୁ ଦାନ୍ତ ଲଗେଇ ମିଶି ଯାନ୍ତିଣି ଏତେବେଳକୁ ।’’ ବାବୁଆଣୀ ତଥାପି ନୀରବ । ଲଣ୍ତା ବୋଉ ଏତିକି ବେଳକୁ ପାଟି କରି କହିଲେ, ‘‘ତୋକରେ ତୋଳ, କୁ ଛତରଖାଇ, ଭାଇ ମୁଣ୍ତ ଖାଇ, ଆଣ୍ଠୁକୁଡ଼ି, ରାଣ୍ତ କଣ କହିବ ମୁଁ ଦେଖିବି ତୁ ତୋଳ !’’ ବାବୁଆଣୀ ଆଉ ସମ୍ଭାଳିହୋଇ ରହି ପାରିଲେ ନାହିଁ । କହିଲେ, ହଇହେ ଲଣ୍ତା ବୋଉ, ମୋ ଆଖି ଆଗରେ ମୋରି ଗଛରୁ ଦିନ ଦିପହରେ ନଡ଼ିଆ କଷି ଗୋଟମା ପର୍ଯ୍ୟନ୍ତ କାଟି ନେଉଚ, ମୁଁ ତୁନି ହୋଇ ଦେଖୁଚି । ତା ଉପରେ ପୁଣି କଣ୍ଟା ବାଡ଼ରେ ଲୁଗା ପକାଇ ଇମିତି ଗୁଡ଼େ ଗାଳି ଦେଉଚ କାହିକିଁ ?’’ ଲଣ୍ତା ବୋଉ ତ ଏଇ ସୁବିଧା ତକ ଖୋଜୁଥିଲେ । ତାଙ୍କର ତୁଣ୍ତରୁ ପାଣିସୁଅ ପରି କାନରେ ନ ଶୁଣା ଭାଷାରେ କେତେ ପ୍ରକାର ଗାଳି ବୋହିଗଲା । ଶେଷରେ କହିଲେ, ‘‘ତୁ କିଏ ଲୋ ? ତୋର ସମ୍ପତ୍ତି-! କିଲୋ ଏ ସମ୍ପତ୍ତି ତ ମୋ ଲଣ୍ତାର । ତୁ ତ ଖୋରାକ ପୋଷାକ ମୁଠାଏ ଖାଇ ଗୋବର ପୋଛିବା ଲୋକ । ବାଲେଶ୍ୱରୀଆଣି ଛତର ଖାଇ, ସେ ପୁଣି କହିବ ଏ ସମ୍ପତ୍ତି ମୋର । ଦେଖିବୁ ଦେଖିବୁ ଲୋ ରାଣ୍ତ, ଆଉ ଦଶ ପନ୍ଦର ଦିନ ଗଲେ ମୋ ଲଣ୍ତା ଯେବେ ତୋ ଛାତିରେ ବସି ଏ ସମ୍ପତ୍ତି ଭୋଗ ନ କରିଚି, ତା ହେଲେ ମୁଁ ଅମୁକ ରଥର ମାଇପ ନୁହେଁ ।’’ ଏହିପରି ସେ କେତେ କଣ କହି ଲାଗିଲେ ବାବୁଆଣୀ ଆଉ କିଛି ଶୁଣିବା ପର୍ଯ୍ୟନ୍ତ ଅପେକ୍ଷା ନକରି ଘର ଭିତରକୁ ଚାଲିଗଲେ । ରାମା ବୋଉ ସାବି ବୋଉ ହେରିକା ଯେ ସବୁ କଳିର ମଉଜ ପାଇବେ ବୋଲି ନଖକୁ ନଖ ଘଷୁଥିଲେ, ସେମାନେ ହତାଶ ହୋଇ ନିଜ ଘରକୁ ବାହୁଡ଼ିଲେ ।

 

ବାବୁଆଣୀ ଘରକୁ ଆସି ମାହାପାତ୍ରଙ୍କୁ ଡାକି ପୁରୀ ପଠେଇଲେ । କହିଲେ ପୁରୀରେ ଯଦି କିଛି ସନ୍ଧାନ ନ ପାନ୍ତି, ତା ହେଲେ କଟକରେ ମଦନ ପାଖକୁ ଯାଇ ଧୋଇଆର ଖବର ଅନ୍ତର ବୁଝି ଆସିବେ । ମାହାପାତ୍ରେ ସାଙ୍ଗେ ସାଙ୍ଗେ ପୁରୀ ବାହାରିପଡ଼ିଲେ । ପୁରୀରେ କିଛି ପତ୍ତା ପାଇଲେ ନାହିଁ କଟକରେ ଯାଇ ମଦନ ବାବୁଙ୍କୁ ଧଇଲେ, ଓ ତାଙ୍କୁ ସାଙ୍ଗରେ ଘେନି ତା ଆଣ ଦିନ ସକାଳେ ଗାଁରେ ଆସି ପହଞ୍ଚିଲେ । ମଦନ ବାବୁଆଣୀଙ୍କ ପାଖକୁ ଆସି କହିଲେ,‘‘ ଧୋଇଆ ତା ମାମୁଁ ଠାରୁ କଣ ଖବର ପାଇ କଲିକତା ଯାଇଚି ।’’

 

ବାବୁଆଣୀ– କଣ ଚିଠି ପାଇଥିଲା ?

ମଦନ ମୁଣ୍ତକୁ କୁଣ୍ତେଇ କହିଲେ, ‘‘ଚିଠି ! ନା, ହଁ, କଣ ଖବର ପାଇଥିଲା ।’’

 

ବାବୁଆଣୀ– ଚିଠିଟା କଣ ପୁରୀରେ ପାଇଲା ନା ଗାଁରେ ? ମଦନ ବାବୁ ବିଚାରା ବଡ଼ ବ୍ୟସ୍ତହୋଇ ଉଠିଲେଣି ସେତେବେଳକୁ । ଶିଖା କଥା ଗୋଟେ ଚଟ୍‌କରି କହିଦେବା ବଡ଼ ସହଜ, କିନ୍ତୁ ଜେରା ସମ୍ଭାଳିବା ବଡ଼ ମୁଷ୍କୁଲି । ବିଶେଷତଃ ମଦନ ବାବୁଙ୍କ ଭଳି ଲୋକ । ସେ ଭାବିଲେ କଣ କହିବେ, ଠିକ୍‌କରି ପାରିଲେ ନାହିଁ । ବାବୁଆଣୀ କହିଲେ, ‘‘ପୁରୀରେ ପାଇଲା ବୋଧହୁଏ, ନାଇଁ-?’’

 

ମଦନ– ହଁ, ହଁ, ପୁରୀରେ ପାଇଲାତ ......

 

ବାବୁଆଣୀ– କିନ୍ତୁ ବାପ, ତା ମାମୁଁ କିପରି ଜାଣିଲେ, ଯେ ଧୋଇଆ ସେ ଦିନ ପୁରୀ ଯାଇଥିବ ବୋଲି । ମଦନ ବାବୁ ଚୁପ୍‌ହୋଇ ରହିଲେ । ବାବୁଆଣୀ ପୁଣି ପଚାରିଲେ, ‘‘ସେ ବାଟଖର୍ଚ୍ଚ କାହୁଁ ପାଇଲା, ବାପ ? ମହାପାତ୍ରଙ୍କୁ ତ ଟଙ୍କା ମାଗିନେଇଁ !’’ ମଦନ ବାବୁ ତରବର ହୋଇ କହିଲେ, ‘‘ଖର୍ଚ ତା ପାଖରେ ଥିଲା । ’’

 

ବାବୁଆଣୀ– ଦେଖ ବାପ, ସେ ଗଲାବେଳେ ମୁଁ ତାକୁ ଟଙ୍କା ଯାଚିଲି ସେ ମତେ କହିଚି, ‘‘ନା ମୋ ପାଖରେ ଟଙ୍କା ରହିଲେ ହଜିଯିବ, ମାହାପାତ୍ରଙ୍କୁ ଦେ ମୋର ଦରକାର ହେଲେ, ମୁଁ ତାଙ୍କ ଠାରୁ ମାଗିନେବି ।’’ ସେ ଟଙ୍କା ପଇସା ତ ସାଙ୍ଗରେ ନେଇ ନାଇଁ । ତୁ କଣ ତାକୁ ଟଙ୍କା ଦେଇଚୁ ?

 

ମଦନ– ହଁ, ହଁ, ସତେରେ ତ, ମୁଁ ଟଙ୍କା ଦେଇଥିଲି । ମୁଁ ଯାଉଚି । ମୋର ବହୁତ କାମ ଅଛି ।

 

ବାବୁଆଣୀ– ବସ ଟିକିଏ ବାପ, ଯିବୁତ, ତର ତର କିଆଁ ? ତୁ କେତେ ଟଙ୍କା ତାକୁ ଦେଇଥିଲୁ ?

 

ମଦନ– ମୁଁ ! ଟଙ୍କା ! ଓଃ, ହଁ, ଏଇ ନ ଦଶ ଟଙ୍କା ମୋର ମନେ ନାହିଁ ।

ବାବୁଆଣୀ– ତୁ ଏତେ ଟଙ୍କା ଘେନି ପୁରୀ ଯାଇଥିଲୁ କାହିଁକି ବାପ ?

 

ସେତେବେଳକୁ ମଦନ ବାବୁ କନ କନ ହେଉଥାନ୍ତି । ତାଙ୍କର ଆଖିଏ ଅଖିଏ ଲୁହ । ବାବୁଆଣୀ ତାଙ୍କର ଏ ଅବସ୍ଥା ଲକ୍ଷ୍ୟକରି ସୁଆଗହୋଇ କହିଲେ, ମୋ ମୁହଁକୁ ଚାହିଁ କହତ, ବାପ ସତରେ ଧୋଇଆ ତା ମାମୁଁ ଠାରୁ ଖବର ପାଇ କଲିକତା ଯାଇଚି ।’’ ମଦନ ବାବୁ ମୁହଁ ତଳକୁ କରି ବସିରହିଲେ । ବାବୁଆଣୀ କହିଲେ, ‘‘ବାପ ମଦନ, ମୁଁ ତତେ ଧୋଇଆ ଠାରୁ ଭିନ୍ନ ଭାବି ନାହିଁ-। ତୁ ମୋ ଆଗରେ ମିଛ କହି ସମ୍ଭାଳି ପାରିବୁ ? ଧୋଇଆ ପାରନ୍ତା, ସେ ଚଗଲା, ତୁ କିନ୍ତୁ ତା ନୋହୁ । ସତ ଛଡ଼ା ମିଛ ପଦେ ଯେ ଜୀବନରେ କହି ନାହିଁ, ସେ କଣ ମା ଆଗରେ ମିଛ କହି ପାରେ । କହ ଦେଖି, ବାପ, ସତ କଥାଟା କଣ ?’’

 

ଆସ୍ତେ ଆସ୍ତେ ଡରି ଡରି ମଦନ ବାବୁ ପ୍ରକୃତ କଥାତକ ସବୁ ଖୋଲି କହିଗଲେ । ବାବୁଆଣୀ ଚକ୍ରପିତୁଲାଟି ଭଳି ବସି ଶୁଣୁଥାନ୍ତି । ମଦନ ବାବୁଙ୍କ କଥା ସରିଲେ ସେ ଧୀର ଗମ୍ଭୀର ଭାବରେ ପଚାରିଲେ, ‘‘ଠିକ୍‌ମନେ କରି କହ ଦେଖି ବାପ, ଏ ବାଜି କଥାଟା କିଏ ପହିଲେ ଉଠାଇଲା ?’’ ମଦନ ଭାବିଚିନ୍ତି କରି କହିଲେ, ‘‘ପହିଲେ ଉଠେଇଲା ଫଲଣା ମିଶ୍ର।’’ ବାବୁଆଣୀ– ଆଉ ସେଥିରେ ଜୁଆଦେଲେ ଅଲଣା ତିଆଡ଼ିଏ, ଶିଶୁପାଳ ନନ୍ଦେ, ଓଗେର ଶିବବାବୁଙ୍କର ନନ୍ଦି ଭୃକୁଟି ଦଳ, ନା ? ଏଥରକ ବୁଝିପାରିଚି ସବୁ । କଣ ହବ ବାପ ? ଏତେବେଳକୁ ତାଙ୍କର ଧୈର୍ଯ୍ୟ ଯେପରି ଭାଙ୍ଗି ଆସିଲା । ସେ କାନ୍ଦ କାନ୍ଦ ହୋଇ ଉଠିଲେ । ମଦନ ତାଙ୍କୁ ସାନ୍ତ୍ୱନା ଦେବା ପାଇଁ କହିଲେ, ‘‘କାହିଁକି ମା ହବ କଣ ? ଧୋଇଆ ଠିକ୍‌ କୋଡ଼ିଏ ଦିନରେ ଫେରି ଆସିବ ।’’

 

ବାବୁଆଣୀ– ଫେରି ଆସିବନି ? କଲିକତା ସହର ଅନେକ ଦୂର । ବାଟ ବଡ଼ ନିକାଞ୍ଚନ-। ଗୁଣ୍ତାଗୁଡ଼ାକ ବଡ଼ ଶସ୍ତା । ନା, ବାପ, ମୁଁ କାନ୍ଦୁ ନାହିଁ ଅଧୀର ହଉ ନାହିଁ । ସର୍ବସ୍ୱ ଯେତେବେଳେ ଯିବା ଉପରେ ସେତେବେଳେ କାନ୍ଦରେ ସମୟ କଟାଇବା ବୋକାର କାମ । ପ୍ରମଥ ବାବୁ ମେଛିଆ ବଜାର ଗଳି କହିଲୁ ନା ? ମଦନ ବାବୁ କଥାଗୁଡ଼ାକରୁ କିଛି ବୁଝିପାରୁ ନଥିଲେ, ତା ଉପରେ କଥା ଯେପରି ଡେଇଁଲା, ସେଥିରେ ସେ କାର୍ଯ୍ୟ କାରଣର ସମ୍ବନ୍ଧ ଦେଖି ନପାରି ଖାଲି ବୋକାଙ୍କ ଭଳି ମୁଣ୍ତ ହଲେଇଲେ । ବାବୁଆଣୀ କିଛି ସମୟ ତୁନିଟି ହୋଇ ବସି କଣ ଭାବିଲେ, ତା ପରେ କହିଲେ, ‘‘ବାପ ମଦନ ତୁମେ ଟିକିଏ କଲିକତା ଯାଇ ପାରିବ ?’’ ମଦନ ବାବୁ ‘ହୁଁ’ ଭରିଲେ । ଠିକ୍‌ହେଲା ସେଇଦିନ ରାତି ଗାଡ଼ିରେ ସେ କଲିକତା ଯିବେ ।

 

କିନ୍ତୁ ତଥାପି ବାବୁଆଣୀ ଧର୍ଯ୍ୟଧରି ବସିପାରୁ ନଥାନ୍ତି । ସେ ଏଣିକି ତେଣିକି ବୁହେ ହେଇ ମଦନ ବାବୁଙ୍କ ହାତରେ ତାଙ୍କ ଭାଇଙ୍କ ପାଖକୁ ଦେବା ପାଇଁ ଖଣ୍ତିଏ ଚିଠି ଲେଖିଲେ । ଏବଂ ଲୁଗା ପଟା ପିନ୍ଧି ନିଜେ ବାଡି ଆଡ଼େ ଆଡ଼େ ବାହାରି ପଡ଼ିଲେ ଶିବ ବାବୁଙ୍କ ଘରକୁ । ସେଠାରେ ଯାଇ ଦେଖନ୍ତି ତ ଶିବ ବାବୁଙ୍କର ସତୁରି ବର୍ଷର ବୁଢ଼ୀ ମା ବାଡ଼ି ଆଡ଼ ପିଂଡ଼ାରେ ବସି ଶକଉଚନ୍ତି । ଧାର ଧାର ହୋଇ ଆଖିରୁ ଲୁହ ବୋହିଯାଉଚି । ବୁଢ଼ୀ ଲୁଗା କାନିରେ ତାକୁ ପୋଛି ପକାଉଚନ୍ତି । ସେ କରୁଣ ଦୃଶ୍ୟ ଦେଖି ବାବୁଆଣୀ କିଛି ସମୟ ଥକାମାରି ଠିଆ ହୋଇଗଲେ । ତା ପରେ ବୁଢ଼ୀଙ୍କ ପାଖକୁ ଉଠିଯାଇ ଦି ହାତ ତଳେ ଲଗେଇ କହିଲେ, ‘‘ ମାଉସୀ ଓଳିକି ହଉଚି ।’’ କିଏ ଲୋ, ଝିଅ, ମରିଗଲି ନାଇଁ ଯାହା ! ସେ ତାଙ୍କ ସୁଖରେ ସ୍ୱର୍ଗକି ନରକରେ ଯାଇ ବସିଲେ । ବଳ ବୟସ ଗଲା । ଆଖିକି ଦିଶିଲା ନାହିଁ । ମୁଁ ଖାଲି ବଞ୍ଚିରହିଚି ହିନିମାନ ହବାପାଇଁ ।’’ ବାବୁଆଣୀ ପଚାରିଲେ ‘‘କଣ ହେଲାକି ମାଉସୀ, କାନ୍ଦୁଚ କାହିଁକି ?’’

 

ବୁଢ଼ୀ– ଆଲୋ ଝିଅ, ବସ, ମୁଁ ତତେ ତୁନିକରି କହିବି । ଦେଖିଲୁ ଦେଖିଲୁ ସେ ଖଳବୀ ବୋହୂ ମୋର କୁଠେଇ ନାକେଇ କରି ଶୁଣୁ ନାଇଁ ତ । ଇଲେ ଯାଇ ପୁଅକୁ କଣ କହି ଦେବ ବୋଇଲେ, ମୋ ପିଠିରୁ ଚମଡା ରହିବ ନାଇଁ ।

 

ବାବୁଆଣୀ– ନାଇଁ, ମାଉସୀ, ଏଠି କେହି ନାହିଁ ।

 

ବୁଢ଼ୀ– ଆଲୋ ଝିଅ, ମୁଁ ତ ମଲା ସରିକି ହେଲାଣି । ଏଇ ହାତରେ କେତେ ଦିଅଁ ଦୂବ କରିଚି, କେତେ ଦୁଃଖିରଙ୍କିଙ୍କି ଖାଇବାକୁ ଦେଇଚି । ଏବେ ଯମ ଦୂଆରେ ଗୋଡ଼ ଦେଇ ମୁଁ ଦୁଃଖିରଙ୍କି ଭୋକି ଶୋଷିଙ୍କ କଟାଳ ସହିପାରିବି କିମିତି ? ଆଜି ସକାଳେ ଗୋଟିଏ ଭିଖାରୁଣି ଆସିଥିଲା । ତା କୋଡ଼ରେ ତିନି ମାସର ଛୁଆଟିଏ । ଖାଇବାକୁ ନ ପାଇ ତାର ଯୋଡ଼ିଏ ଛୁଆ ମରିଗଲେ । ଘଇତା ତାକୁ ଛାଡ଼ି ପଳେଇଲା ସେ ଇମିତି ବୁଲି ବୁଲି ମାଗି ଖାଉଚି । କହିଲା, ‘‘ମୁଁ ଦି ଦିନ ହେଲା ଖାଇ ନାହିଁ । ପିଲାଟା ଦୁଧ ଟିକିଏ ନ ଖାଇ ଖାଲି କଇଁ କଇଁ ହେଇ କାନ୍ଦୁଚି ।’’ ମୋ ଦିହ ସହିଲା ନାହିଁ ଲୋ ଝିଅ, ମୁଁ ହାଣ୍ତି ଶାଳକୁ ଯାଇ ବେଲେ ଭାତ ତୋଡ଼ାଣି କରି ତାକୁ ଦେଲି, ଆଉ ତା ଛୁଆଟା ପାଇଁ ଟିକିଏ ଦୁଧ ଆଣି ଦେଲି। ମୋର ଯେ ସେ ଡ଼ାଙ୍କିଣୀ ବୋହୂଟା, ଲୋ, ଝିଅ ତା ଶନି ଦୃଷ୍ଟିରେ କିମିତି ପଡ଼ିଗଲା । ସେଉଠୁ ତ ସେ ମୋତେ ଭିଣି ଭିଣି କରି ପକାଇଲା । କହିଲା କଣ ନା, ତୁମେ ଏ ଘରେ କିଏ ? ମୁଠେ ଖାଇବ ଖଣ୍ତେ ପିନ୍ଧିବ, ଗୋଟେ କୁଣରେ ପଡ଼ିରହିବ । ତୁମେ ମୋ ବିନା, ବିନା....... କଣ କହିଲା, ସେ କଥା କଣ ମୋ ତୁଣ୍ତ ଲେଉଟୁଚି କିଲୋ ଝିଅ...... ପାଠ ପଢ଼ି ପଣ୍ତିତଆଣୀ ହେଇଚନ୍ତି ପରା ।

 

ବାବୁଆଣୀ– ବିନାନୁମତିରେ ?

 

ବୁଢ଼ୀ– ହଁ, ହଁ, ଲୋଝିଅ, ସେଇକଥା । କହିଲା ସେ କଥାରେ ମୁଁ କାହିଁକି ତାକୁ ଭାତ ପୁଞ୍ଜାଏ ଦେଲି । ମୁଁ ତ ସହିପାରିଲି ନାହିଁ ଲୋ ଝିଅ ଏଇ ଆଜି ଭଳି ମନେ ଅଛି । ରାଣ୍ତ ମା ତାର ବଡ଼ ଦେଉଳ ବରଗଛ ତଳେ ବସି ପଇତା ସୁତା କାଟୁଥାଏ । ଆଉ ଏ ଖଳବି ନଅ ବର୍ଷର ଟୋକିଟାଏ କଉପୁନି ଖଂଡେ ମାରି ସେଠି ବାଲୁ ବାଲୁ କରି ଚାହିଁଥାଏ । ସେ କାହୁଁ ଦବା ସୁଖ ଜାଣିବ ? ସେ କାହୁଁ ଦୁଃଖିରଙ୍କିଙ୍କି କଥା ବୁଝିବ । ସେ ଦିନ କଣ ଆଉ ଅଛି । ଫାଟିଯିବ ବୋଲି ପିଠି ଉପରେ ଯେତେବେଳେ ୱାଉ ପଡୁଥିଲା, ସେ ଦିନ ତ ଗଲାଣି । ଇଲେ ପରା ସେ ରାଣୀ, ୱାଉ କାହୁଁ ଚିହ୍ନିବ ? ଋଷି ଏଇଥି ପାଇଁ ଜଟା ଛିଣ୍ତେଇଥିଲେ । ଖାଲି ତାର ରୂପଟି ଦେଖି ତାକୁ ବୋହୁ କରି ପକାଇଲି । ସେଇ ରୂପଟି ଏବେ ହେଲା ମୋର କାଳ ।

 

ବାବୁଆଣୀ ହଁ, ତ ଉତ୍ତାରୁ କଣ ହେଲା ମାଉସୀ ! ସେ ତୁମକୁ ଏଇଆ କହିଲା ବୋଲି କାନ୍ଦୁଚ ?

 

ବୁଢ଼ୀ– ନାଇଁଲୋ ଝିଅ, ସେ ଖଳବୀତ ଘରେ ଗୋଡ଼ ଦେଲା ଦିନୁଁ ଇମିତି କେତେ ଶୁଣୁଚି । ଆଜି ଏତିକି ପାଇଁ କାନ୍ଦନ୍ତି କିଆଁ । ସେ ଯିମିତି ମତେ ଖିଙ୍କାରିହେଇ ଏତକ କହିଲା, ମୁଁ ତାକୁ କହିଲି, ‘‘କିଲୋ, ମା, ମା ଯେତେବେଳେ ସୁତା କାଟି ପଇତା ବିକି ପେଟ ପୋଷୁଥିଲା ସେ ଦିନ କଣ ପାଷୋର ଗଲାଣି କି ?’’ ଆଉ ଯାଏ କୁଆଡ଼େ ଲୋ ଝିଅ । ଗର୍ଜିଲା ଗର୍ଜିଲା, କେତେ କଣ କହିଗଲା । ଶେଷକୁ ଯାଇ ପୁଅକୁ କଣ କହିଦେଲା ଯେ, ପୁଅତ ତେଣୁ ମାରେ କି ନମାରେ ହେଇ ମୋ ଉପରକୁ ସୁହୁସି ଆସିଲା । କହିଲା, କଡ଼ାଟାକର ପ୍ରୟୋଜନ ନାଇଁ, ମେଛେଡ଼ୀ ବୁଢ଼ୀ ଠେଇଁ, ଆଉ ଘରେ ବସି ସାନ୍ତେଇ ଦେଖାଇ ହଉଚି । କହିଲା, ଆଉ ଦିନେ ତୁ କାହାକୁ ଖୁଦ କଣିକା ଟାଏ ଦେ ତ, ତୋ ହାତ ଭାଙ୍ଗିଦେବି ।’’ ଝିଅଲୋ, ମୁଁ ପ୍ରାଣ ଭୟରେ ସେତିକି ବେଳୁ ଏଠିକି ପଳାଇ ଆସିଚି । କେତେ ମହାଦେବଙ୍କ ଉପରେ ବେଲ ପତ୍ରି ଚଢ଼େଇ, ଅଭିଷେକ କରେଇ, ଓଷା ବ୍ରତରେ ପେଟ ଶୁଖେଇ, ପାଇଥିଲି ଏ ପୁଅକୁ ଏଇଥିପାଇଁ । ଦାଣ୍ତରେ ୟା ତୋଟି ଚିପିବ, ତା ଘର ଭାଙ୍ଗିବ, ଇମିତି କରି ରାଣ୍ତ ଛେଉଣ୍ତଙ୍କ ସମ୍ପତ୍ତି କିଣି ବଡ଼ଲୋକି କଲା । ସେଥିରେ ପାଟି ଫିଟାଇଲି ନାହିଁ । ଭାବିଲି, କରନ୍ତୁ, ଯେଝା ଧର୍ମ ତାକୁ ଖାଇବ । ଗାଁରୁ ଏତେ ଲୋକ ହବିଷ କରିବାକୁ ପୁରୀ ଯାଉଛନ୍ତି । ମୋର କଣ ନଥିଲା । ମୋ ଘଇତା ତ ମଲା ବେଳକୁ ଦଶ ବାଟି କି ବାର ବାଟି ସୁଦ୍ଧ ସୁବର୍ଣ୍ଣ ଜମି ରଖି ଯାଇଥିଲା । ମୁଠା ମୁଠା ପଇସା ଟଙ୍କା ମୁଁ ଦିଆ ନିଆ କରୁଥିଲି । ମତେ ଟିକିଏ ପୁରୀ ଯାଇ ଦର୍ଶନ କରିବାକୁ ଯୋଗ ହେଲା ନାଇଁ । ଏକାଦଶି ଉପାସରେ ତ ଦିହରେ ମୁଣ୍ତରେ ଟିକିଏ ହାତ କେହି ବୁଲେଇ ଦେଲା ନାହିଁ । ମୋର ଏ ଜୀବନ ଥାଇ ଯାହା .......

 

ଘର ଭିତରୁ ଝୁମୁରୁ ଝୁମୁରୁ ଶବ୍‌ଦ ଶୁଭିଲା । ବୁଢ଼ୀ ତରବର ହୋଇ ମୁହଁ ପୋଛି ପକେଇ କହିଲା, ‘‘ଆଲୋ, ଝିଅ, ଏ ଡାଙ୍କୁଣୀ ଅଇଲାଣି । ମୋର ଆଉ ଗୋତ୍ର ରହିବ ନାହିଁ ।’’ ବାବୁଆଣୀ ସେଠାରୁ ଉଠି ଛିଡ଼ାହେଲେ ଏହି ସମୟରେ ଶିବ ବାବୁଙ୍କ ସହଧର୍ମିଣୀ ଶ୍ରୀମତୀ ସଭ୍ୟଭାମା ଦେବୀ ସେଠାରେ ଆସି ପହଞ୍ଚିଲେ । ତାଙ୍କର ନାକରେ ଗୋଟିଏ ନୋଲକ, ଦି ନାକ ପୁଡାରେ ଦୁଇଟି ନାକ ଫୁଲ, କାନରେ କାନ ଫୁଲ, ବାଉଳି, ବେକରେ ପଦକ ମାଳ ଉପରେ ଢ଼େଗା ଢ଼େଗା କଣ୍ଠି ମାଳ । ବାଁ ହାତରେ ଋପାର ବାଚ୍ଚୁ, ଡାହାଣ ହାତରେ ରୁପା ତାଡ଼, କଚଟି ଉପରେ ସୁନା କାଚ ଛ ଛ ପଟ ପାଖରେ ମାଡ଼ି ଖଡ଼ୁ ଦି ଦି ପଟ, ଆଙ୍ଗୁଠିରେ ପାଞ୍ଚୋଟା ସୁନା ମୁଦି । ଗୋଡ଼ରେ ବଳା ପାହୁଡ଼ ଦି ପଟ ଲେଖାଏଁ । ଗୋଡ଼ ଆଙ୍ଗୁଠିରେ କଂସାର ମୁଦି ଚାରି ୨ଟା ପିନ୍ଧିଛନ୍ତି ଖଣ୍ତିଏ ମିଲ ନାଲ ଧଡ଼ିଆ ସାଢ଼ୀ । ପାଟିରେ ପାନ ଖିଲ, ଓଠ ସେଇ ପାନ ବୋଳରେ ନାଲ ଟହ ଟହ । ମୁଂଡ଼ରୁ ବାସନା ତେଲର ଉତ୍କଟ ଗନ୍ଧ ବାହାରି ଚମକେଇ ଦଉଚି ଖଂଡ଼ ମଂଡ଼ଳ । ରଙ୍ଗଟା ସଜ ବଟା ହଳଦି ପରି । ମୁହଁଟି ଟିକିଏ ଲମ୍ବା । ଅସହଣିକମାନେ କହନ୍ତି ଟାକୁଆ ଗାଲି । ଛାମୁ ଦାନ୍ତ ଦୁଇଟା ଟିକିଏ ବଡ଼ । ଏଇ ହେଲେ ଶିବ ବାବୁଙ୍କ ସହଧର୍ମିଣୀ । ନୂଆ ପୁରୁଣା, ପୂର୍ବ ପଶ୍ଚିମର ଗୋଟାଏ ଅପୂର୍ବ ମିଳା ମିଶାର ଖେଳ । ସେ ବୁଢ଼ୀଙ୍କ ଆଡ଼କୁ କଟମଟ କରି ଚାହିଁ କହିଲେ, କିଏ, କଣ ସବୁ ଭୁଟୁରୁ ଭାଟର ଫୁଟୁରୁ ଫାଟର ଚାଲିଥିଲା କି । ପୁଅ ବୋହୂ କିମିତି ତୁମକୁ ଅନୁଭବ ଦଉଚନ୍ତି ସେଇ କଥା ! ମଲନାଇଁ ! ଘର କଥା ନେଇ ଦାଣ୍ତରେ ପକଉଚ !’’

 

ବୁଢ଼ୀ– ମଲା, ମୋର ଗରଜ ସରୁ ନଥିଲା । ମୋ ଭାଗ୍ୟରେ ତ ଯାହା ଅଛି ତା ଭୋଗୁଚି, ପର ଆଗରେ କହିଲେ କଣ କିଏ ମୋ ପିଠିରେ ଆସି ପଡ଼ିବ ।

 

ଶିବ ସ୍ତ୍ରୀ– ଆଉ ଗାଁ ବାବୁଆଣୀ କୁଆଡ଼େ ଗୋ ? ଏ ଗରିବ ଘରେ ଲକ୍ଷ୍ମୀ ବିଜେ କିଆଁ-?

 

କଥାଗୁଡ଼ାକ ହସି ହସି କହିଲେ ସତ । କିନ୍ତୁ ବାବୁଆଣୀ ତା ଭିତରେ ଗୋଟାଏ ଶ୍ଳେଷର ସୁଅ ଠିକ୍ ଅନୁଭବ କରିପାରିଲେ । ସେ କହିଲେ, ‘‘ଶିବ ବାବୁ ଆମ ଦେଶର ଜଣେ ଦେବତା । କିଲଟର କମିସନର ତାଙ୍କ ଦୁଆରେ ଧାରଣା ଦେଇ ପଡ଼ିଛନ୍ତି । ଭାବିଲି, ଆଲୋ ବାପଲୋ, ଯାଇ ଟିକିଏ ଦେଖା କରି ଆସେ ।

 

ଶିବ ସ୍ତ୍ରୀ– ମଲା ମଲା, ଛଇ ଦେଖ । ବାବୁଆଣୀ ଥାଉଁ ଥାଉଁ ଶିବ ବାବୁ ଚେଟି ପୁଅକୁ କିଏ ପଚାରେ ? ବୋଇଲି ଦିନେ ନାଇଁ କାଳେ ନାଇଁ ଆଜି କାହିଁକି ?

 

ବାବୁଆଣୀ– ଆସିଚି, କହିଲି ପରା, କବ ବାବୁଙ୍କ ପାଖକୁ ।

 

ଶିବ ସ୍ତ୍ରୀ– କାହିଁକି, ଗାଁରେ ଆଉ କେହି ଅଣ୍ତିରା ମିଳିଲେ ନାହିଁ !

 

ବାବୁଆଣୀ– ମିଳିବେ କାହୁଁ ? ତୁମେ କଣ କାହାକୁ ରଖିଚ ଯେ ।

 

ଶିବ –ସ୍ତ୍ରୀ– ସତରେ କଥା କଣ ?

 

ବାବୁଆଣୀ– କଥା ଆଉ କଣ ? ଶିବ ବାବୁଙ୍କ ସାଙ୍ଗରେ ଗୋଟାଏ ପରାମର୍ଶ ଅଛି ।

 

ଶିବ ସ୍ତ୍ରୀ– ମଲା ମଲା, ବାବୁଆଣୀଙ୍କୁ ଯୁ କଥାରେ ବୁଦ୍ଧି ଦିଶିଲା ନାହିଁ, ବାବୁ କି ଛାର ଯେ ସେ ପରାମର୍ଶ ଦେବେ।

 

ବୁଢ଼ୀ– ଆଲୋ ଧୋଇ ବୋଉ, ଶିବ ପରା ପୁରୀ ଗଲାଣି । ସେଠୁ କୁଆଡ଼େ କଲିକତା ଯିବ ।

 

ଶିବ ସ୍ତ୍ରୀ– ତୁମ ମୁଣ୍ତରେ ନିଆଁ ଦବ । ତାଙ୍କର ମୋର ତ କଥା କଥା ପଡ଼ିଥିଲା, ତୁ ଖଳବୀ ଉପରେ ପଡ଼ି କଥା କହୁ କିଆଁ ?

 

ବୁଢ଼ୀ– ଶୁଣିଲୁ ଲୋ ଝିଅ, ଶୁଣିଲୁ ।

 

ଶିବ ସ୍ତ୍ରୀ– ଖତେଇ ହେଇ କହିଲେ, ‘‘ଶୁଣିଲୁ ଲୋ ଝିଅ, ଶୁଣିଲୁ । ଝିଅ ଆସି ପିଠିରେ ପଡ଼ିବ, ନଇଲେ, ମତେ ଏ ଗାଁରୁ ତଡ଼େଇ ଦବ । ତା ଆସନ ତ ଟଳମଳ, ବାବୁଆଣୀ ପଣ ଏଇ ଥରକ ଯିବ ଯେ । ଆଉ ସେ ମୋର.......’’ କହି ଫଡ଼ କରି ସେଠାରୁ ବାହାରିଗଲେ ।

 

ବାବୁଆଣୀ ଦଣ୍ତୁଟାଏ ସେଠାରେ ତୁନି ହୋଇ ଠିଆହେଲେ । ତା ପରେ ବୁଢ଼ୀଙ୍କୁ ଓଳକିହୋଇ କହିଲେ, ‘‘ ମାଉସୀ ମୁଁ ଯାଉଚି ।’’

 

ବୁଢ଼ୀ– କୁଆଡ଼େ ଆସିଥିଲୁ ଲୋ ଝିଅ, ଟିକିଏ ବସିଲୁ ନାଇଁ !

 

ବାବୁଆଣୀ– ଯୁଥିପାଇଁ ଆସିଥିଲି, ମାଉସୀ, ସେ କାମ ମୋର ହୋଇ ଯାଇଚି ।

Image

 

୧୩

 

ସେ ଦିନ କଲିକତା ଓଡ଼ିୟା ସମାଜ ଘରେ ଗୋଟିଏ ସଭା ହବାର କଥା । ସମାଜଟି କଲିକତା ସହରର ବହୁବଜାର ୧୨ନମ୍ବର ଘରେ । ସମାଜର ସମ୍ପାଦକ ବ୍ରଜନାଥ ବାବୁ । ମୋଟାମୋଟି ଗତଣ, ବାଙ୍ଗର ଦିହ, ଚନ୍ଦା ମୁଣ୍ତ, ନାକ ତଳେ ଦି ପଟା ନିଶ । ଯେ ଟିକିଏ ସାହସ କରି ଦାଣ୍ତକୁ ବାହାରିବ, ତାର ନିନ୍ଦା କରିବାର ଲୋକ ଓଡ଼ିଶାରେ ଅଭାବ ନାହିଁ । ଓଡ଼ିୟାମାନଙ୍କର ଆଉ କିଛି ଗୁଣ ଥାଉ ବା ନ ଥାଉ, ସଜ ମାଛରେ ପୋକ ପକାଇବାର ଶକ୍ତି ଯଥେଷ୍ଟ ଅଛି । କେତେକ ହାମ ବଡ଼ା ଓଡ଼ିୟା ନେତା କହନ୍ତି ଯେ ବ୍ରଜ ବାବୁ ସମାଜ ପଇସା ଖାଇ ଖାଇ ତାଙ୍କର ପେଟ ବଢ଼ି ଯାଇଚି । କେହି ବିଚାରନ୍ତି ବ୍ରଜର ନା ଅଛି ଘର ଦ୍ୱାର, ନା ଅଛି ଜମିବାଡ଼ି ସେ ଚଳେ କିପରି ? କଲିକତା ସହରରେ ଘର କିଣିଲା କେଉଁଆଡ଼ୁ ? କିନ୍ତୁ ସଦାଶିବ ବାବୁ ଏମାନଙ୍କ ମଧ୍ୟରୁ ଜଣେ ନୁହନ୍ତି । ସେ ବ୍ରଜ ବାବୁଙ୍କର ନିନ୍ଦା କରିବା କେହି କେବେ ଶୁଣି ନାହିଁ । ବରଂ ବ୍ରଜ ବାବୁ ଓ ସଦାଶିବ ବାବୁଙ୍କ ମଧ୍ୟରେ ଗୁରୁ ଶିଷ୍ୟ ସମ୍ବନ୍ଧ ଥିବାରୁ ଉଭୟେ ଉଭୟଙ୍କର ଗୁଣଗାନ ହିଁ କରିଥାନ୍ତି-। ସଦାଶିବ ବାବୁ କଲିକତା ଆସିଥିବାର ଶୁଣି ବ୍ରଜବାବୁ ସମାଜର ଗୋଟାଏ ଅଧିବେଶନ ଡକାଇବାର ସ୍ଥିରକଲେ । ସଙ୍ଗେ ସଙ୍ଗେ ଛପା ବିଜ୍ଞାପନ କାଗଜ ବଣ୍ଟା ହୋଇଗଲା । ସାଧାରଣ ସଭା, ବକ୍ତା ହେବେ ସଦାଶିବ ବାବୁ, ବିଷୟ ହବ ଓଡ଼ିୟା ସାହିତ୍ୟରେ ଓଡ଼ିୟା ଭାଷା । ବକ୍ତୃତା ପରେ ଏଇ ବିଷୟରେ ଯୁକ୍ତି ତର୍କ ହବ । ଏବଂ ସଭା ଶେଷରେ କିଞ୍ଚିତ ଜଳ ଯୋଗ । ସଭାର ସମୟ ସନ୍ଧ୍ୟା ପାଞ୍ଚୋଟା ।

 

ସଦାଶିବ ବାବୁ ଦୁଇ ତିନି ଦିନ ହେଲା କଲିକତାରେ ଅଛନ୍ତି । ନୋଟିସଟା କିନ୍ତୁ ସଭା ଦିନ ସକାଳେ ବଣ୍ଟାହେଲା। ଆଗରୁ ବାଣ୍ଟିଲେ କାଳେ ଲୋକେ ଭୁଲିଯିବେ ବୋଲି, ସ୍ୱୟଂ ବ୍ରଜ ବାବୁ ଘର ଘର ବୁଲି ବାସିନ୍ଦା ଓଡ଼ିୟାମାନଙ୍କୁ ଓ ଓଡ଼ିୟା ପ୍ରେମି ବଙ୍ଗାଳିମାନଙ୍କୁ ସଭାରେ ଉପସ୍ଥିତ ହବାକୁ ଅନୁରୋଧ କରି ଆସିଥିଲେ । ଆଶା କରିଥିଲେ ଯେ ସଭାରେ ଲୋକ ଭରା ହେବେ । ସାଢ଼େ ଛଟା ବାଜିଲା ବେଳକୁ ସଭାରେ ମାତ୍ର ୨୦ ଜଣ ଲୋକ ହେଇଛନ୍ତି । ଯେଉଁମାନେ କଲେଜ ଇତ୍ୟାଦିରେ ପଢ଼ନ୍ତି ସେମାନେ ଭାବି ନେଲେ, ‘‘କି ବକ୍ତୃତା ହବହେ, ଚାଲ ଖେଳା-ଖେଳି କରିବା, ଖାଇବା ବେଳକୁ ପହଞ୍ଚିଲେ ଯାଇ ହେଲା ।’’ ଯେଉଁମାନେ ଓଡ଼ିୟା ପ୍ରେମି ବଙ୍ଗାଳି ସେମାନେ ଭାବିଲେ, ‘‘ଆ ଓଡ଼ିୟା ଗୋଟାଏ ସାହିତ୍ୟ, ତାର ପୁଣି ଗୋଟାଏ ଭାଷା, ସେ ବିଷୟରେ ବକ୍ତୃତା ଦବାର କି ଅଛି ? ଖାଲି ସମୟ ନଷ୍ଟ । ତେବେ ଲୁଚି ରସଗୋଲା ଗୁଡ଼ାକ ନଷ୍ଟ ହବ କାହିଁକି, ନହେଲା ସେତେବେଳେକୁ କଷ୍ଟକର ଯିବା ।’’ ଆସିଲେ କେବଳ ଅକର୍ମା ଅନାଡ଼ି ଓଡ଼ିୟା କେତେଟା, ଦୁଇ ଚାରି ଜଣ ଉତ୍ସାହୀ କୁହାଳିଆ ଟୋକା...... ଏମାନଙ୍କର ଧାରଣା ଯେ ଓଡ଼ିୟା ସାହିତ୍ୟ ଓ ରାଜନୀତି ସମ୍ବନ୍ଧରେ ଏମାନେ ନଜାଣନ୍ତି ଏପରି କିଛି ନାହିଁ । ଫଳରେ ନିଜର ପାଣ୍ତିତ୍ୟଟା ଦେଖାଇ ହବାର ସୁବିଧା ଯେଉଁଠାରେ ମିଳେ, ସେଠିକି ଯିବାକୁ ଏମାନେ ଛାଡ଼ନ୍ତି ନାହିଁ । ଆଉ ଜଣେ ଦିଜଣ ବଙ୍ଗାଳି ଭଦ୍ରଲୋକ..... ଏମାନଙ୍କର ଓଡ଼ିୟା ଭାଷା ସହିତ ସମ୍ବନ୍ଧ ବଙ୍କିମ ବାବୁଙ୍କ ତଥା କଥିତ ଓଡ଼ିୟା ବାକ୍ୟ କେତେଟା, ଅଥବା ରବି ବାବୁଙ୍କର କବି କଳ୍ପନା ଓଡ଼ିଆ ଭାଷାର ଭୁତ ଛାଇରୁ । କୌତୁହଳଟା ସେହି ହେତୁରୁ ଯେ ଏବଂ ବିଧ ଯେ ଓଡ଼ିଆ ଭାଷା ସେଥିରେ ବକ୍ତୃତା ଦିଆହୁଏ କିପରି ? ଆଉ ଆସିଚନ୍ତି ନିରକ୍ଷର କୁଲି ଓଡ଼ିୟା ପ୍ରାୟ ପଚାଶ ଷାଠିଏ । ଏମାନେ ତ ଓଡ଼ିୟା ନୁହନ୍ତି । ମୁଣ୍ତ ଗଣନ୍ତି ବେଳକୁ ନହେଲେ ଏମାନଙ୍କୁ ଓଡ଼ିୟା ବୋଲି ମାନି ନେବାକୁ ହେଲା । ଟିପାର୍ଟି ଗାର୍ଡ଼ନ ପାର୍ଟି, ଡିନର ପାର୍ଟି ଇତ୍ୟାଦି ପାଇଁ ଚାନ୍ଦା ସଂଗ୍ରହ ବେଳକୁ ନ ହେଲା, ଏମାନଙ୍କୁ ଓଡ଼ିୟା ବୋଲି ଧରି ନିଆ ହେଲା । କିନ୍ତୁ ଓଡ଼ିୟା ବୋଲି ଚାନ୍ଦା ପାଣ୍ଠିରୁ କିଛି ପାଇବାର ଅଧିକାର ଏମାନଙ୍କର ନାହିଁ, କି ଦାଣ୍ତରେ ଘାଟରେ ଏମାନଙ୍କୁ ମୋର ଜାତି ଭାଇ ଓଡ଼ଆ ବୋଲି ସ୍ୱୀକାର କରିବାର ଦାୟିତ୍ୱ ଆମର ନାହିଁ । ଏମାନେ ହେଲେ ବଳି ପାଇଁ ପୋଷା ମେଣ୍ଢା ଛେଳିଙ୍କ ଭଳି । ଏମାନଙ୍କର କାର୍ଯ୍ୟ କାରିତା ମୋ ଦିହ କି ପିଲାଙ୍କ ଦେହ ମୁଣ୍ତ ପାଇଁ ଠାକୁରାଣୀ ଆଗରେ ବଳି ପଡ଼ିବା ପର୍ଯ୍ୟନ୍ତ । ବେଶ୍‌ ସେତିକି । ବଞ୍ଚିଥିବା ଭିତରେ କେତେବେଳେ ମୁଁ ଯଦି କହିଦେଇଥିବି ଯେ ଏ ଛେଳିଟିକି କିଏ ମେଣ୍ଢାଟିକି ମୁଁ ପୁଅପରି ସ୍ନେହ କରେଁ, ତା ବୋଲି ବଳିପକାଇବାକୁ ନେଲା ବେଳେ ସେ କଥାଟା ଉଲୁଗୁଣା ଦବା ତୁମର ନିତାନ୍ତ ଭୁଲ । ସେହି ହେତୁରୁ ସଭାରେ ଉପସ୍ଥିତ ଭଦ୍ରଲୋକମାନଙ୍କ ମଧ୍ୟରେ ଆମେ ଏମାନଙ୍କୁ ଗଣିନାହୁଁ । ଯାହାହଉ ଏମାନଙ୍କୁ ସମାଦର ଚାକର ବାକର ମାନଙ୍କୁ ଓ ଉପସ୍ଥିତ ଭଦ୍ରଲୋକମାନଙ୍କୁ ପୁରାଇ ସଭା ଘରଟା ପ୍ରାୟ ଭର୍ତ୍ତି ହୋଇଗଲା ଭଳି ଦେଖାଗଲା ସଦାଶିବ ବାବୁ ତାଙ୍କର ବକ୍ତୃତା ଆରମ୍ଭକଲେ । ସେ ବକ୍ତୃତା ବୁଝିବାର ଶକ୍ତି ତ ଆମର ନାହିଁ । ତେବେ ଆର ଦିନ କାଗଜସବୁରେ ସେ ବିଷୟରେ ଯାହା ସବୁ ଟିକା ଟିପଣି ବାହାରିଲା ତାରି ତର୍ଜମାଟା ଦେଇଦେଲେ ଆପଣମାନେ ବୁଝିପାରିବେ କିପରି ଜାକଜମକରେ ସଭାଟା ହୋଇଥିଲା ଓ ବକ୍ତୃତାର ସୌନ୍ଦର୍ଯ୍ୟ ମାଧୁର୍ଯ୍ୟ କେତେ ।

 

‘‘କାଲି କଲିକତା ଓଡ଼ିୟା ସମାଜ ଭବନରେ ଗୋଟିଏ ସଭା ହୋଇ ଯାଇଚି । ସଭା ଘରଟି ଜନତାରେ ଲୋକାରଣ୍ୟ ହୋଇ ଯାଇଥିଲା । ଓଡ଼ିଶାର ବିଶିଷ୍ଟ ନେତା ସ୍ୱାନାମଧନ୍ୟ ସଦାଶିବ ମିଶ୍ର ଏମ୍‌. ଏ. ଏମ୍‌. ଏଲ. ସି, ଏ ସଭାର ଅତିଥି ଓ ପ୍ରଧାନ ବକ୍ତା ଥିଲେ । ବସ୍ତୁତ ତାଙ୍କରି ଅଭ୍ୟର୍ଥନା ନିମନ୍ତେ ଏ ସଭାଟି ଆହୁତ ହୋଇଥିଲା । କଲିକତାର ବିଶିଷ୍ଟ ଓଡ଼ିୟା କର୍ମି ଓ ଓଡ଼ିୟା ସମାଜର ସୁଯୋଗ୍ୟ ସମ୍ପାଦକ ବ୍ରଜମୋହନ ରାୟ ବି. ଏ. ବି. ଏଲ. ଅତିଥିଙ୍କୁ ପରିଚିତ କରାଇ ଦେଲା ପରେ ସଦାଶିବ ବାବୁ ତାଙ୍କର ବକ୍ତୃତା ଆରମ୍ଭକଲେ । ବକ୍ତୃତାଟି ପ୍ରାୟ ପଞ୍ଚାଳିଶି ମିନିଟ ଚାଲିଥିଲା । ବକ୍ତୃତାର ବିଷୟ ‘‘ଓଡ଼ିୟା ସାହିତ୍ୟର ଓଡ଼ିୟା ଭାଷା ।’’ ବକ୍ତା ପ୍ରାଞ୍ଜଳ ଓ ଚିତ୍ତାକର୍ଷକ ଭାଷାରେ ବିଷୟଟି ଏପରି ପାଣ୍ତିତ୍ୟମୟ ଓ ସାର ପୂର୍ଣ୍ଣ ଭାବରେ ବ୍ୟାଖ୍ୟାନ କରିଥିଲେ ଯେ ଶ୍ରୋତୃବର୍ଗ ଗଭୀର ନିଦ୍ରାଭିତ୍ତୂତ ପରି ଏକ ଲୟରେ ଶୁଣି ମୁଗ୍ଧହୋଇ ଥିଲେ । ବକ୍ତୃତା ସରିବା ପରେ ଶ୍ରୋତୃମାନଙ୍କର କରତାଳି ଧ୍ୱନି ଉତ୍ସାହରୁ ସେମାନଙ୍କର ବକ୍ତୃତା ପ୍ରତି ସମ୍ମାନ ଓ ଆନନ୍ଦ ଜଣାପଡ଼ିଲା ।’’

 

ବକ୍ତୃତା ପରେ ଏ ସମ୍ବନ୍ଧରେ ଯୁକ୍ତି ତର୍କ ଆରମ୍ଭ ହବାର କଥା । ଆମର ଯେ ସବ୍‌ଜାନତା ଯୁବକ କେତେ ଜଣ ସେମାନେ ଅଣ୍ଟାଭିଡ଼ି ବସିଲେ ସେମାନଙ୍କ ମଧ୍ୟରୁ ଜଣେ...... କପିଳେଶ୍ୱର ବାବୁ ପ୍ରଥମେ ଯୁଦ୍ଧ କ୍ଷେତ୍ରକୁ ଡ଼େଇଁ ପଡ଼ିଲେ । ପଚାରିଲେ, ‘‘ସଦାଶିବ ବାବୁ, ଆପଣ ଯେ କହିଲେ ଓଡ଼ିୟା ଭାଷାର ଗୋଟାଏ ଅଲଗା ବ୍ୟାକରଣ ଅଛି । ବ୍ୟାକରଣର ନିୟମ ଓ ପ୍ରଥା ଆଣିବା ପାଇଁ ଆମ୍ଭମାନଙ୍କର ସଂସ୍କୃତ, ଇଂରେଜି, ବଙ୍ଗଳା ଭାଷାର ସାହାଯ୍ୟ ନବା ଦରକାର ନାହିଁ ବୋଲି, ଆପଣ କଣ ଭାବନ୍ତି ନାହିଁ ଯେ ଓଡ଼ିୟା ବ୍ୟାକରଣ ନିୟମ ଯାହା ଆଗେ ଥିଲା, ତାହା ଓଡ଼ିୟା ପୁରୁଣା ପରି ବାସି ହୋଇ ଗଲାଣି ? ସେତେ ବେଳର ଋଚି ଓ ଭାବ ଅନୁରୂପ ଭାଷାକୁ ବାନ୍ଧିବା ପାଇଁ ଯେ ନିୟମସବୁ ଦରକାର ଥିଲା, ବର୍ତ୍ତମାନ ତାହା ନାହିଁ । ବର୍ତ୍ତମାନ ନୂତନ ଭାବ, ନୂତନ ରୂଚି, ନୂତନ କଳାର ଯୁଗ । ବର୍ତ୍ତମାନ କୌଣସି ପୁରୁଣା କାଠଗଡ଼ ଏ ନୂଆ ଭାବର ଗୁଣ୍ତିଚା ରଥ ଆଗରେ ପକାଇଲେ ସେ ତାକୁ ମାନିବ କାହିଁକି ?

 

ମାଧବ ନନ୍ଦ ବୋଲି ଆଉ ଜଣେ ଯୁବକ ତାର ଉତ୍ତର ଦେଲେ, ‘‘ମୁଁ ଏ ପ୍ରଶ୍ନର ଜବାବ ଦେବି । ଏ ନିୟମ କାନୁନ ତୁ କୁ ମାନିବାକୁ ହେବ । ସମୟର ପରିବର୍ତ୍ତନ ଅନୁସାରେ ଭାବ ଓ ଋଚିର ପରିବର୍ତ୍ତନ ହୋଇପାରେ, କିନ୍ତୁ ଭାଷାର, କଥାର, Idiomର ନୁହେ । ଭାଷା ସନାତନ, ଚିରନ୍ତନ । ତାକୁ ତୁମେ ବଢ଼େଇ ପାର । କିନ୍ତୁ ସେ ବଢ଼ିବା ସେହି ଭାଷାର ବିଧିସଙ୍ଗତ ହେବା ଉଚିତ । ନୂଆ ଭାବ, ଓ ନୂଆ ଋଚି ଚଳେଇବା ପାଇଁ ଭାଷାର ବିଧି ଭାଙ୍ଗିବା ବିଷୟରେ ଲେଖକର ସ୍ୱେଚ୍ଛାଚାରିତା ଛଡ଼ା ଅନ୍ୟ କୌଣସି କାରଣ ନାହିଁ ।

 

କପିଳେଶ୍ୱର– ଭାଷାର ପୁଣି ଗୋଟାଏ ବିଧି କଣ ?

 

ମାଧବ– ଭାଷାର ବିଧି ତାହାର ବିଶେଷତ୍ୱ । ତାହାର ଗୋଚରତ୍ୱ । ସେହି ବିଧି ଲଘଂନ କଲେ, ଭାଷା ହବ ପାଗଳ ପ୍ରଳାପ, ନ ହେଲେ ଘାଣ୍ଟା ତିଅଣ । ବାଚ୍ୟମାନଙ୍କର ପରସ୍ପର ସହିତ ଓ ପ୍ରତ୍ୟେକର କ୍ରିୟା ସହିତ, କ୍ରିୟାର କାଳ ଭେଦରେ ଭିନ୍ନ ଋପ, ଓ କର୍ତାର କର୍ମ ଭେଦରେ ଭିନ୍ନ ଆକାର– ମୋଟ ଉପରେ ସମସ୍ତ ବ୍ୟାକରଣ ନିୟମ; ଏହି ବିଧିର ଅନ୍ତର୍ଭୁକ୍ତ କିନ୍ତୁ ଏହି ବିଧି ଏହି ବ୍ୟାକରଣ ନିୟମ ଛଡ଼ା, ଭାଷାର ସେଇ ଅନନ୍ୟ ସାଧାରଣ ସ୍ୱଭାବ ବା ପ୍ରକାର ମଧ୍ୟ ଥାଏ । ସେହି ସ୍ୱଭାବଟା କଣ, ତାହା ମୁଁ କଥାରେ ବୁଝାଇ ପାରିବି ନାହିଁ । ତାହା ଅନୁଭବ କରିବାର ବିଷୟ-। ପ୍ରତ୍ୟେକ ଭାଷାରେ ଏଇ ଗୁଣଟା ଅଛି-। ସେହି ହେତୁରୁ ପ୍ରତ୍ୟେକ ଭାଷା ଅନ୍ୟ ଭାଷା ଠାରୁ ଭିନ୍ନ-

 

କପିଳେଶ୍ୱର– କିନ୍ତୁ ତୁମେ ଯାହା କହୁଚ ସେତ ଇତିହାସ ସିଦ୍ଧ ନୁହେ । ଇଂରେଜ ସାହିତ୍ୟରେ ସେଲି, କିଟସ୍‌, ବାଇରନ ପ୍ରଭୃତି ଯେତେବେଳେ ନୂତନ ଯୁଗର ପ୍ରବର୍ତନକଲେ, ସେତେବେଳେ ତ ସେମାନେ ନୂତନ ଭାଷାର ବିଧି ମଧ୍ୟ ଚଳେଇଥିଲେ ।

 

ମାଧବ– ଭାଷାରେ କୌଣସି ନୂତନ ବିଧି ସେମାନେ ଆଶି ନାହାନ୍ତି । ସେମାନେ କରିଥିଲେ ଏତିକି ....... ଡ୍ରାଇଡ଼େନ ଓ ପୋପ ଇତ୍ୟାଦିଙ୍କ ଲେଖାରେ ଯେ ସ୍ଥବିରତା, ଶିଥିଲତା, ସ୍ଥିରତା ଥିଲା, ତାହାର ପରିବର୍ତରେ ଭାଷାରେ ଗୋଟାଏ ଚାଞ୍ଚଲ୍ୟ ପାଣି ସୁଅ ପରି ଗୋଟାଏ ସରଳ ଗତି, ଗୋଟାଏ ଅସ୍ଥିରତା ମାତ୍ର ଆଣି ଦେଇଥିଲେ । ତାହାସବୁ କରାଯାଇ ପାରେ ଭାଷାର ବିଧି ମଧ୍ୟରେ । ତା ଲାଗି ବିଧି ଭାଙ୍ଗିବା ପ୍ରୟୋଜନ ନାହିଁ, କି ସେମାନେ ଭାଙ୍ଗି ନଥିଲେ । ସେକ୍‌ସପିଅରଙ୍କର ଯେ କୌଣସି ବହିରୁ ଯେ କୌଣସି ଛତ୍ର ନେଇ ତା ଦେହରେ ସେକ୍‌ସପିଅରଙ୍କ ସମୟର କେତେଟା ବିଶେଷାର୍ଥତ୍ମକ ଶବ୍‌ଦକୁ ଉଠାଇଦେଇ ଓ ତା ସ୍ଥାନରେ ସାଧାରଣ ଇଂରେଜି ଶବ୍‌ଦ ବସାଇଦେଇ ପଢ଼, ଦେଖିବ ସେଲି ଓ କିଟସ୍‌ଙ୍କ ଲେଖାଠାରୁ ତାର ପାର୍ଥକ୍ୟ ଭାଷା ବିଧି ସମ୍ବନ୍ଧରେ କିଛି ମାତ୍ର ନାହିଁ । ସେଲି ବାଇରନ୍‌ ଇତାଲି ଓ ଫରାସି ଲେଖକମାନଙ୍କ ଦ୍ୱାରା ଋଚି ଓ ଭାବ ବିଷୟରେ ଅନୁପ୍ରାଣିତ ହୋଇ ଥିଲେ ମଧ୍ୟ, ସେମାନେ ଇଂରେଜି ଲେଖିଥିଲେ । ଫରାସି, ଇତାଲି ଓ ଇଂରେଜି ଭାଷାକୁ ପକାଇ ଘାଣ୍ଟତିଅଣ ତିଆରି କରି ନଥିଲେ । ଆମ୍ଭମାନଙ୍କ ପାରିପାର୍ଶ୍ୱକ ସାହିତ୍ୟ ଆଲୋଚନା କଲେ ମଧ୍ୟ ସେଇଆ ଦେଖିବ । ବଙ୍କିମଙ୍କ ଲେଖା ଠାରୁ ରବିନ୍ଦ୍ରଙ୍କ ଲେଖା ଭିନ୍ନ କିନ୍ତୁ ଭିନ୍ନ ଏଇ ଭାବରେ ଯେ ରବିନ୍ଦ୍ରଙ୍କ ଲେଖା ବେଶୀ ଶବ୍‌ଦ ବଙ୍ଗାଳି ।

 

କପିଳେଶ୍ୱର– କିନ୍ତୁ ରବିନ୍ଦ୍ର ଯେ ଅନ୍ୟ ଭାଷାରୁ ଶବ୍‌ଦ ବ୍ୟବହାର କରିବାର ପକ୍ଷପାତି-

 

ମାଧବ– ଅନ୍ୟ ଭାଷାରୁ ଶବ୍‌ଦ ଆଣିବା ଏକ କଥା ଆଉ ଭାଷାର ବିଧି ଭାଙ୍ଗିବା ସମ୍ପୂର୍ଣ୍ଣ ଆଉ ଏକ କଥା । କୌଣସି ଭାଷା ଭାବର ତୁଳନାରେ ସମ୍ପୂର୍ଣ୍ଣ ନୁହେ । ନୂତନ ନୂତନ ଭାବ ପ୍ରକାଶ କରିବା ପାଇଁ ବେଳେ ବେଳେ ଅନ୍ୟ ଦେଶର ସାହିତ୍ୟରୁ ଓ ଭାଷାରୁ ଶବ୍‌ଦ ଆଣି ଯୋଡ଼ିବା ଦରକାର କରେ ।

 

କପିଳେଶ୍ୱର– ତା ହେଲେ ଅନ୍ୟ ଭାଷାରୁ ଶବ୍‌ଦ ଆଣି ବ୍ୟବହାର କରିବାରେ ତୁମର ଆପତ୍ତି ନାହିଁ ।

 

ମାଧବ– ନା, ଆପତ୍ତି ନାହିଁ, ଯଦି ମୋ ଭାଷାରେ ସେଇ ଭାବ ପ୍ରକାଶ କରିବାକୁ ଶବ୍‌ଦ ନ ଥାଏ । କିନ୍ତୁ ଆଜିକାଲି ଓଡ଼ିୟା ସାହିତ୍ୟରେ ଗୋଟାଏ ଢ଼ଙ୍ଗ ବାହାରିଚି, କଥାରେ କଥାରେ ହିନ୍ଦି ଓ ବଙ୍ଗଳା ଶବ୍‌ଦର ପ୍ରୟୋଗ । ପ୍ରାଚୀନ ଓଡ଼ିୟା ସାହିତ୍ୟରେ ଅନେକ ଶବ୍‌ଦ ଅଛି ଯାହାକି ଲୁପ୍ତ ହବା ଉପରେ, ଅଥଚ ସେହି ସେହି ଭାବଦୋତକ ଶବ୍‌ଦ ପାଇଁ ଆମ୍ଭେମାନେ ପର ଦୁଆର ଛ ପିଣ୍ତା ହଉଚୁଁ ।

ହେରମ୍ବନାଥ– କିନ୍ତୁ ସେ ସବୁ ଶବ୍‌ଦ ତ ଆର୍ଷ, archaic ଅନ୍ୟାନ୍ୟ ଭାଷାରେ ଆର୍ଷ ଶବଦ୍‌ର ପ୍ରତ୍ୟାହାର ତ କମ ନୁହେ ।

ମାଧବ– ଆର୍ଷ ପ୍ରୟୋଗ ଲେଖକ ବିଶେଷର ଋଚି ଉପରେ ଆରମ୍ଭ ଏବଂ ଲେଖକ ବିଶେଷର ଋଚି ଉପରେ ଶେଷ । ଅର୍ଷ ଶବ୍‌ଦ ବ୍ୟବହାର କରି ପାରିବ ନାହିଁ ବୋଲି କୌଣସିଠାରେ ନିୟମ ନାହିଁ । ବରଂ ଅନେକ ସ୍ଥାନରେ ଯାହା ଅର୍ଷ ପ୍ରୟୋଗ ଭାବରେ ଆରମ୍ଭ ହୋଇଥିଲା, କାଳକ୍ରମେ ତାହା ଭାଷା ସହିତ ମିଶି ନିତ୍ୟବ୍ୟବହୃତ ଶବ୍‌ଦ ମଧ୍ୟରେ ଗଣ୍ୟ ହୋଇ ଯାଇଚି । ପର ଭାଷାଠାରୁ ନିଜ ଭାଷାର ଆର୍ଷ ପ୍ରୟୋଗ ବରଂ ସ୍ମୃହଣୀୟ । ମୂଳ କଥା ହଉଚି, ଆଜିକାଲି ଲେଖକମାନଙ୍କର ଭିତରକୁ ପଶିବାର ଆଦୌ ନାହିଁ । ଲେଖିବା ପାଇଁ, ନିଜର ଭାବକୁ ପ୍ରକାଶକରିବା ପାଇ ଉପଯୁକ୍ତ ଭାଷା ବ୍ୟବହାର କରିବାକୁ ସେମାନେ ହେଳାରେ ସୁଦ୍ଧା ଟିକିଏ ଚେଷ୍ଟା କରନ୍ତି ନାହିଁ । ଯାହା ଯେପରି ଭାବରେ ମନକୁ ଆସିଲା, ତାହା ସେହିପରି ଭାବରେ ଥୋଇଦେବା ତାଙ୍କର ଧର୍ମ । ସେହି ହେତୁରୁ ଓଡ଼ିୟା ଭାଷାର ଆଜି ଏ ଅବସ୍ଥା ।

କପିଳେଶ୍ୱର– କିନ୍ତୁ ସେଥିରେ କ୍ଷତି କଣ ? ଏପରି ଲେଖାତ ବିଶେଷ ଭାବରେ ଠିକ୍‌, କାରଣ ଏହା ପ୍ରାକୃତିକ, ସ୍ୱଭାବତ । ଚେଷ୍ଟା ଚରିତ୍ର କରି ଯେ ଭାଷା ତିଆରି, ସେ ଭାଷା ସ୍ୱଭାବଜ ହେବ କିପରି । ତୁମେ ଅବଶ୍ୟ ସ୍ୱୀକାର କରିବ ଯେ କୃତ୍ରିମ ଭାଷା ଅପେକ୍ଷା ସ୍ୱଭାବଜ ଭାଷାହିଁ ବେଶୀ ସୁନ୍ଦର ।

ମାଧବ– ତା ସ୍ୱୀକାର କରିବି । କିନ୍ତୁ ଆଜିକାଲିକାର ଲେଖକମାନେ ଯେ ଭାଷା ଲେଖୁଚନ୍ତି ତା କଣ ସ୍ୱଭାବଜ ? ସେମାନେ ଓଡ଼ିୟା ଛାଡ଼ି ସବୁବେଳେ ବଙ୍ଗଳା ବା ଇଂରେଜି ପଢ଼ିଲେ । ଫଳରେ ଲେଖିଲା ବେଳକୁ ଇଂରେଜି ବା ବଙ୍ଗଳାଟା ତାଙ୍କ ମନରେ ସଭା ଆଗେ ପଡିଗଲା । ସେଉଟା ସେ ଚଟ୍‌କରି ଲେଖିଦେଲେ । ଏ ତ ସ୍ୱଭାବଜର ଲକ୍ଷଣ ନୁହେ । ମନୁଷ୍ୟ ଭାତ ଖାଇବାର କଥା । ତାକୁ ଯଦି ଟିଣ ଦୁଧ ଖାଇବାକୁ ଦିଆହୁଏ, ତା ହେଲେ ଟିଣ ଦୁଧଟା ତ ତାର ସ୍ୱଭାବଜ ଖାଦ୍ୟ ହବ ନାହିଁ । ଓଡ଼ିୟା ଲେଖକର ଓଡ଼ିୟା ପଢ଼ିବାର କଥା, ସେ ଯଦି ବଙ୍ଗଳା ପଢ଼େ, ବଙ୍ଗଳା ଭାବେ ଓ ବଙ୍ଗଳା ଲେଖେ ତା ହେଲେ ତାର ସେଉଟା ସ୍ୱଭାବ ହବ ନାହିଁ ।

 

ହେରମ୍ବ– କିନ୍ତୁ ବଙ୍ଗଳା ଉନ୍ନତ ସାହିତ୍ୟ । ବଙ୍ଗଳା ନ ପଢ଼ିଲେ ନୂଆ ନୂଆ ଭାବ ଆସିବ କାହୁଁ ?

 

ମାଧବ– ମୁଁ ବଙ୍ଗଳା ପଢ଼ିବାକୁ ନାହିଁ କରୁ ନାହିଁ । ନାହିଁ କରୁଚି ସବୁବେଳେ ବଙ୍ଗଳା ପଢ଼ିବାକୁ । ନାହିଁ କରୁଚି, ଓଡ଼ିୟା ଭାଷାରେ ଅଭ୍ୟାସ ନ ହବା ପର୍ଯ୍ୟନ୍ତ ବଙ୍ଗଳା ପଢ଼ିବାକୁ ।

 

କପିଳେଶ୍ୱର– କିନ୍ତୁ ଓଡ଼ିୟା ଭାଷାରେ ପଢ଼ିବାକୁ ଅଛି କଣ ?

 

ମାଧବ– ପଢ଼ିବାକୁ ଅଛି ଅନେକ । ପ୍ରାୟ ହଜାରେ ବର୍ଷଧର କବି କର୍ଣ୍ଣଙ୍କ ଠାରୁ ଆରମ୍ଭକରି ଗଙ୍ଗାଧରଙ୍କ ପର୍ଯ୍ୟନ୍ତ ଅସଂଖ୍ୟ କବି ଲେଖକ ଅସଂଖ୍ୟ ବହି ଲେଖି ଯାଇଚନ୍ତି ।

 

କପିଳେଶ୍ୱର– କିନ୍ତୁ ସେଥି ମଧ୍ୟରୁ ଅଧିକାଂଶ ତ ବିଭତ୍ସ ଆଦିରସ ପୂର୍ଣ୍ଣ ।

 

ମାଧବ– ସାହିତ୍ୟରେ ନୈତିକତା ନାହିଁ । ସାହିତ୍ୟକ, ଲେଖକ ବହିର ନୈତିକତା ନେଇ ଭାବେ ନାହିଁ । ସେ ଭାବି ବୁଲେ କଳା ନେଇ । ଭାଷା ନେଇ, ଭାବ ନେଇ । ବିଶ୍ୱ ସାହିତ୍ୟରେ ସ୍ୱିଫ୍‌ଟ ଓ ଭଲତେଅର ଯଦି ସ୍ଥାନ ଥାଏ, ତା ହେଲେ ଉପେନ୍ଦ୍ରଭଞ୍ଜ ଦୀନକୃଷ୍ଣଙ୍କର ମଧ୍ୟ ଅଛି । ତା ପରେ ସବୁ ଲେଖାରେ କିଛି ଆଦିରସ ନାହିଁ । ପ୍ରାଚୀନ ଓଡ଼ିୟା ସାହିତ୍ୟରେ ଋତୁ ବର୍ଣ୍ଣନା, ଈଶ୍ୱର ବର୍ଣ୍ଣନା, ଯୁଦ୍ଧ ବର୍ଣ୍ଣନା, କରୁଣାତ୍ମକ ବର୍ଣ୍ଣନା, କୌଣସି ରସର ଅଭାବ ନାହିଁ । ତାକୁ ତ ପଢ଼ିପାର ।

କପିଳେଶ୍ୱର– ତା ହେଲେ ତୁମେ କଣ କହିବାକୁ ଚାହିଁ ଯେ ପ୍ରାଚୀନ ଓଡ଼ିୟା ସାହିତ୍ୟ ସୁନ୍ଦର, ଆଉ କେହି ନୁହେ ।

ମାଧବ– ମୁଁ ତା କେବେ କହି ନାହିଁ । କୌଣସି ପ୍ରକୃତସ୍ଥ ଲୋକ ତାହା କହି ନପାରେ-। ପ୍ରାଚୀନ ଓଡ଼ିୟା ସାହିତ୍ୟରେ ସୁନ୍ଦର ପଦାର୍ଥ ଅଛି, ଅସୁନ୍ଦର ମଧ୍ୟ ଅଛି । ବୋଧ ହୁଏ କେତେକ ଗୁଣରେ ଅସୁନ୍ଦରର ମାତ୍ରା ସୁନ୍ଦର ଅପେକ୍ଷା ଅଧିକ । ଆଉରି ପୁଣି ସ୍ୱୀକାର କରୁଚି ବିଦେଶୀ ସାହିତ୍ୟରେ ଓଡ଼ିୟା ସାହିତ୍ୟର ସୌନ୍ଦର୍ଯ୍ୟ ଅପେକ୍ଷା ଆହୁରି ଅନେକ ଗୁଣ ବେଶୀ ସୁନ୍ଦର ଜିନିସ ଅଛି ଯାହାକି କୌଣସି ସାହିତ୍ୟକର ନ ଜାଣିବା ଖାଲି ଅଯୋଗ୍ୟତା ନୁହେ ଗୋଟାଏ ମସ୍ତ ବଡ଼ ପାପ । ମୁଁ ଖାଲି ଏତିକି କହୁଚି ଯେ ଓଡ଼ିୟା ଭାଷାରେ ଓଡ଼ିୟା ସାହିତ୍ୟର ଶ୍ରୀ ଓ କଳେବର ବୃଦ୍ଧି କରିବାକୁ ଚାହେଁ, ତା ପକ୍ଷରେ ପ୍ରଥମେ ଓଡ଼ିୟା ଭାଷାରେ ନିଜର ଭାଷାକୁ ଅନୁପ୍ରାଣିତ କରି ତା ପରେ ଭାବ ନିମନ୍ତେ ଅନ୍ୟ ଭାଷା ଓ ସାହିତ୍ୟରେ ପଶିପାରେ, ଏଇମାତ୍ର ।

କପିଳେଶ୍ୱର– କିନ୍ତୁ ରାଧାନାଥଙ୍କ ଠାରୁ ଆରମ୍ଭକରି ଅ– ରାୟଙ୍କ ପର୍ଯ୍ୟନ୍ତ ଅନେକ ବଙ୍ଗାଳି ଲେଖକ ଓଡ଼ିୟା ସାହିତ୍ୟର ଶ୍ରୀ ବୃଦ୍ଧି କରିଚନ୍ତି । ଆମ୍ଭମାନଙ୍କର ମନେ ରଖିବା ଉଚିତ ଯେ ସେମାନେ ବଙ୍ଗାଳି । ସେମାନଙ୍କ ଲେଖାରେ ବେଳେ ବେଳେ ବଙ୍ଗଳା ବିଧି ଓ ଶବ୍‌ଦ ପଶିଯାଇ ପାରେ । ତାକୁତ ମାନିବାକୁ ଆପଣ ରାଜି ?

ମାଧବ– ନା, ତାକୁ ମାନିନବାକୁ ମୁଁ ରାଜି ନୁହେଁ ।

କପିଳେଶ୍ୱର– କି ତା ହେଲେ ତୁମେ କଣ କହିବାକୁ ଚାହଁ ଯେ ସେମାନେ ଦୟାକରି ଓଡ଼ିଆ ସାହିତ୍ୟର ଚର୍ଚ୍ଚା କଲେ ବୋଲି ତାଙ୍କ ମାତୃ ଭାଷା ଛାଡ଼ିଦେବେ ? କି କୃତଘ୍ନତା !

ମାଧବ– ଏଥିରେ କୃତଘ୍ନ, ଅକୃତଘ୍ନ ହବାର କୌଣସି କାରଣ ନାହିଁ ଯଦି କୌଣସି ବଙ୍ଗାଳି ବନ୍ଧୁ ପ୍ରକୃତରେ ଏ ସାହିତ୍ୟର ଉନ୍ନତି ନିମନ୍ତେ ଲେଖିବାକୁ ଯାନ୍ତି, ତା ହେଲେ ତାଙ୍କର ବୁଝିବା ଉଚିତ ଯେ ସେ ଓଡ଼ିଆ ଲେଖିବେ, ବଂଗଳା ନୁହେଁ । ପ୍ରକୃତରେ ସାଧୁ ଉଦ୍ଦେଶ୍ୟ ପୋଷି ଏବଂ ଓଡ଼ିଆ ସାହିତ୍ୟ ପ୍ରତି ବାସ୍ତବ ଆନ୍ତରିକତା ସହିତ ଯେ ଓଡ଼ିଆ ଲେଖିବ, ସେ ବଙ୍ଗଳା ତା ଭିତରେ ପୁରାଇ ପାରିବ ନାହିଁ । ଉଦାରହଣ ସ୍ୱରୂପ ରାଧାନାଥ, ପ୍ୟାରିମୋହନ ଓ ରାମଶଙ୍କର । ସେମାନଙ୍କ ଭାଷାରେ ତୁମେ ଗୋଟିଏ ବଙ୍ଗଳା ଶବ୍‌ଦ ବା ବିଧି ପାଇବ ନାହିଁ । କିନ୍ତୁ ଯେଉଁମାନେ ନିଜ ଜାତି ଓ ସାହିତ୍ୟର ବଢ଼େଇ କରିବା ପାଇଁ ଓଡ଼ିଆ ସାହିତ୍ୟ ଓ ଜନ ସାଧାରଣଙ୍କ ପ୍ରତି ଅନୁଗ୍ରହ କରି ଓଡ଼ିଆରେ ଲେଖିବାକୁ ଇଚ୍ଛା କରନ୍ତି–ସେହି ମାନଙ୍କର ଭାଷାରେ ବଂଗଳାର ପାଦୁର୍ଭାବ ବେଶୀ । ଓଡ଼ିଆ ସାହିତ୍ୟ ତାର ଅଙ୍ଗ ପୃଷ୍ଟି ନିମନ୍ତେ କାହାରି ଅନୁଗ୍ରହକୁ ଅପେକ୍ଷା କରେ ନାହିଁ । ପ୍ରକୃତରେ ଭିକ ମାଗି ପେଟ ପୋଷେ ନାହିଁ । ଅନୁଗ୍ରହିତ ଓଡ଼ିଆ ସାହିତ୍ୟ କେବେ ଉନ୍ନତ ହୋଇ ପାରିବ ନାହିଁ ।

ଏତିକି ବେଳେ ପଛଆଡ଼ୁ ଜଣେ କୁଲିଙ୍କ ଭିତରୁ ଉଠିପଡ଼ି କହିଲେ, ‘‘ଆଜ୍ଞା, ଆପଣମାନେ ଯେ ସବୁ ବୋଲା ବୋଲି ହଉଚନ୍ତି, ଆମେ ମୁର୍ଖ ଗୁଡ଼ାକ ସେଥିରୁ କିଛି ବୁଝି ପାରିଲୁ ନାହିଁ । ଆମର ଯେପରି ମନେ ହଉଚି, ଆପଣମାନେ ନିଜ ନିଜ ଭିତରେ ଗାଳି ଦିଆ ଦେଇ ହଉଚନ୍ତି । କଳିଗୋଳ ଶୁଣିବାକୁ ଭଲଲାଗେ । କିନ୍ତୁ କଳିଗୋଳଟା ବୁଝିପାରିବା ପରି ଭାଷାରେ ହବା ଉଚିତ । ତା ନ ହେଲେ ବିରାଡ଼ି କଳିପରି ସେଗୁଡ଼ାକ ଖାଲି ବିରକ୍ତ ଲାଗିବ । କଣ ରାଧାନାଥ ଉପେନ୍ଦ୍ରଭଞ୍ଜଙ୍କ କଥା ପଡ଼ିଥିଲା । ମୁଁ ଥରେ ରାଧାନାଥଙ୍କ ବହି ପଢ଼ିଥିଲି । ଦେଖିଲି ସେଥିରେ ସବୁ ମାଈକିନିଆ ଗୁଡ଼ିକ ଦୋଚାରୁଣୀ । ତା ନା କଣ ? ସେଇମ, ଯେ ଚୁଡ଼ଙ୍ଗଦେବଙ୍କ କୁଟୁଣୀ ହବା ପାଇଁ ରାଜ୍ୟ ସମ୍ପଦ ଶେଷକୁ ବାପର ଜୀବନ ପର୍ଯ୍ୟନ୍ତ ଦେଇଦେଲା । ନନ୍ଦିକା ? ହଁ, ହଁ, ନନ୍ଦିକା । ବାପରେ, ଏଡ଼େ ଅଲାଜୁକି ସେ ମାଈକିନିଆ । ତା ଉତ୍ତାରୁ ଗୌରୀ । ଛି, ଛି, ଲଳିତାର କଥା ମନେପଡ଼ିଲେ ମୁଣ୍ଡ ନଇଁଯାଏ । ରଜା ଘର ଝିଅ, ପାଠ ଶାଠ ପଢ଼ି ଭିତରେ ଭିତରେ ଏଇ କଥା । ପାର୍ବତୀ କଥା ତ ନ କହିବାହିଁ ଭଲ । କାରଣ ସେ କଥା ତୁଣ୍ଡରେ ଧଇଲେ ବି ପାପ । କିନ୍ତୁ ବାବୁମାନେ ସେ ତୁମକୁ ସୁନ୍ଦର ଲାଗିଲା । ଉପେନ୍ଦ୍ରଭଞ୍ଜର ଲାବଣ୍ୟବତୀ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ପ୍ରେମସୁଧାନିଧି ଏଥିରେ ସବୁ ନାୟିକାମାନେ ବାହା ନ ହେଲେ ନାୟକମାନଙ୍କ ପାଖକୁ ଯାନ୍ତି ନାହିଁ କି କଥାବାର୍ତ୍ତା ମଧ୍ୟ ହୁଏ ନାହିଁ । ବାହାହେଲା ଉତ୍ତାରୁ ସେ ତାଙ୍କ ଶୋଇଲା ଘରେ ଯାହା କଲେ, ସେଗୁଡ଼ାକ କଣ ତୁମେ ସବୁ କର ନାହିଁ ହେ ବାବୁ, ତୁମ ବାବୁଆଣୀମାନଙ୍କ ସାଙ୍ଗରେ ! ଅଥଚ ସେଗୁଡ଼ାକ ଅସୁନ୍ଦର । ହଉ ହଉ ବାବୁ । ଯେଝା ରୁଚି ତାକୁ । ତେବେ ତା ଲାଗି ବାଡ଼ିଆବାଡ଼ି କଥାରେ ହେଲେ କଣ ହବ ବାବୁମାନେ, ସେତିକି ଯଦି କରେଇ ଦିଅନ୍ତେ, ବାହା ବୁଢ଼ା ନ ହେଇ ଯଦି ଇମିତି ପିରିତି ଲାଗିବାର ବ୍ୟବସ୍ଥାଟା କରାଇ ପାରନ୍ତ, ତା ହେଲେ ଆମେ ଗରିବ ବାପୁଡ଼ାତକ ରକ୍ଷା ପାଇ ଯାନ୍ତୁ । ପିଲା, ମାଇପ, ଭାଇ ଭଉଣୀଙ୍କ କାଉ କାଉରେ ଝାଣି ଝାଣି ହୋଇ ଆମେ ସବୁ ଆଉ ଏ କଲିକତା ସହରରେ ଚାବୁକ ଗୋଇଠା ଖାଇ ମରି ବୁଲନ୍ତୁ ନାହିଁ । ଆଶାକରି ଆସିଥିଲୁ, ଆମେ ଗରିବ ବାପୁଡ଼ାଙ୍କ କଥା କିଛି ବୁଝିବ ବୋଲି । ତା ତ ହେଲା ନାହିଁ, ଆଜି ମଜୁରିରୁ ଅଣାଟିଏ ଖାଲି ତୁମ ପେଟକୁ ଗଲା ।’’ ବାବୁ-ଭାୟା ମାନେ ସମସ୍ତେ ଏକ ସ୍ୱରରେ ହେ, ଛୋ, ଏଉଟା କିଏରେ ? ବାହାର କରିଦିଅ ହାଡ଼-ପୋ କେଉଁଠି ତାକୁ ଦୂର ଦୂର ମାର ମାର କଲେ-। ସେ ବିଚରା ପଳାଇଗଲା । ଗଲାବେଳେ ଭଟର ଭଟର କରି ଯାହା କହିଗଲା, ସେ ଗୁଡ଼ାକ ଶୁଣିଥିଲେ ବାବୁମାନଙ୍କର ମନକୁ ପାଇ ନଥାନ୍ତା ପରା ।

ତା ପରେ ସଦାଶିବ ବାବୁ ଉଠିଲେ । କହିଲେ, ‘‘ଭାଇମାନେ ! ଏ ଯୁକ୍ତି ତର୍କତ ସରିଲା-। ସଭାପତି ଭାବରେ ମୋର ପଦେ ଅଧେ କହିବାର କଥା । ମୁଁ ସେହି ହେତୁରୁ କହିଥିଲି ଯେ ଏ ସବୁ ବିଷୟରେ ସମାଧାନ କରି ଗୋଟାଏ ଆଦର୍ଶ ଠିକ କରିବା ପାଇଁ ଗୋଟାଏ ସଭା ବସା-।’’ ସେଇଠି ଠକ୍ କରି ଅଟକିଗଲେ । ତାଙ୍କ ମୁହଁ କଳା ପଡ଼ିଗଲା । ପାଟି ଖନି ମାରିଗଲା ଆଖିଗୁଡ଼ାକ ଯେପରି କୋରଡ଼ ଭିତରୁ ଛିଟିକି ବାହାରି ଆସୁଚି ସେହିପରି ହୋଇ ସେ ବାହାର ଦୁଆର ଆଡ଼କୁ ଚାହିଁ ରହିଲେ । ଟିକିଏ ମାତ୍ର । ଯେପରି ସେ ଭୂତ ଦେଖିଛନ୍ତି । ଦୁଆର ପାଖରେ ଆଉ କେହି ନଥିଲେ । ମାତ୍ର ଧୋଇବାବୁ । ମୁହୂର୍ତ୍ତେ ମାତ୍ର ଚାହିଁଦେଇ ଧୋଇବାବୁ ଚାଲିଗଲେ । ସଦାଶିବବାବୁ ଆଉ କିଛି କହିପାରିଲେ ନାହିଁ । ତାଙ୍କର ଏ ଭାବ ଦେଖି ବ୍ରଜବାବୁ ତାଙ୍କ ପାଖକୁ ଉଠିଗଲେ କହିଲେ, ‘‘କଣ ହେଲା’’ କଣ ହେଲା । ଆପଣଙ୍କର ସଦାଶିବ ବାବୁ ନାଇଁ, ମୋ ଦେହଟା କିପରି ଝିମି ଲାଗୁଚି । ମୁଁ କିଛି କହିପାରିବି ନାହିଁ । ଖଣ୍ଡେ ଗାଡ଼ି ଡାକିଦିଅ, ମୁଁ ବସାକୁ ଫେରିଯିବି ।

Image

 

୧୪

 

‘‘ଶ୍ୟାମ, ଶ୍ୟାମ ! ଆଲୋ ଏ ବୋହୁ, ଶ୍ୟାମ ଗଲା କେଣେ ?’’ ଶ୍ୟାମ ବାବୁଙ୍କର ମା । ପାଚିଲା ଆମ୍ବପରି ଗୋରୀ ତୋରି, ଚମ ଧୁଡ଼ୁ ଧୁଡ଼ୁ । ବୁଢ଼ୀ ତୁଳସି ଚୌରାମୂଳେ ବସି ମାଳି ଗଡ଼ଉ ଗଡ଼ଉ କଣ ମନେ ପଡ଼ିଗଲା କେଜାଣି ପୁଅକୁ ଡାକ ପକେଇଲେ । ବୋହୁ କୁମୁଦିନୀ ଦେବୀ ଅଗଣାରେ ବସିଥାନ୍ତି । ଦୁଇ ବର୍ଷର ପିଲାଟିଏ ଠୁକୁରୁ ଠୁକୁରୁ ହୋଇ କେତେବେଳେ ଧାଉଁଚି, କେତେବେଳ ଚକା ଭଉଁରି ବୁଲୁଚି । ବୁଢ଼ୀଙ୍କ ଡାକକୁ ଛଡ଼େଇ ନେଇ ପିଲାଟି ଖତେଇ ହୋଇ କହିଲା । ‘‘ଛାମ, ଛାମ ।’’ କୁମୁଦିନୀ ଶାଶୁଙ୍କ ପ୍ରଶ୍ନ ଶୁଣି କହିଲେ, ମୁ କିମିତି କହିବି ମା, ସେ କେତେବେଳେ କେଣେ ଯାଉଚନ୍ତି, କି କରୁଚନ୍ତି ମତେ କି ହିସାବ ଦିଅନ୍ତି ?’’ କୁମୁଦିନୀ ଦେବୀ ବୟସ ଉଣିସି ଭିତରେ । ଆଉଟା ସୁନାର ବର୍ଣ୍ଣ, ସଜ ପଦ୍ମଫୁଲ ପରି ଉଜ୍ଜ୍ୱଳ, ତରଳ ଚଞ୍ଚଳ ମୁହଁଟିରେ ଥରଥର ଢଳ ଢଳ କଳା ଡୋଳା ଯୋଡ଼ିକ ରାତିର ଶିଶିର ବିନ୍ଦୁ ଦୁଇଟିପରି ଜଳ ଜଳ କରୁଚି । କଥା କହିଲା ବେଳେ କି ହସିଲା ବେଳେ ତାଙ୍କ ଗଣ୍ଡଦେଶରେ ଦୁଇପଟେ ଦୁଇଟି ଖାଲ ହୋଇଯାଏ ଆଉ ସେତେବେଳେ ନାଲି ଓଠ ଦୁଇଟି ଏପରି ଭାବରେ କୁଞ୍ଚି ହୋଇଯାଏ ଯେପରିକି ସେ ଚୁମ୍ବନ ଦବାପାଇଁ ପ୍ରସ୍ତୁତ ହେଉଛନ୍ତି । ଦାନ୍ତ ଗୁଡ଼ିକ ସାମାନ୍ୟ ପାନ ବୋଳରେ ରକ୍ତ ଜବାର ରଙ୍ଗ ଛଡ଼ାଇ ନେଇଚି । ହାତରେ ଚିତାକୁଟା । ଚିବୁକରେ କଳାଜାଇ ମନ୍ଦାଟିଏ । ବୁଢ଼ୀ ତାଙ୍କ ଆଡ଼କୁ ସ୍ନେହର ଗୋଟିଏ ତରଳ ଚାହାଣି ମାରି କହିଲେ, ‘‘ଏଇଠାରେ ତ ତୋର ଦୋଷ, ତୋର ଭୁଲ । ତୁ ପିଲା । ବୁଝିପାରୁନାହୁଁ । ପୁରୁଷ ଜାତି ସେଉଳମାଛ ପରି ବଡ଼ ଖସଡ଼ିଆ । ଟିକିଏ ହାତ ମୁଠା କୋହଳ ହେଲେ ସେ ମାରିବେ ଏପରି ଡିଆଁ ଯେ ଆଉ ହଜାରେ ଖୋଜିଲେ ପାଇବୁ ନାହିଁ । ମୋର ମନେ ଅଛି ତୋ ଶଶୁର ଠିକ୍ ଏ ଶ୍ୟାମପରି ଥିଲେ । ନିଶା ଖାଇବା, ତିର୍ଲା ଖୋଜିବା ତାଙ୍କର ସ୍ୱାଭାବ । କିନ୍ତୁ ତାଙ୍କ ଜୀବନ ନାଟିକା ମୁଁ ଏପରି ଚିପି ଧରିଥିଲି ଯେ ଯେ ମତେ ଡରି ଡରି ଚଳୁଥିଲେ ମୁଁ ଉଠୁ କହିଲେ ଉଠିବେ, ବସ କହିଲେ ବସିବେ ।’’

 

କୁମୁଦିନୀ– କିନ୍ତୁ ମା, ସେଥିରେ ଲାଭ କିସ ? ସେ ଯଦି ତାଙ୍କ ମନକୁ ମତେ ଭଲ ନ ପାନ୍ତି, ତାଙ୍କୁ ବାଧ୍ୟକରି କି ମୁଁ ସ୍ନେହ କରାଇପାରିବି । ତୁମରି କଥାରେ, ହେଲା ମୁଁ କଥାରେ, ଛକରେ ଋଷାରେ ତାଙ୍କୁ ଜବତ କଲି, କିନ୍ତୁ ସେଥିରେ କିସହବ ? ତାଙ୍କ ମନ ଯେବେ ମତେ ଛାଡ଼ି ଆଉ କାହା ଆଡ଼କୁ ଯାଏ, ତା’ ହେଲେ ତାଙ୍କୁ ଏପରି ଜବତ କରିବାରେ ତାଙ୍କ ମନ ମୋ ଆଡ଼କୁ ଫେରି ଆସିବ ନାହିଁ । ବରଂ ଡରି ମରି ରହିଲେ ମଧ୍ୟ ସେ ମନେ ମନେ କାନ୍ଦୁଥିବେ, ମତେ ବିରକ୍ତ ହଉଥିବେ । ମତେ ଅଭିଶାପ ଦେଉଥିବେ । ସେଥିରେ ମୋର କି ସୁଖ ? ଆଉ ତାଙ୍କର ବା କି ସୁଖ-

 

ବୁଢ଼ୀ– ପୁରୁଷ ଗୁଡ଼ାଙ୍କର ପୁଣି ମନ କିସ ଲୋ ‘ମ’ ଆମ ମନରେ ତ ତାଙ୍କ ମନ । ତୁ ଇମିତି କଲେ ଚଳିପାରିବୁ ନାଇଁ ମା, ମୁ ଶ୍ୟାମକୁ ବେଶ୍ ଜାଣେ, ତୁ ଟିକିଏ ଟାଣୁଆ ନହେଲେ ସେ ତତେ ଫାଙ୍କି ଦବ । ବାର ହିନି ଅବସ୍ଥା ହବୁ । ଏତିକିବେଳେ ପିଲାଟି ତାଳିଦେଇ କହି ଉଠିଲା ‘‘ଥିକ୍ ଥିକ୍’’ ବୁଢ଼ୀ କହିଲେ ‘‘ଶୁଣିଲୁ ମୋ, ପିଲା ତୁଣ୍ଡରେ ନିଜେ ଠାକୁର କହିଦେଲେ’’ । କୁମୁଦିନୀ ପିଲାଟିକୁ କୋଡ଼କୁ ଟାଣିନେଇ ଗୋଟିଏ ଚୁମଖାଇ କହିଲେ ‘‘ହଇରେ ଟୁନୁ ବାପା ପଦି ଆମକୁ ନ ପଚାରିବେ କିସ କରିବା କହିଲୁ ପିଲାଟି ବାପାକଥା ଶୁଣିଲାକ୍ଷଣି ‘‘ବାପା ଇବି’’ ମୁଁ ବାପା ଇବି, କହି ଅଜଟ ହୋଇ ବସିଲା । କୁମୁଦିନୀ ‘‘ଦୂର ଦୁଷ୍ଟ ପିଲା’’ କହି ତାକୁ କାଖେଇ ପକେଇ ଏଣୁ ତେଣୁ ନାନା କଥା କହି ତା ମନ ବହଲେଇବାକୁ ଲାଗିଲେ । ଏତିକିବେଳେ ଶ୍ୟାମ ବାବୁ ଆସି ବାଟଘର କବାଟ ପାଖରେ ଠିଆ ହୋଇ ଚାହିଁ ଦେଲେ ମା’ପିଲାଙ୍କର ଏଇ କାଣ୍ଡ ଲାଗିଚି । ତାଙ୍କର ଚକ୍ଷୁ ସ୍ନେହ ଓ ଅଭିଳାସରେ ଉଜ୍ଜ୍ୱଳ ହୋଇ ଉଠିଲା । କୁମୁଦିନୀ ଦେଖିଲେ ସ୍ୱାମୀ ଦୁଆର ମୁହଁରେ । ସେ ସ୍ୱାମୀଙ୍କ ଆଡ଼କୁ ବୁଲିପଡ଼ି ମୁହଁରେ ଚୁମ୍ବନର ଚିହ୍ନ ଦେଖାଇ ଜୀବନ୍ତ ବିଜୁଳି ପରି ସେ ସ୍ଥାନରୁ ପଳାଇ ଗଲେ । ପିଲାଟିକି ତଳେ ଥୋଇଦେଇ ଯାଇଥିଲେ । ସେ ବାପାକୁ ଦେଖି ‘‘ବାପା, ବାପା’’ କହି ଧାଇଁ ଯାଇଁ ଶ୍ୟାମବାବୁଙ୍କର ଦିଗୋଡ଼କୁ ତାର ଛୋଟ ଛୋଟ କୋମଳ ହାତ ଦୁଇଟିରେ କୁଣ୍ଢାଇ ପକାଇଲେ । ଶ୍ୟାମବାବୁ ପୁଅକୁ କାଖେଇ ପକେଇ ଗୋଟିଏ ଚୁମା ଖାଇଲେ ଓ ଚାଲି ଚାଲି ମାଙ୍କ ପାଖକୁ ଗଲେ । କହିଲେ, ‘‘ମା, ମତେ ଖୋଜୁଥିଲ ।’’ ବୁଢ଼ୀ ମୁଣ୍ଡ ହଲାଇ ତୁଳସି ମାଳାଟି ତାଙ୍କ କୋଥଳିରେ ଥୋଇ କହିଲେ ‘‘ହଁ, ବାପ, ମୁ ତ ବୁଢ଼ୀ ହେଲିଣି ଆସି । ଏ ଘର ଜଞ୍ଜାଳରେ କେତେଦିନ ଝାଣି ଝାଣି ହେବି । ମୋର ଇଚ୍ଛା, ଏ ଦିନ କେତୋଟି ପୁରୀରେ ମହାପ୍ରଭୁଙ୍କ ଚରଣତଳେ କଟାଇ ଦିଅନ୍ତି । ମତେ ପୁରୀ ନେଇ ଛାଡ଼ିଦେଇଆ ବାପ ।’’ ଶ୍ୟାମ ବାବୁଙ୍କ ମୁହଁ ଗମ୍ଭୀର ହୋଇଗଲା । ସେ କିଛି ସମୟ ଚକିତ ପରି ବସି ରହି କହିଲେ, ଆଉ କିଛିଦିନ ଯାଉ, ସେ ଦେଖା ଯିବ ।

 

ବୁଢ଼ୀ– ନା, ଆଉ କିଛିଦିନ ଗଲାବେଳକୁ ହୁଏତ ମୁଁ ମରି ଯାଇଥିବି । ମୁଁ ଏଇ ପନ୍ଦର ଦିନ ମଧ୍ୟରେ ଯିବି, ତୁ ସବୁ ସଜିଲ କର ।

 

ଶ୍ୟାମ– ମୋ ପାଖରେ ତ ପଇସା ପତ୍ର ଇଲେ ନାହିଁ ।

 

ବୁଢ଼ୀ– କି, ତୋର ମଦ ଖାଇବାକୁ ପଇସା ପତ୍ର ଅଛି, ଆଉ ମୋର ଧର୍ମ କାର୍ଯ୍ୟକୁ ପଇସା ନାହିଁ । ପନ୍ଦରଦିନ ମଧ୍ୟରେ ତୁ ମେତେ ପୁରୀରେ ରଖିଆ, ନହେଲେ ଭଲ ହବନାଇଁ, କହି ରଖୁଚି ।

 

ଶ୍ୟାମବାବୁ ଦେଖିଲେ ଏ ପନ୍ଥା ଧରି କିଛି ଲାଭ ନାହିଁ । ସେ ପୁଣି କହିଲେ ତା ବା ହେଲା । କିନ୍ତୁ ତୁମେ ସେଠି ଚଳିବ କିପରି ? ବୁଢ଼ୀ ମଣିଷ, ଅଜଣା ରାଜ୍ୟ ।

 

ବୁଢ଼ୀ– ସେ ଚିନ୍ତା କରିବା ତୋର ଦରକାର ନାଇ । ମୁଁ ସାଙ୍ଗରେ ମଧୁଆକୁ ଆଉ ରାମା ମା’କୁ ନେବି । ମେତେ ମନ୍ଦିର ପାଖରେ ଖଣ୍ଡିଏ ଘର ଭଡ଼ା କରିଦେଲେ ଆମେ ସବୁ ବେଶ୍ ଚଳିଯିବୁ । ମୂଳକଥା ପଇସା । ଘରଭଡ଼ା, ଆମର ଚଳିବା ଖର୍ଚ୍ଚ ଆଉ ମୋର ଦାନଧର୍ମ ପାଇଁ ମାସରେ ଅନ୍ତତଃ ଟ୮୦ ଦରକାର ।

 

ଶ୍ୟାମ– ଟ୮୦ ଟଙ୍କା ? ପ୍ରତି ମାସରେ ଟ୮୦ ଦବାପାଇଁ ମୋର ସଂସ୍ଥାନ ନାଇଁ ମା-?

 

ବୁଢ଼ୀ– ସେ ସବୁ କଥା ମୁଁ ଜଣେ ନାଇଁ । ତୁ ଚୋରି କର, ନାରୀକର, ମତେ ଦବାକୁ ହବ । ତୁ ଆଉ ପୁଅ ହୋଇ ମୋର କଲୁକଣ ?

 

ଶ୍ୟାମବାବୁ ଗମ୍ଭୀର ହୋଇ କିଛି ସମୟ ବସି ରହିଲେ । କଣ ଯେପରି କହିବାକୁ ମନ କରୁଛନ୍ତି, ପୁଣି ଭୟରେ କହି ପାରୁନାହାନ୍ତି । ଶେଷରେ ସାହାସ ଭିଡ଼ି କହିଲେ । ମା, ମୁଁ ଗୋଟିଏ କଥା ଭାବୁଚି । ତୁମେ ଯେବେ ସେଥିରେ ମତ ଦବ, ତା ହେଲେ ଆମର ଆଉ ଏ ଅସୁବିଧା ଅଭାବ ରହିବ ନାହିଁ ।

 

ବୁଢ଼ୀ– ସେ କି କଥା ?

 

ଶ୍ୟାମ– ତୁମେ ଜାଣ ପ୍ରମିଳାର ସମ୍ପତ୍ତି ମୁଁ ବର୍ତ୍ତମାନ ବୁଝା ସୁଝା କରୁଚି । କିନ୍ତୁ ପ୍ରମିଳା ଯେପରି ନିଆଁଗିଳା ଟୋକି, ସେ ସମ୍ପତ୍ତିର ଆୟରୁ ବେଶୀ କିଛି ହାତ ମାରିବା ସମ୍ଭବ ହଉନାହିଁ । ଯଦି ପ୍ରମିଳାକୁ ମୁଁ ବାହା –

 

ବୁଢ଼ୀ– ପାଗଲ ହେଲୁ ନା କିସ ? ବୋହୂମାର ଅବସ୍ଥା କି ହବ ? ଟୁଣୁର ଅବସ୍ଥା କି ହେବ ?

 

ଶ୍ୟାମ– ବୋହୂମା ତ ଘରର ମୁରବି । ଘରର ମୁରବିହିଁ ରହିବ ଚିରଦିନ । ମୁଁ ତ ପ୍ରମିଳାକୁ ସ୍ନେହକରେ ବୋଲି ତାକୁ ବାହା ହବାକୁ କହୁ ନାହିଁ । ବରଂ ମୁଁ ତାକୁ ଅନ୍ତରର ସହିତ ଘୃଣା କରେ । ଖାଲି ତାର ସମ୍ପତ୍ତିଟା ହେତୁରୁ ମତେ ୟା କରିବାକୁ ପଡ଼ୁଚି । ଥରେ ବିବାହଟା ହୋଇ ଗଲେ ସମ୍ପତ୍ତି ମୋ ହାତକୁ ଆସନ୍ତା । ତା ପରେ ଦେଖନ୍ତି ସେ ଟୋକି କେଡ଼େ ଜବରି !

 

ବୁଢ଼ୀ– କିନ୍ତୁ ଶ୍ୟାମ ଭାବି ଦେଖିଚୁ, ତୁ କିସ କରିବାକୁ ଯାଉଚୁ ! ପ୍ରମିଳାର ମା ମଲାବେଳେ ବିଶ୍ୱାସକରି, ତାର ଝିଅ, ଆଉ ସମ୍ପତ୍ତି ବାଡ଼ି ତୋ ଜିମା କରିଦେଇଚି । ତୁ ଏ ଯେ ମତ୍‌ଲବଧରିଛି ଏ ବିଶ୍ୱାସରେ ବିଷ ଖାଇବା କଥା । ମହାପାପ ।

 

ଶ୍ୟାମ– ତୁମେ ତ ଇଲାଗେ କହିଲ ଯେ ମୁଁ ଚୋରି କରେ ନାରୀ କରେ, ତୁମକୁ ପଇସା ଜୋଗାଇବାକୁ ହବ ବୋଲି । ଆଉ ଏତେ ବେଳକୁ ପାପ ପୂଣ୍ୟ ର କଥା ପଡ଼ିଲା କେବେ-? ତା ପରେ ମା, ଏହିପରି ଗୋଟାଏ କିଛି ଉପାୟ ନ କଲେ ଆଉ ବର୍ଷ ତିନି ଚାରିଟାରେ ଯେ ମତେ ଦାଣ୍ଡରେ ବସିବାକୁ ହବ ।

 

ବୁଢ଼ୀ– ଦାଣ୍ଡରେ ବସିବାକୁ ହବ ? ତୁ କିସ କହୁଚୁ ଶ୍ୟାମ ? ଆ ର ଜମିଦାରୀ ଥାଉଁ ଥାଉଁ.....

 

ଜମିଦାରୀ ଆଉ ନାଇଁ ମା । ସରକାରି ରାଜସ୍ୱ ଦୁଇ କିସ୍ତିର ତୁଟାଇ ନ ପାରି ଜମିଦାରୀ ରାୟସାହେବ ମହାଦେବ ପରିଡ଼ାଙ୍କୁ ବନ୍ଧକଦେଇ ଗୁଜୁରାଣ ମେଣ୍ଟେଇଚି । ଏଣେ ପ୍ରଜାମାନେ ଖଜଣା ଦବାକୁ ନାହାନ୍ତି । ନାଲିସକରି ଖଜଣା ଆଦାୟ କରିବାକୁ ମଧ୍ୟ ମୋ ପାଖରେ ପଇସା ନାହିଁ-। ତା ଉପରେ ଏତେ ବଡ଼ ସଂସାରର ଖର୍ଚ୍ଚ ।

 

ବୁଢ଼ୀ– ସେଇ ଜମିଦାରିର ଆୟରୁ ତୋର ବାପା ରାଜସ୍ୱ ଦେଇ ଘର ସଂସାର ରଜା ଭଳି ଚଳେଇ କିଛି ମହାଜନୀ ବି କରୁଥିଲେ । ଆଉ ତୁ ତାର ଆୟରୁ ରାଜସ୍ୱ ମଧ୍ୟ ଦେଇ ପାରିଲୁ ନାଇଁ ?

 

ଶ୍ୟାମ– ଆୟ କାହିଁ ମା ? ଆଜିକାଲି ଯେପରି ସମୟ ପଡ଼ିଚି, ସେଥିରେ ପ୍ରଜାଙ୍କ ହାତରେ ପଇସା ନାଇଁ । ଧ୍ୟାନ ମହନ ଦଶଣା ବାରଣା । ସେ ଖଜଣା ଦବାକୁ ପଇସା ନାହାନ୍ତି । ଧାନ ଯାହା ତାକୁ ଶାଗ ମାଛ ମୂଲ୍ୟରେ ବିକିଲେ ବି ଗୁଜୁରାଣ ମେଣ୍ଟିବା ଅସମ୍ଭବ । ବୁଢ଼ୀ ଅନେକ ସମୟ ନୀରବ ହୋଇ ରହିଲେ । ତା ପରେ କହିଲେ, ‘‘ତା ହେଲେ କି ଏ କଥା ଛଡ଼ା ଆଉ କିଛି ଉପାୟ ତୋର ନାଇଁ ?’’

 

ଶ୍ୟାମ– ଆଉ କିଛି ଥିଲେ କି ମୁଁ ୟା କରିବାକୁ ଯାନ୍ତି ।

ବୁଢ଼ୀ ଡାକିଲେ, ‘‘ବୋହୂ, ଆଲୋ ବୋହୂ, ଏଆଡ଼େ ଆସିଲୁ !’’

 

କୁମୁଦିନୀ ଧୀର ମନ୍ଥର ଗତିରେ ଆସିଲେ । ସ୍ୱାମୀଙ୍କ ଆଡ଼କୁ ଟିକିଏ ଚାହିଁ ଓଢ଼ଣାଟି ଟାଣି ଶାଶୁଙ୍କ ପାଖରେ ଯାଇ ବସି ରହିଲେ । ତାଙ୍କର ସେ ଚାହାଣୀରେ କେତେ ଭର୍ତ୍ସନା, କେତେ ବେଦନା ଲୁଚିଥିଲା କେଜାଣି ଶ୍ୟାମ ବାବୁଙ୍କର ମୁହଁ ଶୁଖି କଳାକାଠ ପଡ଼ିଗଲା ।

 

ବୁଢ଼ୀ– ଶ୍ୟାମ କିସ କହୁଛି ଶୁଣିଚୁ ମା ?

କୁମୁଦିନୀ– ଶୁଣିଚି ! କବାଟ ଉହାଡ଼ରେ ଥାଇ ସବୁ ଶୁଣିଚି ।

ବୁଢ଼ୀ– ତୋର କି କିଛି କହିବାର ନାଇଁ ?

କୁମୁ– ନାଇଁ ମା ।

 

ବୁଢ଼ୀ ଆଶ୍ଚର୍ଯ୍ୟ ହୋଇଗଲେ । ବୋହୂ ମୁହଁକୁ ଚାହିଁ କହିଲେ, ‘‘ଏ କିସ ତ ମା ? ଏପରି ତ ମୁଁ କେବେ ଶୁଣି ନାହିଁ । ତୋର ମନରେ କିସ ଅଛି କହତ ମା ଖୋଲି ! ତୁ କଣ ଭାବିଚୁ ପ୍ରାଣ ହରେଇ ଦବୁବୋଲି ! ତା ନ ହେଲେ ଏତେ ଉଦାସିନୀ ହେବୁ କିପରି !’’

 

କୁମୁଦିନୀଙ୍କର ସ୍ୱର କାନ୍ଦି ଉଠିଲା । ଆଖି ଛଳଛଳ ହୋଇଗଲା । ସେ ପଣତ କାନିରେ ଆଖିର ଲୁହ ପୋଛିଦେଇ କହିଲେ, ‘‘ନାଇଁ ମା, ପ୍ରାଣ ହରେଇବାର ଇଚ୍ଛା ନାହିଁ । ତାର କାରଣ ପ୍ରଥମ ମୋ ଟୁନୁର କିସହେବ ! ସାବତ ମା ହାତରେ ପଡ଼ିଲେ ସେ କେଡ଼େ କଷ୍ଟ ନ ପାଇବ ! ଦ୍ୱିତୀୟରେ ମୁଁ ପ୍ରାଣ ହରେଇଦେଲେ ପ୍ରମିଳାର ଜିତ୍‌ହବ । ମୁଁ ତା ହବାକୁ ଦେବିନାଇଁ ସ୍ୱାମୀ ମୋର-! ମୁଁ ଯଦି ସତୀ ହୋଇଥିବି, ଯଦି ମୁଁ ପ୍ରକୃତରେ ସ୍ୱାମୀ ଦେବତାଙ୍କୁ ସମୁଦାୟ ମନ ପ୍ରାଣ ଦେଇ ଭଲ ପାଉଥିବି, ତା ହେଲେ ପ୍ରମିଳାର କି ସାଧ୍ୟ ସେ ମୋର ସ୍ୱାମୀଙ୍କୁ ମୋ ଠାରୁ ଛଡ଼ାଇନବ-! ଏ ସଂସାରରେ ତ ଗୋଟାଏ ଧର୍ମ ଅଛି ।

 

ବୁଢ଼ୀ ବୋହୂକୁ କୋଡ଼କୁ ଟାଣିନେଇ କହିଲେ, ‘‘ଧନ୍ୟ ମା ତୋ ଛାତିର ଦମ୍ଭ, ତୋର ପତିଭକ୍ତି ! ଏ କଳିକାଳରେ ଏପରି କଥା ବଡ଼ ବିଚିତ୍ର, ବଡ଼ ଅଦ୍ଭୁତ । ମୁଁ ଆଶୀର୍ବାଦ କରୁଚି ମା, ତୁ ସବୁଦିନେ ସ୍ୱାମୀ ପୁତ୍ର ଘେନି ସୁଖରେ ରହିବୁ ।’’ ତା ପରେ ଶ୍ୟାମ ବାବୁଙ୍କ ଆଡ଼କୁ ବୁଲିପଡ଼ି କହିଲେ, ‘‘ଶ୍ୟାମ, ଏପରି ଦେବୀ ସମାନ ସ୍ତ୍ରୀ ଛାଡ଼ି ଯେ ସମ୍ପତ୍ତିର ଆଶାରେ ମଧ୍ୟ ଅନ୍ୟ ସ୍ତ୍ରୀକୁ ନଜରଦିଏ, ମୁଁ ତାକୁ କହେ ପଶୁ, ପାଷଣ୍ଡ । ଯା, ତୁ ମୋ ଆଗରୁ ଦୂର ହ ! ତୋର ଯାହା ଇଚ୍ଛା, ତୁ କରିପାରୁ, କିନ୍ତୁ ମନେରଖିଥା, ଏ ସତୀ ରାଣୀର ମନରେ କଷ୍ଟ ଦେଇ ତୋର କଦାପି ମଙ୍ଗଳ ହବ ନାଇଁ !’’

Image

 

୧୫

 

ଯେଉଁ ଦିନ ସଦାଶିବ ବାବୁ ଓଡ଼ିଆ ସମାଜର ବିଶେଷ ଅଧିବେଶନରେ ବକ୍ତୃତା ଦେଇଥିଲେ ଏବଂ ଧୋଇବାବୁଙ୍କର ପ୍ରମଥ ବାବୁଙ୍କ ସହିତ ସାକ୍ଷାତ୍ କରିବାର ଦିନକ ପରର କଥା । ଦିନ ଦୁଇ ପ୍ରହର ପ୍ରାୟ । ଧୋଇବାବୁ ଖା ପିଅ ସାରି ଗୋଟିଏ ଆରାମ ଚୌକିରେ ବିଶ୍ରାମ ନେଉଛନ୍ତି । ଟିକିଏ ତନ୍ଦ୍ରା ମଧ୍ୟ ଆସି ଯାଇଚି । ସେ ସ୍ୱପ୍ନ ଦେଖୁଚନ୍ତି ଚାରିଆଡ଼େ ଅତଳ ସୁନୀଳ ଫେନିଳ ଜଳରାଶି । ମଝିରେ ଗୋଟିଏ ଦ୍ୱିପ । ନାନା ଜାତି ପୁଷ୍ପ ସମ୍ଭାରରେ ମଣ୍ଡିତ ସେ ଦ୍ୱିପଟି । ସେଥିରୁ ମଧୁ ଗନ୍ଧ ପବନରେ ଭାସି ଆସି ମନ ପ୍ରାଣ ପୁଲକିତ କରୁଚି । ଚାନ୍ଦୀନି ରାତି । ଉପରେ ସୁନୀଳ ଆକାଶରେ ସୁନିର୍ମଳ ଚନ୍ଦ୍ର ତାହାର ଶୋଭା ସମ୍ପଦ ବିସ୍ତାରି ରାଜତ୍ୱ କରୁଚି । ଚତୁର୍ଦ୍ଦିଗ ନିସ୍ତବ୍ଧ, ନୀରବ । ପାରିଜାତ ସୌରଭମୟ ସେହି ଦ୍ୱିପରେ ଗୋଟିଏ ରମଣୀ ମୂର୍ତ୍ତି । କି ସୁନ୍ଦର ଚେହେରା ! କି ଅନୁପମ ମାଧୁରୀ ! ଯେପରି ରମ୍ଭା କି ମେନକା ସ୍ୱର୍ଗରୁ ଓହ୍ଲାଇ ଆସି ଏଠାରେ ପୁଋରି ବାଙ୍କର ଆଗମନକୁ ପ୍ରତୀକ୍ଷା କରିଚନ୍ତି । ଆଉ ଧୋଇବାବୁ, ଉପାସନାଭରା ହୃଦୟରେ, ସୌନ୍ଦର୍ଯ୍ୟ ବିମୁଗ୍ଧ ମନରେ ତୂଳିକାଧରି ସେହି ଅପରୁପ ରୂପର ଠାଣି ଚିତ୍ର ପଟରେ ସଜୀବ କରିବାରେ ମଗ୍ନ । ଏହି ସମୟରେ ଗୋଟିଏ କୋମଳ ଶୀତଳ ରମଣୀ କର ତାଙ୍କ କାନ୍ଧରେ ଆସି ଅମୃତ ସିଞ୍ଚିଦେଇ ଗଲା । ସେ ଭାବିଲେ ସେଇ ସ୍ୱର୍ଗଅପ୍‌ସରି ଯେପରି ତାଙ୍କୁ ଆଦର ସୋହାଗ କରୁଚନ୍ତି । ସେ ଚମକି ଉଠିଲେ । ଆଖି ଖୋଲି ଦେଖିଲେ ସତକୁ ସତ ଗୋଟିଏ ରମଣୀ ମୂର୍ତ୍ତି । କିନ୍ତୁ ସେ ତାଙ୍କର ସ୍ୱପ୍ନର ରାଣୀ, ଧ୍ୟାନର ‘ଚିନ୍ତାମଣି’ ନୁହନ୍ତି । ସେ ପ୍ରମଥ ବାବୁଙ୍କର କନ୍ୟା ମେନକା । ମେନକାଙ୍କର ବେଶରେ ଆଜି ଟିକିଏ ବେଶୀ ପରିପାଟି । ତାଙ୍କର ଅଧରରେ ଟିକିଏ ବେଶୀ ରକମ ରଙ୍ଗ, ମୁହଁରେ ଟିକିଏ ବେଶୀ ରକମ ମୁହଁ ମଖା ଚୁନା । ତାଙ୍କର ଦେହରୁ ଚାମେଲି ଫୁଲର ଗନ୍ଧ ଭାସି ଆସୁଚି । ସେ ସ୍ୱପ୍ନ ସୁନ୍ଦରୀ ନ ହେଲେ ମଧ୍ୟ ଖୁବ୍ ସୁନ୍ଦର ଦେଖାଯାଉଚନ୍ତି କାଳିଦାସଙ୍କର ‘‘କି ମିବହମଧୁରଣଂ ମଣ୍ଡନଂ କାକୃତିନାଂ କଥାଟା ସେ ଯୁଗରେ ସତ ହୋଇ ପାରିଥିବ, କିନ୍ତୁ ଆଜିକାଲି ଯୁଗରେ ସୁନ୍ଦରୀକୁ ଆଉରି ସୁନ୍ଦର କରିବା ପାଇଁ ମଧୁରକୁ ଆଉରି ମଧୁର କରିବା ପାଇଁ କେତେ ସରଞ୍ଜାମ ବିଜ୍ଞାନର ଚେଷ୍ଟାରେ କେତେ ଉପାଦାନ ବାହାରିଲାଣି । ଧୋଇବାବୁ ଯୁବକ । ତାଙ୍କର ସେ ଅଭୃକ୍ତ ଯୌବନରେ ସେ କଳା ବିଦ୍ୟାରେ ବୁଡ଼ିରହି ରମଣୀ ପ୍ରଣୟ ସୁଖ ଚାଖିବାକୁ ନ ପାଇଥିଲେ ବା ଅଭିଳାଷ ନ କରିଥିଲେ ମଧ୍ୟ, ଯୁବକର ସ୍ୱଭାବିକ ଅଭିଳାଷ ଯେ ତାଙ୍କୁ ବେଳେ ବେଳେ ମତର ନ କରିଚି ଏବଂ ସେହି ଅଭିଳାଷର ମୋହରେ କ୍ଷଣକ ପାଇଁ ଅନ୍ଧ ହୋଇ ସେ ଯେ ରମଣୀର ଅମୃତମୟ ଅଧର ସୁଧା ପିଇବାକୁ ଇଚ୍ଛା ନ କରିଚନ୍ତି, ତାହା କହିବା ଯେପରି ଅସମ୍ଭବ ସେହିପରି ଅପ୍ରାକୃତିକ, ଅସତ୍ୟ, ଆଜି ଏଇ ମୁହୂର୍ତ୍ତରେ ତାଙ୍କର ସେଇ ଅଭିଳାଷ ସ୍ୱପ୍ନର ସେ ରମଣୀୟ ମୂର୍ତ୍ତି ଦେଖି ହୃଦୟରେ ଜାଗି ଉଠିଥିଲା । ତା ଉପରେ ମେନକାଙ୍କ ଅଙ୍ଗ ସୌରଭ ତାଙ୍କର ମୁଣ୍ଡରେ ପଶି ମୁଣ୍ଡଟାକୁ ଗରମ କରି ଦେଇଥିଲା । ବୋଧହୁଏ, ତାଙ୍କର ଶିଳ୍ପିଚକ୍ଷୁ ଦେଖିଲା ସୁଶୀଳା ପ୍ରକୃତରେ ସୁନ୍ଦରୀ । ତାଙ୍କର ଚକ୍ଷୁରେ ପ୍ରକୃତ ସୁଧାରସ, ତାଙ୍କର ଦେହରେ ପ୍ରକୃତରେ ଯୌବନର ଓ ଜୀବନର ଉଷ୍ଣ ବିଦ୍ୟୁତ୍‌ଶକ୍ତି ପ୍ରକାଶ ପାଇ ଯାଉଚି । ସେହି ମୁହୂର୍ତ୍ତର ସେଇ ଉନ୍ମାଦନାରେ ପାଗଳ ହୋଇ ଧୋଇବାକୁ ମେନକାଙ୍କର ହାତଟି ଧରି ତାଙ୍କ ଆଡ଼କୁ ଟାଣି ଆଣିଲେ । ମେନକା ମଧ୍ୟ ଟିକିଏ ମୁରୁକି ହସ ଦେଖାଇ ବିନା କଥାରେ ତାଙ୍କ ଉପରେ ଲଇଁ ପଡ଼ିଲେ । ଧୋଇବାବୁ ତାଙ୍କୁ ଚୁମା ଦବାକୁ ଉଦ୍ୟତ ହେଲେ ମେନକାଙ୍କର ମୁହଁରେ ବି ତୃଷ୍ଣାର ଭାବ ମୁହୂର୍ତ୍ତକ ପାଇଁ ଫୁଟି ଉଠିଲା । କିନ୍ତୁ ସାଙ୍ଗେ ସାଙ୍ଗେ ସେ ଦୁଆର ଆଡ଼କୁ ଚାହିଁ ଯେତେଦୂର ସମ୍ଭବ ମୁହଁରେ ଟିକିଏ କୋମଳ ତରଳ ଭାବ ଆଣିବାର ଚେଷ୍ଟା କଲେ । ଧୋଇବାବୁଙ୍କର ଅଧର ପ୍ରାୟ ମେନକାଙ୍କର ଅଧର ସ୍ପର୍ଷ କରୁଛି, ଏଇ ସମୟରେ ପ୍ରମଥ ବାବୁ ସେ ଘରକୁ ପଶି ଆସିଲେ । ଏ ଦୃଶ୍ୟ ଦେଖି ତାଙ୍କର ମୁହଁ ଗମ୍ଭୀର ହୋଇଗଲା । ସେ କ୍ରୋଧ କମ୍ପିତ ସ୍ୱରରେ ଗର୍ଜନ କରି କହିଲେ । କି, ଧୋଇବାବୁ ଆପଣ ବେଶ ଭଦ୍ରଲୋକ ତ। ମୁଁ ଦୟାକରି ଗୁଣ୍ଡାର ସ୍ଥିତିରୁ ବଞ୍ଚାଇବା ପାଇଁ ତୁମକୁ ମୋ ଘରେ ଆଶ୍ରୟ ଦେଇଥିଲି । ଏଇ କି ସେ ଉପକାରର ପ୍ରତିଶୋଧ ? ଏଇ କି ଆଶ୍ରୟ ଦାତା ପ୍ରତି ତୁମର କର୍ତ୍ତବ୍ୟ ? ମୋର ସରଳ ବାଳିକା କନ୍ୟା । ତାହାର ସରଳତା, ତାହାର ଅନଭିଜ୍ଞତାର ସୁବିଧା ନେଇ ତୁମର ଏପରି ଭାବରେ ତାହାର ମନରେ ଅଭିଳାଷ ଜାଗ୍ରତ କରିବା କି ଭଦ୍ରଜନୋଚିତ କାର୍ଯ୍ୟ ବୋଲି ଆପଣ ମନେକରନ୍ତି ? ଛି, ଛି, କି ଲଜ୍ଜ୍ୟାର କଥା ? ଘୋର କଳିକାଳ, ଘୋର କଳିକାଳ, ଏ ସମୟରେ କାହାରି ଉପକାର କରିବା ନିତାନ୍ତ ଅବିଧେୟ । ଆଉ ମେନକା ମୁଁ ଭାବିଥିଲି ତତେ ଯେ ଶିକ୍ଷା ଦେଇଚି, ମୁଁ ସେହି ଶିକ୍ଷା ବଳରେ ଭଣ୍ଡ ଠକ ଅଭଦ୍ର ଯୁବକ ମାନଙ୍କର ପ୍ରତାରଣାପୂର୍ଣ୍ଣ କୁହୁକକୁ ଏଡ଼ିପାରିବୁ । ତୁ ମତେ ଆଜି ବଡ଼ ଆଶାରେ ବଞ୍ଚିତ କଲୁ । ତୋର ଏକଥା ଭାବିଲାବେଳେ ମୋର ମୁଣ୍ଡ ନଇଁ ଯାଉଚି । ତୁ ମୋର କୁଳରେ କାଳି ବୋଳିଦେଲୁ ଆଜି । କହି ସତେ ଯେପରି କେତେ ଦୁଃଖ, କେତେ ବେଦନାରେ ତାଙ୍କର ହୃଦୟ ଭାଙ୍ଗିଗଲା । ସେହିପରି ଗୋଟିଏ ଦୀର୍ଘ ନିଶ୍ୱାସ ପକାଇ, ଛାତିଟାକୁ ଦୁଇହାତରେ ଚିପିଧରି ସେ ଗୋଟାଏ ଚୌକିରେ ବସିପଡ଼ିଲେ । ଧୋଇବାବୁ ପ୍ରକୃତିସ୍ଥ ଥିଲେ ବୁଝି ପାରିଥାନ୍ତେ, ଏ କଥା ଗୁଡ଼ିକ ଯେପରି ଘୋଷାପାଠ ପରି ସେ ଆବୃତ୍ତି କରିଗଲେ । ତାଙ୍କର ଏ ବେଦନା ଓ ଦୁଃଖର ଦୃଶ୍ୟରେ ଯେପରି ରଙ୍ଗମଞ୍ଚରେ ଅଭିନେତାର କୌଶଳ ପୂରି ରହିଚି । କିନ୍ତୁ ଧୋଇବାବୁ ପ୍ରକୃତିସ୍ଥ ନଥିଲେ । ତାଙ୍କର ସେ ମୁହୂର୍ତ୍ତକର ପାଗଳାମି ଚାଲି ଯାଇଚି । ଏପରି ଭାବରେ ଧରା ପଡ଼ିଯାଇ ସେ ଲଜ୍ଜ୍ୟାରେ ଓ ନିଜର ଦୁର୍ବଳତା ପ୍ରତି ବିରକ୍ତିରେ ବଡ଼ କ୍ଷୁର୍ଣ୍ଣ ହୋଇ ଯାଇଚନ୍ତି । ସେ ଅନୁତାପରେ କାନ୍ଦ କାନ୍ଦ ହୋଇ ହାତ ଯୋଡ଼ି କହିଲେ । ପ୍ରମଥ ବାବୁ, ମୁଁ ପ୍ରକୃତରେ ବଡ଼ ଦୁଃଖିତ-। ବିଶ୍ୱାସ କରନ୍ତୁ, ମୁଁ ବଡ଼ ଅନୁତପ୍ତ । ମୋ ଜୀବନରେ ମୁଁ ଏପରି କେବେ ନିଜକୁ ଭୁଲିଯାଇ ନଥିଲି-। ଆଜି କଣହେଲା କେଜାଣି, ମୁଁ ଯେ ପାଗଲାମି କରୁଚି, ଯେ ଭଦ୍ରତାର ନିୟମ ଭାଙ୍ଗିଚି, ସେଥିପାଇଁ ମୁଁ ନିଜ ପାଖରେ ନିଜେ ଦୋଷି । ମତେ କ୍ଷମା କରିବେ ନାହିଁ ?

 

ପ୍ରମଥ– ଆପଣ ଯାହା କରିଚନ୍ତି ତାହାର କ୍ଷମା ଗୋଟିଏ କଥାରେ । ତା କି କରିବାକୁ ଆପଣ ପ୍ରସ୍ତୁତ ଅଛନ୍ତି ?

ଧୋଇ– କୁହନ୍ତୁ ଆପଣ ଯାହା କହିବେ, ମୋର ସାଧ୍ୟାତୀତ ନ ହେଲେ ନିଶ୍ଚୟ କରିବି-। ମତେ ଯେ ଶାସ୍ତି ଦେବେ ତାହା ମୁଁ ଆନନ୍ଦରେ ବରଣ କରି ନେବି ।

ପ୍ରମଥ– ଆପଣଙ୍କର ଆଜିକାର ଏଇ ଅଶିଷ୍ଟ କାର୍ଯ୍ୟର ପ୍ରାୟଶ୍ଚିତ, ଆପଣ ମେନକାକୁ ବିବାହ କରନ୍ତୁ ।

ଧୋଇ– ବିବାହ ! ସେ କିପରି ! ନା, ନା, ମତେ କ୍ଷମାକରନ୍ତୁ, ମୁଁ ମୁଁ ଏ କଥାଟି କରି ପାରିବି ନାହିଁ । ଆଉ ଯାହା କହିବେ.........

ପ୍ରମଥ– ଆଉ ମୋର କିଛି କହିବାର ନାହିଁ । ଆପଣ ଯାହା କରିଚନ୍ତି ସେ ଖାଲି ଶିଷ୍ଟାଚାର ବିରୁଦ୍ଧ ନୁହେଁ, ଆଇନ ଅନୁସାରେ ମଧ୍ୟ ଦଣ୍ଡନୀୟ । ଆପଣ ଯଦି ବିବାହ ନ କରିନ୍ତି, ତା ହେଲେ ମୁଁ ବାଧ୍ୟ ହୋଇ ଆଇନର ଆଶ୍ରୟ ନେବି ।

ଧୋଇ ବାବୁ ଚକିତହୋଇ କହିଲେ, ‘‘ଆପଣ ନିଶ୍ଚୟ ଏ କଥା ଫୌଜ –ଅଦାଲତକୁ ନେବେ ନାହିଁ । ଦାଣ୍ଡରେ ଲୋକେ କଣ କହିବେ ?’’

ପ୍ରମଥ– ତା ଛଡ଼ା ମୋର ଆଉ କି ଉପାୟ ! ଆପଣ କଣ କହିବାକୁ ଚାହାନ୍ତି ମୋ ଝିଅର ଅବମାନନା ମୁଁ ଚୁପ୍‌ହୋଇ ସହିଯିବି ? ଏ କଥା ଯଦି ତା ହେଲେ ଆପଣ ନିଶ୍ଚୟ ଭୁଲ ବୁଝିଛନ୍ତି ।

ଧୋଇ– କିନ୍ତୁ ଏହାର ଅନ୍ୟ ପ୍ରତିକାର କି ନାହିଁ ? ମୁଁ ମୋର ଏ ମୁହୂର୍ତ୍ତକର ଅପରାଧ ଲାଗି ଯଥେଷ୍ଟ କ୍ଷତିପୂରଣ......

 

ପ୍ରମଥ– କି ! ତୁମେ କାପୁରୁଷ, ଭଣ୍ଡ, ଭାବିଚ ଟଙ୍କା ନେଇ ମୋ ଝିଅର ଅବମାନନା କରି ପାରିବ ? ଏଡ଼େ ନୀଚ, ତୁମ୍ଭେ ଏଡ଼େ ଅଧମ ! ଧୋଇ ବାବୁ ଦେଖିଲେ ଏ ଗୋଟିଏ ବଡ଼ ରକମ ଗୋଲକଧନ୍ଦା । ସେ କହିଲେ, ‘‘ତେବେ କଣ ବିବାହ କରିବା ଛଡ଼ା ଅନ୍ୟ ଉପାୟ ନାହିଁ ?’’

 

ପ୍ରମଥ– ଅଛି ଫୌଜଦାରୀ ଅଦାଲତରେ ଆସାମୀ ଭାବରେ ଠିଆ ହୋଇ ଜେଲ ଦଣ୍ଡ ଭୋଗିବା । ଧୋଇ ବାବୁଙ୍କର ମୁହଁ ନିରାଶାରେ କଳା କାଠ ପଡ଼ିଗଲା । ସେ କିଛି ସମୟ ଭାବି କହିଲେ, ‘‘ନ ହେଲା, ମୁଁ ବିବାହ ହେବାକୁ ପ୍ରସ୍ତୁତି ଅଛି । କିନ୍ତୁ ଶୁଶୀଳା ଦେବୀ ମତେ କାହିଁକି ବିବାହ କରିବାକୁ ରାଜିହେବେ । ସେ ନିଶ୍ଚୟ ମତେ ଭଲ ପାନ୍ତି ନାହିଁ ।’’ କହି ସେ ମେନକାଙ୍କ ଆଡ଼କୁ କାତର ନୟନରେ ଚାହିଁ ରହିଲେ । ତାଙ୍କର କଥାକୁ ଉତ୍କଣ୍ଠା ଭାବରେ କାନ ଡେରି ରହିଲେ, ଯେପରି କି ତାଙ୍କରି କଥାରେ ତାଙ୍କର ଜୀବନ ମରଣ ନିର୍ଭର କରେ । ପ୍ରମଥ ବାବୁ ମେନକାଙ୍କୁ ସମ୍ବୋଧନ କରି କହିଲେ, ‘‘କି ମା ତୋର କି ଇଚ୍ଛା ? ତୁ କଣ ଏ ବାବୁଙ୍କୁ ବିବାହ କରିବାକୁ ଅସମ୍ମତ ?’’

 

ମେନକା ଯେପରି ଲାଜରେ ସଢ଼ିଗଲେ । ସେ ମୁହଁକୁ ତଳକୁ ପୋତି ଅତି ଧୀର ଭାବରେ କହିଲେ ‘‘ନା’’ । ଧୋଇବାବୁଙ୍କର କୋଟି ଟଙ୍କାର ବୋଇତ ଯେପରି ଅତଳ ସମୁଦ୍ରରେ ବୁଡ଼ିଗଲା । ସେ କହିଲେ ‘‘କିନ୍ତୁ ମୁଁ ଭାବିଥିଲି ଯେ ଆପଣ–’’ ତାଙ୍କ ତୁଣ୍ଡକଥା ତୁଣ୍ଡରେ ରହିଗଲା । ମେନକା ହଠାତ୍ ମୁଣ୍ଡଟେକି ଓଠ ଉପରେ ଆଙ୍ଗୁଠିରଖି ପୁଣି ମୁଣ୍ଡ ନୁଆଇଁ ଦେଲେ । ଧୋଇବାବୁ ବୁଝିଲେ ଯେ ସେ ଗୋଟାଏ ଅନ୍ୟାୟ ଉପରେ ଆଉ ଗୋଟିଏ ଅନ୍ୟାୟ କରିବାକୁ ଯାଉଚନ୍ତି । କିନ୍ତୁ ଉପାୟ କଣ ? ସେ କିଛି ଭାବି ସ୍ଥିର କରି ପାରିଲେ ନାହିଁ । ପ୍ରମଥ ବାବୁ ପଚାରିଲେ । କି କଣ ଭାବୁଚନ୍ତି ? ବିବାହ କରିବେ ନା, ଫୌଜଦାରି ଅଦାଲତକୁ ଯିବେ ? ଧୋଇବାବୁ ଗୋଟିଏ ଦୀର୍ଘଶ୍ୱାସ ଛାଡ଼ି କହିଲେ ‘‘ଯେତେବେଳେ ଅନ୍ୟାୟ କରିଚି, ଅନ୍ୟାୟର ଶାସ୍ତି ସ୍ୱରୂପ ବିବାହ କରିବା ଛଡ଼ା ତ ଅନ୍ୟ ଉପାୟ ଦେଖିପାରୁନାହିଁ ।’’ ଅତଏବ ମୁଁ ରାଜି ।

 

ପ୍ରମଥ ବାବୁଙ୍କର ମୁହଁ ଉଜ୍ଜ୍ୱଳ ହୋଇ ଉଠିଲା । ସେ ଉଠି ଆସି ଧୋଇବାବୁଙ୍କ ପିଠିରେ ଚାପୁଡ଼ାଇ ଚାପୁଡ଼ାଇ କହିଲେ, ‘‘ଏଇତ ବାବା ଭଦ୍ରଲୋକ ପିଲାର ଉପଯୁକ୍ତ ବ୍ୟବହାର । କିଛି ଚିନ୍ତା ନାହିଁ, ବାବା, ତୁମେ ଏ ବିବାହରେ ଅସୁଖି ହେବନାହିଁ । ମୋର ଗୋଟିଏ ବୋଲି କନ୍ୟା । ଏ ସମସ୍ତ ସମ୍ପତ୍ତିର ମାଲିକ ସେ, ତୁମେ ବିବାହକଲେ ତୁମର ସେଦିଗରେ କିଛି କ୍ଷତି ନାହିଁ । ଆଉ ମେନକା–ସେ ମୋର ବଡ଼ ସୁଧୀର କନ୍ୟା । ତୁମେ ଦେଖି ପାରୁଥିବ, ଉପୁଡ଼ଙ୍ଗର ହୋଇ ତାର ଟିକିଏ ନାହିଁ । ମୋର ଆଶା ତୁମ୍ଭେମାନେ ସୁଖିହବ । ହଁ ଆଚ୍ଛା କଥାଟାଏ ମନେ ପଡ଼ିଲା । ଆମେତ ବ୍ରାହ୍ମ, ଆଉ ବାପା, ତୁମେତ ହିନ୍ଦୁବ୍ରାହ୍ମଣ । ବିବାହଟା ଆର୍ଯ୍ୟ ସମାଜ ମତରେ ହେଲେ ତୁମର କିଛି ଆପତ୍ତି ଅଛି ?’’ ‘ମୋର ଆଉ ଆପତ୍ତି କରିବାର କିଛି ନାହିଁ, ଯାହା ଆପଣଙ୍କର ଖୁସି’-। ଏତିକି କହି ଧୋଇବାବୁ ପୁଣି ମୌନବ୍ରତ ଧାରଣ କଲେ । ପ୍ରମଥ ବାବୁ କହିଲେ ‘‘ତା’ହେଲେ ବିଳମ୍ବ କାହିଁ କି ? ଶୁଭସ୍ୟ ଶୀଘ୍ରଂ । ନା ହେ କଣ କହୁଚ ?’’

 

ଧୋଇ– ଯାହା ଆପଣଙ୍କର ଇଚ୍ଛା ।

ପ୍ରମଥ– ତୁମର ଆତ୍ମୀୟ ସ୍ୱଜନ କାହାରିକୁ– ।

 

ଧୋଇ– ନା, କ୍ଷମାକରନ୍ତୁ । ଦୋଷି ମୁଁ, ମୋର ଆତ୍ମୀୟ ସ୍ୱଜନ ନୁହନ୍ତି । ସେମାନଙ୍କୁ ଆଉ କଷ୍ଟ ଦେବେ କାହିଁକି ?

 

ପ୍ରମଥ– ବେଶ୍, ବେଶ୍, ତୁମରି କଥା ଏବେ ହେଲା । ଖାଲି ପୁରୋହିତ ଜଣେ ଯୋଗାଡ଼ କଲେ ହେଲା, ନା ହେ କଣ କହୁଚ ?

 

ଏଇ ସମୟରେ ବାହାରୁ ‘‘ପ୍ରମଥ ଦାଦା, ପ୍ରମଥ ଦାଦା’’ କହି ଜଣେ ଯୁବକ ସେଠାରେ ଉପସ୍ଥିତ ହେଲେ । ସେ ଆଉ କେହି ନୁହନ୍ତି, ଆମ୍ଭମାନଙ୍କର ପୂର୍ବ ପରିଚିତ ମେନକାଙ୍କର ପ୍ରଣୟି ଶଶଧର ବାବୁ । ସେ ଆସି ପହଞ୍ଚିଗଲାମାତ୍ରେ ତାଙ୍କର ଦୃଷ୍ଟି ପ୍ରଥମେ ପଡ଼ିଗଲା ମେନକାଙ୍କ ଉପରେ । ମେନକା ମଧ୍ୟ ସ୍ନେହପୂର୍ଣ୍ଣ ଗୋଟାଏ କଟାକ୍ଷ ତାଙ୍କ ଆଡ଼କୁ ମାତି ଟିକିଏ ମୁରୁକିହସା ଦେଇ ମୁହଁ ତଳକୁ ପୋତି ଦେଲେ । ଏ ସବୁ ମୁହୂର୍ତ୍ତକରେ ହୋଇଗଲା । ତା’ପରେ ଶଶଧର ବାବୁ କହିଲେ । ପ୍ରମଥ ଦା ତୁମ ସାଙ୍ଗରେ ଗୋଟିଏ ଜରୁରି କଥାଥିଲା ।

 

ପ୍ରମଥ– ଆଚ୍ଛା ସେ ଦେଖାଯିବ ପରେ । ବର୍ତ୍ତମାନ ବେଶି ଜରୁରି କଥା ହଉଚି ଯେ ଧୋଇବାବୁ ଓ ମେନକା ଉଭୟେ ପରସ୍ପରଙ୍କୁ ବିବାହ କରିବାକୁ ରାଜି । ଆଉ ଧୋଇବାବୁଙ୍କର ଇଚ୍ଛା ବିବାହଟା ଯଥା ସମ୍ଭବ ଶୀଘ୍ର ହୋଇଯିବା ଦରକାର । ନା ହେ କଣ କହୁଚ ? ତୁମେ ବାପା ଶଶଧର ଗୋଟାଏ କାମ କରିପାରିବ ?

 

ଶଶଧର– ଆଦେଶ କରନ୍ତୁ ।

ପ୍ରମଥ– ଜଣେ ଆର୍ଯ୍ୟ ସମାଜି ପୁରୋହିତ ଯୋଗାଡ଼ କରି ପାରିବ ଆଜି ?

 

ଶଶଧର– ଆର୍ଯ୍ୟସମାଜ ପୁରୋହିତ ? ହଁ ଦେଖି, ବେନିଆତୋଲା ଷ୍ଟ୍ରିଟରେ ମୋର ଜଣେ ବନ୍ଧୁ ଅଛନ୍ତି । ତାଙ୍କର ବାପା ପ୍ରିୟଗୋପାଳ ବାବୁ ଆର୍ଯ୍ୟ ସମାଜି ପୌରୋହିତ୍ୟ ଅନେକ ସ୍ଥାନରେ କରିବାର ମୁଁ ଶୁଣିଚି । ଏଇତ ସେଦିନ–

 

ପ୍ରମଥ– ଆଉ କହିବା ଦରକାର ନାହିଁ ବାପା ଯାଅ ତାଙ୍କୁ ଡାକି ଆଣ । ଆଜି ରାତିରେ ଶୁଭବିବାହଟା ହୋଇଯାଉ ।

 

ଶଶଧର– ମୁଁ ତା’ହେଲେ ଚାଲିଲି । ମିଷ୍ଟାନ୍ନ ଭୋଜନଟା ମିଳିବତ ?

 

ପ୍ରମଥ– ତା ଆଉ ମିଳିବ ନାଇଁ ନା ? ମୁଁ ଯାଉଚି କେତେଜଣ ଭଦ୍ରଲୋକଙ୍କୁ ନିମନ୍ତ୍ରଣକରି ଆସିବି । ମେନକା ତାର ସାଙ୍ଗ ସାଥିମାନଙ୍କୁ ଡାକିଆଣିବ ।

 

ଏହାକହି ପ୍ରମଥ ବାବୁ ସେ ସ୍ଥାନ ଛାଡ଼ିଗଲେ । ତାଙ୍କ ପଛେ ପଛେ ଶଶଧର ବାବୁ ମଧ୍ୟ ଗଲେ । ଯିବା ଆଗରୁ ସେ ଧୋଇବାବୁଙ୍କ ଆଡ଼କୁ ଚାହିଁ କଣ ଟିକିଏ ଇସାରା କରିଗଲେ, ଧୋଇବାବୁ କିଛି ବୁଝି ପାରିଲେ ନାହିଁ । ବୁଝି ପାରିଲେ ନାହିଁ ବିଶେଷତଃ ତାଙ୍କର ହସଭରା ମୁହଁ । ୟା ମଧ୍ୟରେ ମେନକା ଉଠିଯାଇ ଦୁଆର ପାଖରେ ଚାହିଁଲେ କେହି କୁଆଡ଼େ ନାହିଁ । ସେ ଘରଭିତରକୁ ପୁଣି ଆସି ଗୋଟାଏ ଚୌକିରେ ବସିପଡ଼ି ‘ଖି, ଖି’ କରି ଖୁବ୍ ବୁହେ ହସିବାକୁ ଲାଗିଲେ । ଧୋଇବାବୁ ଚକିତ ହୋଇ କହିଲେ । ଏଥିରେ ହସିବାର ଯେ କଣ ଅଛି ମୁଁ ତ ଦେଖି ପାରୁନାହିଁ ’’।

 

ମେନକା ଅତି କଷ୍ଟରେ ହସ ବନ୍ଦକରି କହିଲେ ‘‘କି ? ଆଜି ମୋର ବିବାହ, ମୁଁ ହସିବି ନାଇଁତ ଆଉ କଣ କାନ୍ଦିବି ?’’

 

ଧୋଇ– କିନ୍ତୁ ମୁଁ ଭାବିଥିଲି ତୁମେ ଶଶଧର ବାବୁଙ୍କୁ ଭଲପାଅ ବୋଲି ।

ମେନକା– ମୁଁ ତାଙ୍କୁ ଭଲ ନପାଏ ବୋଲି କିଏ କହିଲା ।

 

ଧୋଇ– କିନ୍ତୁ ତାଙ୍କୁ ଭଲପାଇ ମତେ ବିବାହ କରିବାରେ ଏତେ ଆନନ୍ଦ କିପରି ଆସିପାରେ ତୁମର ?

 

ମେନକା– ମଜାଟାତ ସେହିଠାରେ । ଅନ୍ୟ ଜଣକୁ ଭଲପାଇବି ଆଉ ତୁମକୁ ବିବାହ କରିବି । ଏ କଣ କମ୍ ଆମୋଦର କଥା ?

 

ଧୋଇ– କେଜାଣି ବାବୁ, ଏହା ମଧ୍ୟରେ କି ଆମୋଦ ତୁମେ ପାଉଚ ତା ତୁମେହିଁ ଜାଣ । ମତେ ତ କିନ୍ତୁ କାନ୍ଦ ମାଡ଼ୁଚି ।

 

ମେନକା– କି, ମୁଁ କଣ ଏତେ ଅସୁନ୍ଦରୀ ଯେ ତୁମେ ମତେ ବିବାହ କରିବାକୁ ଏତେ କଷ୍ଟକର ଭାବୁଚ ?

 

ଧୋଇ– ତୁମେ ଅସୁନ୍ଦରୀ ନୁହଁ, ଖୁବ୍ ସୁନ୍ଦରୀ । କିନ୍ତୁ କେବଳ ସୌନ୍ଦର୍ଯ୍ୟତ ବିବାହର ଉପଯୁକ୍ତ ପରୀକ୍ଷା ନୁହେଁ । ମୁଁ ତୁମକୁ ଭଲ ପାଏନାହିଁ ।

 

ମେନକା– ଯାହାହଉ । ତୁମର ଆଉ ଯେ ଦୋଷ ଥାଉ ବା ନଥାଉ, ତୁମେ ଯେ ବଡ଼ ସ୍ପଷ୍ଟବାଦି ସେ ବିଷୟରେ କିଛି ସନ୍ଦେହ ନାହିଁ । କିନ୍ତୁ ତୁମେ ବଡ଼ ବୋକା ।

 

ଧୋଇ– ବୋକା ନ ହୋଇଥିଲେ କି ଆଜି ଏ ବିପଦରେ ପଡ଼ିଥାନ୍ତି ।

 

ମେନକା– ତୁମେ ବୋକା ଯେ ରହସ୍ୟଟା ବୁଝି ପାରୁନାହିଁ । ସ୍ତ୍ରୀ ଜାତିର ହୃଦୟ ସମ୍ବନ୍ଧରେ ତୁମର ଏକେବାରେ କିଛି ମାତ୍ର ଜ୍ଞାନ ନାହିଁ । ତୁମେ କେବେ ଦେଖିଚ ସ୍ତ୍ରୀ ଜଣକୁ ଭଲପାଇ ଆଉଜଣକୁ ବିନା ବାଧାରେ ବିବାହ କରିପାରେ ?

 

ଧୋଇ– ତା ତ ଦେଖିନାହିଁ, ସେହିହେତୁରୁ ମୋତେ ବେଶୀ ଅକଡ଼ିଆ ଲାଗୁଚି ।

 

ମେନକା– ଆଉ ୟା ବି ତୁମେ କଳ୍ପନା କରିପାର ପ୍ରଣୟି ପ୍ରଣୟିନୀର ଅନ୍ୟ ପୁରୁଷ ସହିତ ବିବାହ କରିବାରେ ସାହାଯ୍ୟ କରେ ।

 

ଧୋଇ– ସେ ଓ ଏ ସୁଆଙ୍ଗର ଆଉ ଗୋଟିଏ ରହସ୍ୟ ।

 

ମେନକା– ଠିକ୍ କହିଚ, ଏ ଗୋଟାଏ ସୁଆଙ୍ଗ ତୁମେ ମତେ ବିଶ୍ୱାସ କର, ତୁମର କିଛି ହାନି ହବନାହିଁ ।

 

ଏହା କହି ସେ ସେଠାରୁ ଚାଲିଗଲେ ।

Image

 

୧୬

 

ସେ ଦିନ ଚାରିଟା ବେଳ ପ୍ରାୟ । ଧୋଇ ବାବୁ ପ୍ରମଥ ବାବୁଙ୍କର ବୈଠକଖାନାରେ ବସି ଆକାଶ ପାତାଳ ଭାବୁଛନ୍ତି । ବିବାହ ଯେ ହବ ସେ ବିଷୟରେ ତାଙ୍କର କୌଣସି ସନ୍ଦେହ ନାହିଁ । ସେ ବିଷୟରେ ମଧ୍ୟ ବର୍ତ୍ତମାନ ସେ ଏକ ପ୍ରକାର ଉଦାସୀନ ହୋଇଗଲେଣି । କେତେବେଳେ ଭାବୁଛନ୍ତି ବର୍ତ୍ତମାନ ଓ ସମୟ ଅଛି । କୌଶଳ କରି ଖସି ପାରାଯାଏ । ପୁଣି ମନେ ପଡ଼ିଯାଉଚି ମେନକାଙ୍କର ଯିବା ବେଳେ କଥାଗୁଡ଼ାକ ଆଉ ଶଶଧରଙ୍କର ହସ ଛନ ଛନ ମୁଖଟି । ମନରେ ହେଉଚି ଯେପରି କିଛି ଗଭୀର ରହସ୍ୟ ଏହା ମଧ୍ୟରେ ଅଛି । ଆଉ ସେ ରହସ୍ୟଟାର ମଉଜ ଅନୁଭବ ନ କରି ଚାଲିଯିବାକୁ ମନ ବି ହଉନାହିଁ । ତାଙ୍କର ମନ ଏପରି ଦୋଳି ଖେଳିଲା ବେଳେ କିଏ ଦାଣ୍ଡରେ ଡାକିଲା, ‘‘ବେହେରା, ବେହେରା’’ । ପ୍ରମଥ ଡାକଟାରେ ଧୋଇ ବାବୁଙ୍କର ଧ୍ୟାନ ଭାଙ୍ଗିଗଲା । ଦ୍ୱିତୀୟ ଡାକରେ ସେ ଚମକି ପଡ଼ିଲେ । ବାହାର ପଟ ଝରକାରେ ଉଣ୍ଡି ଦେଖିଲେ ପ୍ରଫୁଲ ବାବୁ ପ୍ରମଥ ବାବୁଙ୍କ ଦରଜା ଉପରେ । ଆଉରି ମଧ୍ୟ ଦେଖିଲେ ଦୁଇଜଣ ଷଣ୍ଢା ଷଣ୍ଢା ଲୋକ ଓ ଜଣେ ବସିଚି ଭଦ୍ରଲୋକ ଘରର କାନ୍ଥକୁ ଆଉଜି ରାସ୍ତା ଉପରେ ଠିଆ ହୋଇଛନ୍ତି । ତାଙ୍କର ଜାଣିବାକୁ ବାକି ନ ଥିଲା ପ୍ରମଥ ବାବୁ ଜଣେ ଗୁଣ୍ଡା ସର୍ଦାର । ତା ନ ହେଲେ ସଦାଶିବ ବାବୁ ତାଙ୍କୁ ମାରିବାକୁ ୟାଙ୍କ ପାଖକୁ ଆସିଥାନ୍ତେ କିଆଁ ? ସୁତରାଂ ବୁଝିନେଲେ ଯେ, ଏଇ ଯେ ଷଣ୍ଢା ଷଣ୍ଢା ଲୋକ ଦୁଇଟା ସେ ତାଙ୍କର ଚର, କାଳେ ଧୋଇ ବାବୁ ପଳାଇଯିବେ ସେଥିପାଇଁ ସେମାନେ ପହରା ଦଉଚନ୍ତି । କିନ୍ତୁ ସେ ବିସିନି ଭଦ୍ର ଲୋକଟିକୁ ଠଉରେଇ ପାରିଲେ ନାହିଁ । ଯାହାହଉ ଏଣେ ପ୍ରଫୁଲ୍ଲ ବାବୁ ହୁରି ଛାଡ଼ିଚନ୍ତି ସେ ଭାବିଲେ ଦୁଆର ଖୋଲି ତାଙ୍କୁ ଦେଖା ଦେବେ କି ନାହିଁ । ପୁଣି ଭାବିଲେ ମା ନିତାନ୍ତ ଅଧର୍ଯ୍ୟ ନ ହୋଇଥିଲେ ପ୍ରଫୁଲ୍ଲକୁ କଲିକତା ପଠାଇ ନ ଥାନ୍ତେ । ହଁ ର ହଁ ଜିତ୍ ହେଲା । ସେ ଦୁଆର ଖୋଲି କହିଲେ, ‘‘କିରେ ପଣ୍ଡିତ, ତୁ କୁଆଡ଼େ’’ ?

 

ପ୍ରଫୁଲ୍ଲ ବାବୁଙ୍କ ମନ କୁଣ୍ଢେ ମୋଟ ହୋଇଗଲା । ସେ ଆଶ୍ୱସ୍ତିର ଗୋଟାଏ ନିଶ୍ୱାସ ପକାଇ କହିଲେ, ‘‘ଯାହାହଉ, ଏଥର ମୋ ପିଣ୍ଡରେ ପ୍ରାଣ ପଶିଲା । ମୁଁ ତ ଭାବିଥିଲି ତୁ କଲିକତିଆ ଗୁଣ୍ଡାଙ୍କ ହାତରେ ସାବାଡ଼ ହୋଇ ସାରିଲୁଣି ।’’ ଧୋଇ ବାବୁ– ତୁ ଯାହା ଭାବୁ, ସେଗୁଡ଼ାକ କାଗଜ କଲମରେ ଲେଖିଲେ ଫୌଜଦାରି ଅଦାଲତରେ ମାନହାନି ମକଦ୍ଦମାରେ ପଡ଼ିବୁ । ଯାହାହଉ, ଘର ଭିତରକୁ ଆତ ! ପ୍ରଫୁଲ୍ଲ ବାବୁ ଧୋଇ ବାବୁ ଦିହେଁଯାକ ବୈଠକଖାନାକୁ ଗଲେ । ଧୋଇ ବାବୁ ପଚାରିଲେ, ‘‘ପ୍ରଥମ କଥା, ମୁଁ ଏଠାରେ ଅଛି ବୋଲି ତୁ ଜାଣିଲୁ କିପରି ?’’

 

ପ୍ରଫୁଲ୍ଲ– ମା ତୋଲାଗି ବଡ଼ ବ୍ୟସ୍ତ । ସେ ତୋର ଏ ବାଜିମରା କଥାଟା ଜାଣିପାରି–

 

ଧୋଇ– ତା’ମାନେ ତୁ ତାଙ୍କୁ ଏକଥା କହିଚୁ । ହଉ ସେ କଥାର ହିସାବ ମୁଁ ପରେ ବୁଝିବି । ତାପରେ ?

 

ପ୍ରଫୁଲ– ମୁଁ’ଭାଇ ତୋକଥା ଲୁଚେଇବାକୁ ଖୁବ୍ ଚେଷ୍ଟା କରିଚି । କାଳେ କଥାଟା ମୋ ପାଟିରୁ ବାହରି ପଡ଼ିବ ସେଥିପାଇଁ ଥିଲି । ମହାପାତ୍ରେ ଯାଇ ମତେ ଗାଁରୁ ଟାଣି ଆଣିଲେ ।

 

ଧୋଇ– ବୁଝିଚି ତୋର ବୀରତ୍ୱ ଖୁବ୍ । ଆଉ ସେଗୁଡ଼ାକ ମୋ ମନରେ ଈର୍ଷା ଆଣେ ନାହିଁ । ତା ପରେ ମାଙ୍କ ଜେରାରେ ତୁ ସବୁ କହିଲୁ । ଏଇନା ?

 

ପ୍ରଫୁଲ୍ଲ– ମୁଁ ତୋ ପାଇଁ ଭାଇ ତାଙ୍କ ଆଗରେ ପ୍ରଥମେ ଅନେକ ମିଛ କହିଚି । ସେ ସବୁ କଥା ଭାବିଲା ବେଳକୁ–

 

ଧୋଇ– ମୁଁ ଜାଣେ ତୁ ନରକକୁ ଯିବୁ । ତା’ପରେ ମା ତ ତତେ ଏଠିକି ପଠେଇ ଦେଲେ । ତୁ କିମିତି ଜାଣିଲୁ ଯେ ମୁଁ ଏଠାରେ ଅଛି ବୋଲି ?

 

ପ୍ରଫୁଲ୍ଲ– ମୁଁ ପ୍ରଥମେ ହାବଡ଼ ଷ୍ଟେସନରେ ଓହ୍ଲାଇ ତୋର ମାମୁଁ ଘରକୁ ଗଲି । ସେ କଣ ବ୍ୟବସାୟରେ ଦିଲ୍ଲୀ ଯାଇଚନ୍ତି । ସେଠାରୁ ପୁଣି–

 

ଧୋଇ– ତୋର ଗସ୍ତ ଇତିହାସ ଶୁଣିବାକୁ ମୋର ବେଳ ନାହିଁ । ତୁ କିପରି ଜାଣିଲୁ ?

 

ପ୍ରଫୁଲ୍ଲ– ସଦାଶିବ ବାବୁଙ୍କ ସାଙ୍ଗରେ ଦେଖାହେଲା । ସେ ତୋଲାଗି ଭାରିବ୍ୟସ୍ତ ।

 

ଧୋଇ– ହବାର ତ କଥା । ମୋର ଦ୍ୱିତୀୟାଓଷା ମାଉସୀ ବିନା ସେ । ତେବେ ସେଇ ତତେ କହିଲେ ଯେ ମୁଁ ଏଠାରେ ଅଛି । କିନ୍ତୁ ସେ ଜାଣିଲେ କିପରି ଯେ ମୁଁ ଏଠାରେ ଏ ତିନିଦିନ ହେଲା ଅଛି ବୋଲି । ଓଃ ହଁ, ଠିକ୍ କଥା । ସେଇ ବିସିନି ଭଦ୍ର-ଲୋକ –

 

ପ୍ରଫୁଲ୍ଲ– ତୁ ଯେ କଣ କହୁଚୁ ମୁଁ ସେଥିରୁ କିଛି ବୁଝିପାରୁ ନାହିଁ ।

 

ଧୋଇ– ତୁ ଯେତେ କଥା ବୁଝିପାରୁ ତାର ହିସାବ ଲେଖିଲେ ଗୋଟାଏ ମହାଭାରତ ହବ । ଏ ଥରକ ତ ମତେ ଦେଖିଲୁ ତା ପରେ ?

 

.......... ପରେ ତ ତୋ ହାତରେ । ଚାଲ ଘରକୁ ଯିବା ! ........... କଣ କହୁଚୁ ତୁ, ଘରକୁ ଯିବା ? ଆଜି ଯେ ମୋର ବିବାହ ।

 

ପରିଷ୍କାର ଆକାଶରେ ଘଡ଼ଘଡ଼ି ଶବ୍‌ଦ ଶୁଣିଥିଲେ ପ୍ରଫୁଲ୍ଲ ବାବୁ ବୋଧହୁଏ ଏତେ ଆଶ୍ଚର୍ଯ୍ୟ ହୋଇ ନଥାନ୍ତେ । ସେ ବୋକାଙ୍କ ପରି ବାଲୁ ବାଲୁ କରି ଧୋଇ ବାବୁଙ୍କ ମୁହଁକୁ ଚାହିଁ ରହିଲେ । କହିଲେ, ‘‘ତୋର ବିବାହ ! ତୋର ବିବାହ ! ସେ କିପରି ?’’

 

ଧୋଇ– କିପରି ଆଉ କଣ ? ମୁଁ ବର ବେଶ ପିନ୍ଧି ବସିବି । ମୋ ପାଖରେ ଗୋଟିଏ ସୁନାନାକି ବୋହୂ ବସିବ ! ପୁରୋହିତ ମନ୍ତ୍ର ପଢ଼ିବ । ବନ୍ଧୁ-ବାନ୍ଧବମାନେ ମିଷ୍ଟାନ୍ନ ଖାଇବେ । ତୋର ଆଜି ମୋ ପକ୍ଷରୁ ନିମନ୍ତ୍ରଣ ।

 

ପ୍ରଫୁଲ୍ଲ– ରହ, ରହ, । ମୁଁ ଟିକିଏ ନିଶ୍ୱାସ ମାରି ଆଶ୍ୱସ୍ତ ହୁଏ । ତୁ କଣ କହିବାକୁ ଚାହୁଁ ଯେ ତୁ ଧୋଇ ଆଜି କଲିକତା ସହରରେ ବିବାହ ହବୁ ?

 

ଧୋଇ–କଥାଟା ପ୍ରାଞ୍ଜଳ କରି ବୁଝେଇ ଦେବାରେ ସ୍ୱୟଂ ମଲ୍ଲିନାଥ ମଧ୍ୟ ତୋର ସମକକ୍ଷ ହେବନାହିଁ ।

 

ପ୍ରଫୁଲ୍ଲ–ମା ହେରିକା କେହି ଜାଣିବେ ନାହିଁ । ଭାଇବନ୍ଧୁ କୁଟୁମ୍ବ କେହି ଆସିବେ ନାହିଁ-। ବାଜା ବାଜିବ ନାହିଁ । ବିଭାଘର କିପରି ?

 

ଧୋଇ– ତୋର ଆଜିକି ଦୁଇଶବର୍ଷତଳେ ଜନ୍ମ ହବା ଉଚିତଥିଲା । ଆଜି କାଲି ସଭ୍ୟସମାଜରୁ ସେ ସବୁ ଉଠିଗଲାଣି ।

 

ପ୍ରଫୁଲ୍ଲ– ତୁ ବାହା ହଉଚୁ ତେବେ କୁଠି ?

ଧୋଇ– ଏଇଠି

ପ୍ରଫୁଲ୍ଲ– ତା ମାନେ ତୁ ପ୍ରମଥବାବୁଙ୍କ ଘରେ ବାହାହଉଚୁ । କହାକୁ ? ପାତ୍ରୀ କିଏ ?

 

ଧୋଇ– ପାତ୍ରୀ ପ୍ରମଥବାବୁଙ୍କର ଝିଅ ଶ୍ରୀମତୀ ମେନକା ଦେବୀ । ସେ ଶଶଧର ବାବୁଙ୍କୁ ଭଲପାନ୍ତି । କିନ୍ତୁ ମତେ ବାହା ହଉଚନ୍ତି ।

 

ପ୍ରଫୁଲ୍ଲ– ନା, ବାବୁ ଏ ଗୋଲୋକଧନ୍ଦାରେ ପଶିବାକୁ ମୋର ଶକ୍ତି ନାହିଁ ।

 

ଧୋଇବାବୁ କଣ କହିବାକୁ ଯାଉଥିଲେ ଏହି ସମୟରେ ମେନକା ଦେବୀ ସେଠାରେ ଆସି ପହଞ୍ଚିଲେ । ସେ ପ୍ରଫୁଲ୍ଲବାବୁଙ୍କୁ ସେଠାରେ ଦେଖି ପଛଘୁଞ୍ଚା ଦବା ଉପରେ, ଏତିକିବେଳେ ଧୋଇ ବାବୁ ଡାକି କହିଲେ ‘‘ଶୁଣ, ଶୁଣ, ମୁଁ ତୁମକୁ ସାହେବାନି କାଇଦାରେ ଟିକିଏ ମୋ ବନ୍ଧୁଙ୍କ ସାଙ୍ଗରେ ପରିଚୟ କରାଇଦିଏ । ମୋର ଭବିଷ୍ୟତ୍ ପତ୍ନୀ ଶ୍ରୀମତୀ ମେନକା ବାଳା ଦାସୀ, ମୋର ପ୍ରିୟବନ୍ଧୁ କାବ୍ୟବିଶାରଦ ତର୍କଚୂଡ଼ାମଣି ଶ୍ରୀଯୁକ୍ତ ବାବୁ ପ୍ରଫୁଲ୍ଲଚନ୍ଦ୍ର ତ୍ରୀପାଠୀ ବି, ଏ । ବାଶ୍, ଏଥରକ ତ ଜଣାଶୁଣା ହୋଇଗଲା । ଗଫ ଯୋଡ଼ିଦିଅ । କିନ୍ତୁ ମୁଁ ତୁମକୁ ସାବଧାନ କରିଦଉଚି, ମେନକା । ପ୍ରଫୁଲ୍ଲ ଟିକିଏ ମାଇପି ବାୟା । ସେ ସୁନ୍ଦରୀ ଟୋକିଟିଏ ଦେଖିଲେ କୁଣ୍ଢେଇପକାଇବାକୁ ଧାଇଁଯାଏ ।

 

ପ୍ରଫୁଲ୍ଲବାବୁଙ୍କ ମୁହଁ ଲାଜରେ ଓ ରାଗରେ ରଙ୍ଗ ପଡ଼ିଗଲା । ସେ କହିଲେ । ତୁ କଣ ଯେ କହୁ ଧୋଇ, ତାର ଠିକ୍ ଠିକଣା ନାହିଁ ।

 

ଧୋଇ– କଥାରେ କିବା ପରିପାଟି

ଗୀତେ ଭଣିଲେ ପ୍ରଫୁଲ୍ଲ ତ୍ରୀପାଠୀ

 

ଦେଖିଲତ, ତୁମକୁ ଦେଖୁ ଦେଖୁ ତାର କବିତା ଉତ୍ସ ବୋହିଗଲାଣି । ମେନକାଦେବୀ ସେତେବେଳକୁ ହସରେ କୁରୁକୁରୁ ହଉଛନ୍ତି । ସେ ହସ ସମ୍ଭାଳି ନେଇ ଗୋଟା ଚୌକିରେ ବସିପଡ଼ି କହିଲେ ତା’ହେଲେ ଆପଣ ୟାଙ୍କର ବନ୍ଧୁ, ‘‘ପ୍ରଫୁଲବାବୁ’’ ପ୍ରଫୁଲ୍ଲବାବୁ ତାଙ୍କ ଆଡ଼କୁ ନଚାହିଁ କହିଲେ ‘‘ଏଁ, ହଁ,’’

 

ଧୋଇ– ତୁମେ ଜାଣନାହିଁ ବୋଧହୁଏ, ପ୍ରଫୁଲ୍ଲ ଆମର ଭଲ ଗାଡ଼ି ଚଳେଇବା ବାଲା-। ସେ ଶଗଡ଼ ଉପରେ ବସି ଯେତେବେଳେ ‘‘ଏ, ହ, ଡ଼ି ଡ଼ି’’ କରୁଥିବ, ଦେଖିଲେ ତୁମ ମନପ୍ରାଣ ଶୀତଳ ହୋଇଯିବ ।

 

ମେନକା– ଆପଣ ତାଙ୍କ କଥା ଶୁଣନ୍ତୁ ନାହିଁ । ସେ ବଡ଼ ଦୁଷ୍ଟ । ୟେ ଏଠାରେ ଅଛନ୍ତି ବୋଲି ଆପଣ ଜାଣିଲେ କିପରି ?

 

ଧୋଇ– ଆହା, ଏତିକି ବୁଝିପାରିଲ ନାହିଁ । ପ୍ରଫୁଲ୍ଲ ଯେ ଆମର ପରମ ଯୋଗି । ଧ୍ୟାନରେ ବସି ଜାଣିପାରିଲେ ସବୁ ।

 

ମେନକା– ତୁମେ ଏଠୁ ଯିବଟି । ତୁମେ ଭଦ୍ରଲୋକଙ୍କୁ କଥାପଦେ କୁହାଇ ଦଉନାହଁ । ଏହା କହି ସେ ଧୋଇବାବୁଙ୍କ ହାତଧରି ସେ ଘରୁ ଟାଣି ନେଇ ଦରଜା ବନ୍ଦ କରିଦେଲେ । ଧୋଇବାବୁ ବାହାରୁ କହିଲେ ‘‘ବାବା, ପ୍ରଥମେ ଶଶଧର ବାବୁ, ତାପରେ ମୁଁ, ତା’ପରେ ପ୍ରଫୁଲ୍ଲ । ଏ ଯେ ଦ୍ରୌପଦୀଙ୍କି ଟପିବା ଉପରେ ।’’ ଏହାକହି ସେ ଉପରମହଲାକୁ ତାଙ୍କ ଶୋଇଲା ଘରକୁ ଚାଲିଗଲେ ।

 

ମେନକା ଓ ପ୍ରଫୁଲ୍ଲବାବୁ ଘରଭିତରେ ରହି କଣ ଟୁପ୍‌ଟାପ୍‌ହୋଇ କେତେବେଳଯାଏ କଥାବାର୍ତ୍ତା ହେଲେ । ତା’ପରେ ଯେତେବେଳେ ମେନକା ସେ ଘରୁ ବାହାରି ଯାନ୍ତି, ପ୍ରଫୁଲ୍ଲବାବୁ ସେତେବେଳେ ‘‘ହେଁ, ହେଁ’’ କରି ହସି ଘରଟା ଭାଙ୍ଗି ପକାଉଥାନ୍ତି ।

Image

 

୧୭

 

ପ୍ରାୟ ସନ୍ଧ୍ୟା ଛଟା ବେଳକୁ ଗୋଟି ଗୋଟି ହୋଇ ବନ୍ଧୁ ବାନ୍ଧବ ସାଙ୍ଗ ସାଥୀ ସବୁ ଆସି ପ୍ରମଥ ବାବୁଙ୍କ ଘରେ ଜୁଟିଲେ । ବିଜୁଳି ଆଲୁଅର ଚହକରେ ସମୁଦାୟ ଘରଟା ଝଲମଲ କରି ଉଠିଲା । ଦାଣ୍ଡରେ ହଠାତ୍ ନହବତ୍ ବାଜିଲା । ଘରୁ ଶଙ୍ଖଧ୍ୱନି ହେଲା । ଧୋଇବାବୁ ନୂଆ ସରୁ ଝିଲିମିଲି ଲୁଗାଟିଏ ପିନ୍ଧି, ତା’ଉପରେ ଖଣ୍ଡିଏ ରେଷମି ପଞ୍ଜାବି ଲଗାଇ, ବେକରେ ଗୋଟିଏ ରେଷମି ପାଛୋଡ଼ା କୁଞ୍ଚ ଲମ୍ବାଇ, ଚନ୍ଦନପାଟି ଘେନି, ଫୁଲମାଳ ନାଇ ବର ବେଶରେ ବିବାହ ମନ୍ଦିରରେ ବସିରହିଲେ । ତେଣେ ସୁଶୀଳାଙ୍କୁ ତାଙ୍କର ସାଙ୍ଗ ସାଥିମାନେ ନାନା ଥଟ୍ଟା ପରିହାସ ମଧ୍ୟରେ ବେଶ କରୁଥାନ୍ତି। ଏତିକିବେଳେ ପୁରୋହିତ ଆସି ସେଠାରେ ପହୁଞ୍ଚିଲେ । କଳାମଶ୍‌ମଶ୍‌ ଥାକୁଲି, ଥାକୁଲି ଦିହଟି । ମୁଣ୍ଡରେ ତାଳୁଉପରେ ଗୋଟିଏ ବୋଲି ବାଳନାହିଁ । କେତେଟି ଅଧା ଧଳା ଅଧା କଳା ବାଳ ଖପୁରି ପଛପଟକୁ ଦେଖାଯାଉଚି । ଭଦ୍ରଲୋକଙ୍କ ସଙ୍ଗରେ ଜଣେ ଯୁବକ । ବୟସ ଅନ୍ଦାଜ ଧୋଇବାବୁଙ୍କ ସାଙ୍ଗର ହବ । ବର୍ଣ୍ଣ ସଫାଗୋରା । ମୁହଁରେ ଦିପାଟି ନିଶ । ଆଖିରେ ଆମୋଦର ଗୋଟାଏ ଜ୍ୟୋତି । ସେପରି ସେ କୌଣସି ରହସ୍ୟର ଆଶାରେ ଉଦ୍‌ଗ୍ରିବ ହୋଇ ରହିଚନ୍ତି । ଏ ଦୁହିଁଙ୍କ ସାଙ୍ଗରେ ଶଶଧର ବାବୁ । ଯୁବକଙ୍କୁ ଦେଖିଦେଲାକ୍ଷଣି ଧୋଇବାବୁ ଧଡ଼ପଡ଼ ହୋଇ ଉଠି ତାଙ୍କୁ ଆଲିଙ୍ଗନ କରିପକାଇଲେ । କହିଲେ ‘‘ଆରେ, ମନମୋହନ ଯେ, ତୁ ଏଠି କିପରି ?’’

 

ମନମୋହନବାବୁ ଧୋଇବାବୁଙ୍କୁ ବର ବେଶରେ ଦେଖି ପ୍ରଥମେ ଠଉରେଇ ପାରିନଥିଲେ । ସେ ପରେ ଜାଣିପାରି କହିଲେ ‘‘ପରମାନନ୍ଦ, ତୁ ଏ ବେଶରେ । ତୁଇ ବରପାତ୍ର ବୁଝ, ହା, ହା, ହା, କ୍ୟା ମଜ୍ଜା, କେୟାବାତ୍‌ ।’’ ପୁରୋହିତ ଭଦ୍ରଲୋକ ଏ ଦୁହିଁଙ୍କର ଏ ଭାବ ଦେଖି ପ୍ରଥମେ କିଛି ଭାବିପାରିଲେ ନାହିଁ । ମନମୋହନ ବାବୁଙ୍କର ହସ ସରିଲା ସେ ପଚାରିଲେ ‘‘ମନୁ, ଏ ବାବୁ କିଏ ?’’

 

ମନୁ– ଚିହ୍ନିପାରୁନାହାନ୍ତି, ବାବା, ଏ ପରା ପରମାନନ୍ଦ ମୋ ସଙ୍ଗରେ ଆର୍ଟ ସ୍କୁଲରେ ପଢ଼ୁଥିଲା । ଆମ ଘରଠାକୁ କେତେଥର ଆସିଚି । ସେଦିନ ଏପ୍ରିଲ ପହିଲା ତାରିଖରେ ଆପଣ ୟାରି ସାହାଯ୍ୟରେ ରାମଜୀବନ ବାବୁଙ୍କୁ ପୁରୋହିତ ବାବୁ ଠୋ ଠୋ କରି ହସି ଉଠିଲେ । ଖୁବ୍‌ଦୁହେଁ ହସିନେଇ କହିଲେ ‘‘ହଇହୋ, ସତେ’’ ପରମାନନ୍ଦ କି ତା’ହେଲେ ବରପାତ୍ର ।

 

ଧୋଇ– ଆପଣ କି ତା’ହେଲେ ପୁରୋହିତ ? ଆପଣଙ୍କ କାଖରେ ଏ ମାଛ ଆଉ ଖାତାଟା କଣ ?

 

ପୁରୋହିତ ଗମ୍ଭୀର ହୋଇ କହିଲେ ‘‘ଏ ହଉଚି, ଆମ କଲିକତା ଆର୍ଯ୍ୟ ସମାଜର ବିବାହ ରେଜେଷ୍ଟ୍ରି ବହି । ଏଥିରେ ବିବାହ ପରେ ବର ଓ କନ୍ୟା ସହ କରନ୍ତି ।’’

 

ଧୋଇ– କିନ୍ତୁ ଆପଣ ଆର୍ଯ୍ୟସମାଜ ହେଲେ କେଉଁଦିନ । ମୋର ଯେପରି ମନେ ହଉଚି, ଆପଣ ଯେ ଥିଲେ ଖାଣ୍ଟି ହିନ୍ଦୁ ।

 

ପୁରୋହିତ– ସେଇତ ହେଲା ଏ ସୁଆଙ୍ଗର ଅସଲ କାଣ୍ଡିକ । ଏତିକିବେଳେ ପ୍ରମଥ ବାବୁ ଆସି ପହଞ୍ଚିଗଲେ । ଧୋଇବାବୁ କଣ କହିବାକୁ ଯାଉଥିଲେ, କିନ୍ତୁ ଶଶଧର ବାବୁଙ୍କ ନୀରବ ଇଙ୍ଗିତରେ ସେ ତୁନି ହୋଇଗଲେ । ପ୍ରମଥ ବାବୁ କହିଲେ ‘‘କି, ଶଶଧର, ତୋର ସେ ପୁରୋହିତ-–’’

 

ଶଶଧର– ଏଇ ପରା ପ୍ରିୟଗୋପାଳ ବାବୁ ।

ପ୍ରିୟଗୋପାଳ ବାବୁ ଏଇ ହେଲେ ମୋର ପିଉସା ।

ପ୍ରମଥ ବାବୁ– କନ୍ୟା କର୍ତ୍ତା ।

 

ପ୍ରମଥବାବୁ ପ୍ରିୟଗୋପାଳ ବାବୁଙ୍କୁ ନମସ୍କାର କଲେ । ପ୍ରିୟଗୋପାଳ ବାବୁ ପ୍ରତି ନମସ୍କାର କରି ବ୍ୟସ୍ତ ହୋଇ କହିଲେ । ତା’ହେଲେ ଆଉ ଡେରି କାହିଁକି ? ଶୁଭ କାର୍ଯ୍ୟଟା ସାରିଦେଲେ, ମୁଁ ବାହାରି ଯିବି । ମୋର ପୁଣି ବଡ଼ ବଜାରରେ ଆଉରି ଗୋଟିଏ ବିବାହରେ ପୌରୋହିତ୍ୟ କରିବାର କଥା ଏଁ, ତୁମର ସବୁ ଠିକତ୍‌।

 

ପ୍ରମଥ– ହିଁ ସବୁ ପ୍ରାୟ ଠିକ୍‌। ଖାଲି କନ୍ୟା ଆସିଲେ ହେଲା ।

 

ପ୍ରମଥ ବାବୁ କନ୍ୟା ଆଣିବା ପାଇଁ ଭିତରକୁ ଗଲେ । ଶଙ୍ଖ ଧ୍ୱନି ହେଲା । କନ୍ୟା..... ‘‘ବିଭୁଷଣ ପୁଷ୍ପେ ଯା କାନ୍ତି’’...... ସେ ‘‘ବେଶ କାରିତା କି ବେଶ ରଚାଇ’’ ନିଜର ସୌନ୍ଦର୍ଯ୍ୟରେ ଘରଟାକୁ ଆଲୋକିତ କରି ସାଙ୍ଗ ସାଥୀ କେତେ ଜଣଙ୍କ ସହ ଆସି ପହଞ୍ଚିଲେ । ଆଉ ଆଉ ଭଦ୍ରଲୋକମାନେ ମଧ୍ୟ ଆସି ବସିଲେ । ଘରର ଗୋଟାଏ ତରଫରେ ପଟା ଭାଡ଼ି କରି ଗୋଟାଏ ବେଦି । ତା ଉପରେ ଗାଲିଚା ବିଛା ହୋଇଛି । ସାମନାରେ ଗୋଟାଏ ଗୋଟାଏ ଟେବୁଲ ଉପରେ ଫୁଲ ତୋଡ଼ା, ଅତର ଦାନି ପ୍ରଭୃତି ସଜ୍ଜା ହୋଇଛି । ବର କନ୍ୟା ବସିଲେ । ପୁରୋହିତ ମହାଶୟ ବରର ବାଁ ତରଫରେ ବସି ଗୁଡ଼ାଏ ଫୁଲ, ଦୁବ, ଚନ୍ଦନ କରି ସେମାନଙ୍କ ଉପରକୁ ଫିଙ୍ଗିଲେ । ଭଦ୍ରଲୋକମାନଙ୍କୁ ପାନ ଅତର ଦିଆହେଲା । ପୁରୋହିତ ମନ୍ତ୍ର ଉଚ୍ଚାରଣ କଲେ । ପ୍ରଫୁଲ୍ଲ ବାବୁଙ୍କ କାନକୁ ସେ ମନ୍ତ୍ର ଯେପରି ଶୁଭିଲା ଦଶ ତୁଠ ମନ୍ତ୍ର ପରି । ତା’ପରେ ପୁରୋହିତ ଫୁଲ ମାଳରେ କନ୍ୟାର ଡାହାଣ ହାତ ସାଙ୍ଗରେ ବରର ବାଁ ହାତ ବାନ୍ଧିଦେଲେ । ପୁଣି ଶଙ୍ଖ ଧ୍ୱନି ହେଲା । ପୁରୋହିତ, ବର ଓ କନ୍ୟା ଠିଆହୋଇ ପୁରୋହିତଙ୍କ କହିବା ଅନୁସାରେ ଗୋଟାଏ ବେଦ ମନ୍ତ୍ର ଉଚ୍ଚାରଣ କଲେ । ପୁରୋହିତ ବେଦ ମନ୍ତ୍ରଟାକୁ ହ୍ରସ୍ୱ, ଦୀର୍ଘ ଓ ପ୍ଲୁତ ଇତ୍ୟାଦି ମାତ୍ରାମାନ ଦେଇ ଏପରି ଭାବରେ ବୋଇଲେ ଯେ ଉପସ୍ଥିତ ଭଦ୍ରବ୍ୟକ୍ତିମାନଙ୍କ କାନକୁ ଶୁଣାଗଲା ଯେପରି ରାତି ଅଧରେ ବିଲୁଆ ‘ହୋ ହୋ’ କରି ଉଠୁଚନ୍ତି, ଆଉ ପ୍ରଫୁଲ୍ଲ ବାବୁ ବୁଝିଲେ ଯେ ସେ ଗୁଡ଼ାକ ବେଦର ପାଞ୍ଚ କୋଶ ମଧ୍ୟରେ ଓ ନଥିଲା । ଏହିପରି ଭାବରେ ବେଦ ମନ୍ତ୍ର ପଢ଼ା ସରିଲେ ପୁରୋହିତ ବରଙ୍କୁ ପଚାରିଲେ, ‘‘ତୁମେ ଶ୍ରୀମାନ ପରମାନନ୍ଦ ମହାପାତ୍ର ଆଜି ଶ୍ରୀମାନ ପ୍ରମଥ ବନ୍ଦ୍ୟୋପାଧ୍ୟାୟଙ୍କର କନ୍ୟା ଶ୍ରୀମତି ମେନକା ଦେଈଙ୍କୁ ବିବାହ କରିବାକୁ ରାଜି ଅଛି !’’ ଦର୍ଶକମାନେ ଦେଖିଲେ ଧୋଇ ବାବୁଙ୍କର ଥୋଡ଼ି ଦିଟା ହଲୁଚି, ପାଟିଟା ମେଲା ହୋଇଚି ପାଟିଟା ହଲୁଚି । କିନ୍ତୁ ସେ କଣ କହିଲେ କେହି ଶୁଣି ପାରିଲେ ନାହିଁ । ତା ପରେ ପୁରାହିତ କନ୍ୟାଙ୍କୁ ସମ୍ବୋଧନ କରି କହିଲେ, ‘‘ତୁମେ ମେନକା ଶ୍ରୀମାନ ପରମାନନ୍ଦ ମହାପାତ୍ରଙ୍କୁ ସ୍ୱାମୀ ରୂପରେ ବରଣ କରିବାକୁ ରାଜି ଅଛ ।’’ ମେନକା ମଧ୍ୟ କଣ କହିଲେ ତାହା କେହି ଶୁଣିଲେ ନାହିଁ । ଅପାତତଃ ପୁରୋହିତ ତାଙ୍କ କଥା ଶୁଣି ସନ୍ତୁଷ୍ଟହେଲେ । ତା ପରେ ତାଙ୍କର ସେ ଖାତାଟା ମେଲେଇ କହିଲେ, ‘‘ତୁମେ ଦୁହେଁ ଏଥିରେ ଦସ୍ତଖତ କରତ’’ ସେମାନେ ଦସ୍ତଖତକଲେ । ତା ପରେ ସାକ୍ଷି ପଡ଼ିବା ପାଇଁ ଦୁଇଜଣ ଦରକାର । ପ୍ରଫୁଲ୍ଲ ବାବୁ, ମନମୋହନ ବାବୁ ଓ ଶଶଧର ବାବୁ ଖାତାରେ ସାକ୍ଷି ପଡ଼ିଲେ । ବିବାହ କାର୍ଯ୍ୟ ସମ୍ପନ୍ନହେଲା । ପୁରୋହିତ ବର କନ୍ୟାଙ୍କୁ ଆଶୀର୍ବାଦ କରି ତାଙ୍କର ପାଉଣା ବାବ୍‌ତକୁ ଦଶୋଟି ଟଙ୍କା ନେଇ ପୁଣି ଗାଦି ମାଡ଼ି ବସିଲେ ଓ ପାନ ଚୋବାଇବାକୁ ଲାଗିଲେ । ବଡ଼ବଜାରରେ ଯେ ତାଙ୍କୁ ପୁଣି ପୌରୋହିତ୍ୟ କରିବାକୁ ହବ, ସେ କଥା ଭୁଲିଗଲେ ବୋଧ ହୁଏ । ବର କନ୍ୟା ଉପସ୍ଥିତ ଭଦ୍ରବ୍ୟକ୍ତିମାନଙ୍କୁ ନମସ୍କାର କରି ବାସର ଘରକୁ ଗଲେ । ଯିବା ଆଗରୁ କନ୍ୟାର ସାଙ୍ଗ ସୁଖ ଓ କନ୍ୟା ପିତାଙ୍କର ବନ୍ଧୁ ବାନ୍ଧବମାନେ କନ୍ୟାକୁ ଉପହାର ଦେଇଗଲେ । ସମୟ ଅଭାବରୁ କେହି ଜିନିସ ପାଈତ ଆଣିପାରି ନ ଥିଲେ । ଟଙ୍କା କିଏ ଦଶ, କିଏ ପନ୍ଦର କିଏ ପାଞ୍ଚ ଏହିପରି ଯାହା ଶକ୍ତିକୁ ଚାହିଁ ସେ ଦେଲେ । ମୋଟରେ ସେ ଦିନ ମେନକା ଦେବୀ ପ୍ରାୟ ଦେଢ଼ ଶହ ଟଙ୍କା ଉପହାର ପାଇଥିଲେ ବୋଲି ଶୁଣାଯାଏ ।

 

ବନ୍ଧୁ ବାନ୍ଧବ ଓ ଉପସ୍ଥିତ ଭଦ୍ରବ୍ୟକ୍ତିମାନେ ମିଷ୍ଟାନ୍ନ ଭୋଜନରେ ବସିଲେ । ବର କନ୍ୟା ବାସର ଘରେ ଯାଇ ପହଞ୍ଚିଲେ । ସେତେବେଳକୁ ବାସର ଘରେ ମେନକାଙ୍କର ସାଙ୍ଗ ସାଥୀ ପ୍ରାୟ ପନ୍ଦର ଜଣ ପର୍ଯ୍ୟନ୍ତ ସୁବେଶା ଯୁବତୀ ରୁଣ୍ଡହୋଇଚନ୍ତି । ଏଣେ ବର କନ୍ୟାଙ୍କ ସାଙ୍ଗରେ ଯାଇଛନ୍ତି ପ୍ରଫୁଲ୍ଲ ବାବୁ, ଶଶଧର ବାବୁ ଓ ମନମୋହନ ବାବୁ । ବର କନ୍ୟା ବାସର ଘରେ ପଶିବା ମାତ୍ରକେ ଯୁବତୀମାନେ ଫିଁ ଫିଁ କରି ହସିଉଠିଲେ । କିଏ ଆସି ଧଇଲା ବରର ହାତ, କିଏ ଧଇଲା ତାଙ୍କର କାନ, କିଏ ଧଇଲା ତାଙ୍କର ବେକ । ଏହିପରି ସଲଟଣରେ ନେଇ ବର କନ୍ୟାଙ୍କୁ ତାଙ୍କ ସ୍ଥାନରେ ବସାଇଲେ ଏବଂ ଯୁବତୀମାନେ ତାଙ୍କୁ ଘେରି ବସିଲେ । ତା’ପରେ ଚାଲିଲା ନାନା ପ୍ରକାର ଥଟ୍ଟା ପରିହାସ କୌତୁକ । ବିଚାରା ଧୋଇବାବୁ କାହାଠାରୁ ଚାପୁଡ଼ାଟାଏ, କାହାଠାରୁ ବିଧାଟାଏ, କାହାଠାରୁ ଖୁନ୍ଦାଟାଏ ଏହିପରି ନାନା ପ୍ରକାର ଚବ୍ୟ ଚୋଷ୍ୟ ଲେହ୍ୟ ପେୟ ଖାଇ ଉଜୁବୁରି ହୋଇ ସାରିଲେଣି ।

 

ଏତିକି ବେଳକୁ ପୁରୋହିତ ମହାଶୟ ଆସି ସେଠାରେ ହାଜର । ସେ ଏ ସବୁ ଦେଖି ଶୁଣି କହିଲେ, ‘‘ହେଲା ନାହିଁ, ହେଲା ନାହିଁ । ଆଲୁଅରେ କି ଏ ମଉଜ ହୁଏ !’’ ଏହା କହି ସେ ବିଜୁଳି ବତୀର ସ୍ୱିଚଟା ଟାଣିଦେଲେ । ସାଙ୍ଗେ ସାଙ୍ଗେ ଘର ଅନ୍ଧାର ହୋଇଗଲା । କେବଳ ଶୁଣାଗଲା ଯୁବତୀମାନଙ୍କର କୁରୁ କୁରୁ ହସ । ସେ ଅନ୍ଧାରରେ ମନମୋହନ ଓ ପ୍ରଫୁଲ୍ଲ ଯୋଗ ଦେଲେ । ତା ପରେ କଣ ହେଲା କେହି କିଛି ସ୍ଥିର କରି କହିପାରିଲେ ନାହିଁ । ଧୋଇ ବାବୁଙ୍କର ପଛଆଡ଼େ ଯେ କେତେ ଜଣ ଯୁବତୀ ବସିଥିଲେ ସେମାନେ କହନ୍ତି ଯେ ଏ ଟୋକାମାନଙ୍କ ମଧ୍ୟରୁ ଦୁଇ ଜଣ କିଏ ତାଙ୍କୁ ଠେଲା ଠେଲି କଲେ । ଧୋଇ ବାବୁଙ୍କ ପଛପଟ କାନ୍ଥରେ ଥିବା ଦୁଆରଟା ମେଲା ହୋଇ ପୁଣି ବନ୍ଦ ହେଲା । କିନ୍ତୁ ଯୁବତୀମାନେ ଅନୁଭବ କଲେ ବର କନ୍ୟା ଯଥା ସ୍ଥାନରେ ବସିଚନ୍ତି । ସେମାନେ ପାତ୍ର ପାତ୍ରୀ ନିର୍ବିଶେଷରେ ଅନ୍ଧାରୁଆ କରିବାକୁ ଆରମ୍ଭ କଲେ । ପାତ୍ର ମଧ୍ୟ ମଝିରେ ମଝିରେ ହାତ ବଢ଼ାଇ ତାର ମଉଜଟା କରିନେଉଚି । କେହି ଯୁବତୀ କହୁଚି, ‘‘ଆଃ, ମଲା ଏ କି ବରମ’’ କେହି କହୁଚି ‘‘ରହ ରହ, ତୁମ ରସିକପଣିଆ ଛଡ଼େଇ ଦଉଚି ।’’ ଏହିପରି ଗୋଳମାଳ ଚାଲିଥାଏ ଭଦ୍ରଲୋକମାନେ ଛାତ ଉପରେ ମିଷ୍ଟାନ୍ନ ଖାଇବାରେ ବ୍ୟସ୍ତ । ଚାକର ବାକରମାନେ ଯେ ପରଶା ପରଶିରେ ଅଛନ୍ତି ସେମାନେତ ଉପରେ, ଯେଉଁମାନେ ତଳେ ଥିଲେ ସେମାନେ କିଏ ବିଡ଼ି ଖାଇବାରେ, କିଏ ଲୁଚେଇ ଲୁଚେଇ ସିଗିରେଟ ଟାଣିବାରେ ଲାଗିଯାଇଚି । ଏହି ସମୟରେ ଦେଖାଗଲେ, ଜଣେ କିଏ ଯୁବତୀ ଓଢ଼ଣାଟି ଟାଣି ସଦର ଦରଜା ଆଡ଼େ ବାସରଘର ପାଖ ଘରୁ ବାହାରି ଚାଲିଗଲେ । ଚାକରବାକର ଭାବିଲେ ମେନକାଙ୍କର ସାଙ୍ଗସାଥି କେହି ହୋଇଥିବ । ଯୁବତୀ ଦାଣ୍ଡ ଦୁଆରକୁ ଆସି ଦେଖିଲେ ଗୋଟିଏ ଭଡ଼ା ମଟର ଥୁଆ ହୋଇଚି-। ସେ ଦରଜାଟା ଖୋଲି ସେଥିରେ ବସିପଡ଼ିଲେ । ଦୁଆର ମୁହଁରୁ ପୁରୋହିତ ମହାଶୟ ଡାକିଲେ ‘‘ଓ ଗୋ, ଓ ମା, ଏ ବୁଢ଼ା ମଣିଷକୁ ତୁମ ମଟରରେ ଟିକିଏ ବସେଇ ନେବନାହିଁ । ତୁମର ବହୁତ ଧର୍ମ ହେବ । ଏହା କହି ସେ ମଧ୍ୟ ଯାଇ ଯୁବତୀଙ୍କ ପାଖରେ ବସିଲେ । କହିଲେ ‘‘ବାବା ଡ୍ରାଇଭର, ବଦୁର ବାଗାନ ନ ୨୮ ମ୍ବର ଘରକୁ ନେଇ ଚାଲତ ।’’ ମଟର ଛାଡ଼ିଦେଲା । ଡ୍ରାଇଭର ବିଚରା ତା’ପରେ ମଟର ଶବଦ ମଧ୍ୟରେ ଶୁଣିପାରିଲା, ହୋ ହୋ, ଠୋ ଠୋ ଗୋଟାଏ ହସର ରୋଳ । ମଟର ଯାଇ ବଦୁର ବାଗାନ ନ୨୮ମ୍ବର ଘରେ ପହଞ୍ଚିଲା ପୁରୋହିତ କହିଲେ, ‘‘ଆସ, ମା, ମୋର ଝିଅ ସାଙ୍ଗରେ ତୁମର ଆଳାପ କରାଇ ଦେବି । ଡ୍ରାଇଭର ଭାୟା, ତୁମେ ଟିକିଏ ଅପେକ୍ଷା କର । ମୋର ଜଣେ ବନ୍ଧୁ ଟେସନକୁ ଯିବେ ।’’ ପୁରୋହିତ ଓ ଯୁବତୀ ଘର ଭିତରକୁ ଚାଲିଗଲେ । ପ୍ରାୟ ପନ୍ଦର କୋଡ଼ିଏ ମିନିଟ୍‌ପରେ ଘରୁ ବାହାରି ଆସିଲେ ଜଣେ ଯୁବକ ସେ ଆମର ଧୋଇବାବୁ-। ଧୋଇ ବାବୁ ମଟରରେ ବସି ପ୍ରଥମେ ଗଲେ ନ ୨୮ମ୍ବର ହାରିସନ ରୋଡ଼-। ସେଠାରେ ବୁଝିଲେ ସଦାଶିବ ବାବୁ ଓଡ଼ିଆ ‘‘ସମାଜ’’ ଭବନରେ । ସେ ମଧ୍ୟ ମଟର ଛୁଟାଇଗଲେ ସେଠାକୁ । ସେତେବେଳେ ସଦାଶିବ ବାବୁ ଶେଷବକ୍ତୃତା ଦେଉଥାନ୍ତି । ସେଠାରେ ମାତ୍ର ଦଣ୍ଡୁଟାଏ ରହି ସେ ପୁଣି ମଟରରେ ବସି ଡ୍ରାଇଭରକୁ କହିଲେ ତୁମେ ଯଦି ମତେ ଖଡ୍‌ଗପୁରରେ ପହଞ୍ଚାଇ ଦେଇପାରିବ, ତା’ହେଲେ ମୁଁ ତୁମକୁ ଆଶାତୀତ ବକ୍ସିସ ଦେବି ।’’ ଏହା କହି ସେ ପଞ୍ଚାଶ ଟଙ୍କାର ପାଞ୍ଚଖଣ୍ଡି ନୋଟ ଡ୍ରାଇଭରକୁ ବଢ଼ାଇ ଦେଲେ । ଡ୍ରାଇଭର ମଟର ଚଳାଇଦେଲା । ବାଟରେ ମାତ୍ର ଗୋଟିଏ ଦୋକାନରେ ପନ୍ଦର ମିନିଟ୍‌ ଖଣ୍ଡେ ଗାଡ଼ି ଅଟକେଇ ଦି ତିନିଟିଣି ତେଲ ନେଲା । ତା’ପରେ ମଟରଟା ଗର୍ଜନ ତର୍ଜନ କରି ଛୁଟିଲା । ଜଗନ୍ନାଥ ସଡ଼କ ଉପରକୁ ।

Image

 

୧୮

 

ସଦାଶିବ ବାବୁ ସଭାରୁ ଫେରି ହୋଟେଲରେ ଆସି ପହଞ୍ଚି ଦେଖନ୍ତି ତ ତାଙ୍କର ନିଯୁକ୍ତଚର ମଧ୍ୟ ଆସି ହାଜର । ସଦାଶିବ ବାବୁ ତାଙ୍କୁ ଦେଖି ରାଗରେ ଅସ୍ଥିର । ଗର୍ଜନ କରି କହିଲେ ‘‘ତୁମେ ବେଶ୍‌ ଲୋକତ ହେ’’ ମୋ ଠାରୁ ଦିନକୁ ଦଶଟଙ୍କା ନେଇ ଏଇ ତୁମର କାମ ପରା-। ମୁଁ ଭାବିଥିଲି ତୁମେ ଭଦ୍ରଲୋକ ହୋଇଥିବ ବୋଲି । ଦେଖୁଚି ତୁମେ ନିତାନ୍ତ ଅପଦାର୍ଥ । ମୋର ମୁଠା ମୁଠା ଟଙ୍କା ଅକାରଣ ଗଲା ।

 

ଚର– ଆପଣ ଯଦି ପ୍ରଥମରୁ ଏହିପରି ଭାବରେ କଥାବାର୍ତ୍ତା ଆରମ୍ଭ କରନ୍ତି, ତା’ହେଲେ ମୋର ଆଉ କହିବାର କିଛି ନାହିଁ । ଆପଣ ଆପଣଙ୍କ ରାସ୍ତା ଦେଖନ୍ତୁ । ମୁଁ ଚାଲିଲି ।

 

ସଦାଶିବ– ଆରେ ରହ, ରହ, ଯାଉଚ କାହିଁ । ଏପରି ରାଗିଲେ କି ହବ ? କଣ କଥାହେଲା, କହିବଟି ।

 

ଚର– କଥା ଆଉକଣ, ଚଢ଼େଇ ପିଞ୍ଜରା ଭାଙ୍ଗି ଚମ୍ପଟ୍ ।

ସଦାଶିବ– ଆଉ ତୁମେ କରୁଥିଲ କଣ ?

 

ଚର– ଆରେ ମୋ କଥାତ ମୋ କଥା । ନିଜେ ପ୍ରମଥ ବାବୁ ଦୁଇ ଦୁଇଟା ଗୁଣ୍ଡା ଦୁଆରମୁହଁରେ ଜଗେଇଥିଲା । ସମସ୍ତଙ୍କ ଆଖିରେ ଧୂଳିଦେଇ ସେ ଯେପରି ଭାବରେ ଗଲା ସେ ଏକ ଆଶ୍ଚର୍ଯ୍ୟ ବ୍ୟାପାର ।

 

ସଦାଶିବ– କଣ ହେଲା ଘଟଣାଟା କହ ଦେଖି ।

 

ଚର– ହେଲା କଣକି, ପ୍ରମଥବାବୁ କୁଆଡ଼େ ତାର ରକ୍ଷିତା ଝିଅକୁ ତା’ସାଙ୍ଗରେ ବାହା କରାଇବାର ଯୋଗାଡ଼ କଲା । ବାହାଘର ମଧ୍ୟ ହୋଇଗଲା ।

 

ସଦାଶିବ– ତୁମେ କହୁଚ କଣ ବାହାଘର ? ପ୍ରମଥ ଝିଅ ସାଙ୍ଗରେ ।

 

ଚର– ଆରେ ଚମକିପଡ଼ୁଚ କାହିଁକି ? କଥା ଶୁଣ, ତା ପରେ ଚମକିବାକୁ ଯଥେଷ୍ଟ ସମୟ ପାଇବ । ବାହାଘର ତ ହେଇଗଲା । ବନ୍ଧୁ ବାନ୍ଧବମାନେ ମିଷ୍ଟାନ୍ନ ଭୋଜନାରେ ବ୍ୟସ୍ତ । ଶଳାଗୁଡ଼ାକ ମତେ ଦେଖିଲେ ଓ ଟିକିଏ ନିମନ୍ତ୍ରଣ କଲେ ନାହିଁ । ବର କନ୍ୟା ବାସର ଘରକୁ ଗଲେ-। ତା ପରେ କଣ ହେଲା, କେହି କହିପାରୁ ନାହାନ୍ତି । ବନ୍ଧୁ ବାନ୍ଧବମାନେ ମିଷ୍ଟାନ୍ନ ସାରି ବିଦାୟହେଲା ବେଳକୁ ଯେତେବେଳେ ବର କନ୍ୟାଙ୍କର ଖୋଜାପଡ଼େ ସେତେବେଳେ ଦେଖ , ଦେଖ, ନା ଅଛି ବର, ନା ଅଛି କନ୍ୟା ।

 

ସଦାଶିବ– ବଡ଼ ଆଶ୍ଚର୍ଯ୍ୟ ! ବଡ଼ ଅଦ୍ଭୁତ ! ସେମାନଙ୍କର ତ ଆଉ ଡେଣା ନଥିଲା ଯେ ଉଡ଼ିଗଲେ !

 

ଚର– ଆମେ ଜଗୁଆଳମାନେ ବସି ପହରା ଦଉଛୁଁ । ଜଣେ ସ୍ତ୍ରୀଲୋକ ଗୋଟାଏ ମଟରରେ ଆସି ବସି ଚାଲିଗଲେ । ସେ କିଏ, ବର କି କନ୍ୟା କିଏ ଜାଣେ ?

 

ସଦାଶିବ– ତାର ପର ପ୍ରମଥ କଣ କଲା ?

 

ଚର– ସେ କଥା କି ମୁଁ ଜାଣିଚି ? ଖାଲି ଦେଖିଚି, ପ୍ରମଥ ଘଉଡ଼ା ବାଘ ପରି କାନ୍ଦୁଥିଲା । ମୁଁ ତ ପଳାଇ ଆସିଲି ଆପଣଙ୍କୁ ଖବର ଦବାପାଇଁ ।

 

ସଦାଶିବ– ପ୍ରଫୁଲ୍ଲ ବୋଲି ଧୋଇଆର ଜଣେ ସାଙ୍ଗ ତା ସାଙ୍ଗରେ ଦେଖା କରିଥିଲା-?

 

ଚର– ପ୍ରଫୁଲ୍ଲ କି ସେ କିଏ, ଜଣେ ଟୋକା ଧୋଇ ସାଙ୍ଗରେ କଥା ବାର୍ତ୍ତା କରୁଥିଲା ମୁଁ ଜାଣେ ।

 

ସଦାଶିବ– ସେ କୁଆଡ଼େ ଗଲା ?

ଚର– ତା ମୁଁ ଜାଣିବି କିପରି !

 

‘‘ସଦାଶିବ ବାବୁ ପ୍ରାୟ ଦଶ ମିନିଟ୍ ପର୍ଯ୍ୟନ୍ତ ନୀରବହୋଇ ବସିଲେ । ତା ପରେ କହିଲେ ଦେଖ, ତୁମେ ଚାରିଜଣ ଲୋକ ବର୍ତ୍ତମାନ ଆଣିପାରିବ, ଯେଉଁମାନେ କି ଦେଖିଲା ମାତ୍ରକେ ବିଳମ୍ବ ନ କରି ଗୋଟାଏ ଲୋକକୁ ଛୁରା ବସାଇ ପାରିବେ ?’’

 

ଚର– ତା ଖୁବ୍‌ପାରିବି ।

 

ସଦାଶିବ– ତା ହେଲେ ତୁମେ ଯାଅ । ତୁମେ ଦୁଇ ଜଣ ଘେନି ଜଗନ୍ନାଥ ସଡ଼କ ଛକି ଉପରେ ରହିଥିବ । ଖଣ୍ଡେ ମଟର ମଧ୍ୟ ନେଇଥାଅ । ଯାହା ଖର୍ଚ୍ଚ ପଡ଼ିବ ପଡ଼ୁ । ସେ ଭାବନା କର ନାହିଁ । ଯଦି ଦେଖିବେ ଧୋଇଆ ସେ ରାସ୍ତାରେ ଯାଏ, ତା ହେଲେ ତାକୁ ସାବାଡ଼ କରିବ । ବୁଝିଲ, କରି ପାରିଲେ ଖର୍ଚ୍ଚ ପତ୍ର ବାଦ ଟ୫୦୦ ବକ୍‌ସିସ । ଆଉ ବାକି ଜଣେ ମୋ ସାଙ୍ଗରେ ହାବଡ଼ା ଷ୍ଟେସନରେ ଓ ଆଉ ଜଣେ ମୋର ସାଥିଙ୍କ ସହିତ ସିଆଲଦା ଷ୍ଟେସନରେ ଜଗିରହିବେ । ମୋର ବିଶ୍ୱାସ ଧୋଇ ଓ ପ୍ରଫୁଲ୍ଲ ଗାଁକୁ ପଳାଇବାର ଉଦ୍ୟମ କରିବେ । ତୁମେ ଏ ସବୁ ପାରିବ ତ ?

 

ଚର– ଖୁବ୍‌ ପାରିବି । ତୁମେ ମତେ ଏଥିଲାଗି କେତେ ସମୟ ଦବ ?

 

ସଦାଶିବ– ଖୁବ୍‌ଜୋର ଅଧ ଘଣ୍ଟାଏ । ବର୍ତ୍ତମାନ ବାଜିଲାଣି ନ । ଅଧ ଘଣ୍ଟାକ ମଧ୍ୟରେ ଗୋଟାଏ ଗାଡ଼ି ହାବଡ଼ାରୁ ଛାଡ଼ିବ । ଯାଅ, ଆଉ ଡେରି କର ନାହିଁ ।

 

ଧୋଇ ବାବୁ ମଟରରେ ବସି କଲିକତା ସହର ପାରିହୋଇ ଜଗନ୍ନାଥ ସଡ଼କରେ ଆସି ପଡ଼ିଲେ । ରାତି ବେଳ ଚାରିଆଡ଼ ନିଶୁନ । ସେ ଦେଖିଲେ ପଛରୁ ଗୋଟାଏ ମଟର ଆସୁଚି । ପରେ ଦେଖିଲେ ଗୋଟାଏ ନୁହେଁ ଦୁଇଟା ଆଗ ପଛ ହୋଇ ଧାଇଁଚନ୍ତି । ଧୋଇ ବାବୁ ଡ୍ରାଇଭରକୁ କହିଲେ, ‘‘ଦେଖ ପଛରେ ଦୁଇଟା ମଟର ଆସୁଚି । ସେ ହୁଏତ କୌଣସି ବାଟୋଇ ହୋଇଥିବେ ଅପର ପକ୍ଷରେ ହୁଏତ ମୋର ଶତ୍ରୁମାନେ ହୋଇଥିବେ । ତୁମେ ଏ ସଡ଼କରେ ଭାଙ୍ଗି ଯାଅତ ।’’ ଡ୍ରାଇଭର ସେଇଆ କଲା । ସେମାନେ ଦେଖିଲେ ମଟର ଦୁଇଟା ମଧ୍ୟ ସେଇ ରାସ୍ତା ଧରିଲା ! ଧୋଇ ବାବୁ କହିଲେ, ‘‘ଆଉ ବେଶୀ ବାଟ ଯିବା ଦରକାର ନାହିଁ । ମଟରଟା ବୁଲେଇ ନିଅ । ଛିଡାକରି ରଖ । ସେମାନେ ପାଖରେ ପହଞ୍ଚିଗଲା କ୍ଷଣି ତୁମେ ମଟରଟା ଚଳାଇନିଅ ଆଗକୁ ।’’ ମଟର ବୁଲି ଠିଆହେଲା । ଗୋଟାକ ପରେ ଗୋଟାଏ ସେ ଦୁଇଟା ମଟର ଆସି ପ୍ରାୟ ପାଖ ହୋଇଗଲା ବେଳକୁ ଧୋଇ ବାବୁଙ୍କ ମଟରଟା ସଟାଙ୍ଗ କରି ସେଠାରୁ ଡେଇଁ ପଡ଼ିଲା । ସେମାନେ ଅଳ୍ପ ମାତ୍ର ବାଟ ଯାଇଛନ୍ତି ଶୁଣିଲେ ପଛରୁ ଗୁଳିର ଶବ୍‌ଦ । ଗୋଟାଏ ଗୁଳି ତାଙ୍କ ପାଖ ଦେଇ ସାଁ କରି ଚାଲିଗଲା । ଧୋଇ ବାବୁ କହିଲେ, ‘‘ଏଥରକ ବୁଝିଲତ ? ତାଙ୍କୁ ଟପି ଯାଇ ପାରିବ ?’’

 

ଡ୍ରାଇଭର ବିଚରା ସେତେବେଳକୁ ଉଗ୍ରମୂର୍ତ୍ତି ଧଇଲାଣି ସେ ଦାନ୍ତଚିପି କିଛି ନକହି ଆକ୍‌ସିଲରେଟରଟା ଗୋଡ଼ରେ ମାଡ଼ିଦେଇ ଛାଡ଼ିଦେଲା । ପଛ ମଟର ଦୁଇଟା ବୁଲି ୟାଙ୍କର ଅନୁସରଣ କଲାବେଳକୁ କିଛି ଡେରି ହେଲା । ସେଇତକ ସମୟ ମଧ୍ୟରେ ଧୋଇବାବୁଙ୍କ ମଟର ପ୍ରାୟ ମାଇଲିଏ ପଯ୍ୟନ୍ତ ଆଗୁସାର ହୋଇଗଲେଣି । ତା’ପରେ ଲାଗିଲା ଦୌଡ଼ । ଧୋଇବାବୁଙ୍କ ମଟର ଆଗରେ । ପଛରେ ବାକି ଦୁଇଟା ମଟର ପରସ୍ପରକୁ ଟପିବା ପାଇଁ ଚେଷ୍ଟା କରୁଚନ୍ତି । ଧୋଇବାବୁ ଆରମ୍ଭରୁ ଯେ ମାଇଲିକ ଆଗୁସାର ହୋଇଥିଲେ ସେ ମାଇଲିକର ବ୍ୟବଧାନ ଆସ୍ତେ ଆସ୍ତେ କମିବାକୁ ଲାଗିଲାଣି । ଆପାତତଃ ପଛମଟର ଗୁଡ଼ାକ ତାଙ୍କ ମଟର ଅପେକ୍ଷା ବେଶୀ ପାୱାରବାଲା । ସେମାନେ ଖଡ୍‌ଗପୁରରେ ଆସି ପହଞ୍ଚିଲେ ପ୍ରାୟ ରାତି ଦୁଇଟା ବେଳକୁ । ଧୋଇବାବୁ ଦେଖିଲେ ଆଉ ବେଶୀ ସମୟ ଏପରି ଦୌଡ଼ି ହବନାହିଁ । ସେ ଚାହିଁ ଦେଖିଲେ ଆଗରେ ସଦରରାସ୍ତା ଉପରେ ଗୋଟାଏ ଗଳି । ଡ୍ରାଇଭରକୁ କହିଲେ ମଟରଟା ଆସ୍ତେ ଚଲାଅ । ଏଇ ଗଳିମୁଣ୍ଡ ହେଲେ ମୁଁ ଓହ୍ଲାଇଯିବି । ଆଉ ତୁମେ ପୁଣି ପୂର୍ଣ୍ଣ ବେଗରେ ଚଳାଇନବ ଆଗକୁ । ତୁମର ଭଡ଼ା ବାବଦକୁ ଆଉ ଟ ୫୦ଙ୍କା ଓ ବକ୍ସିସ ଟ ୨୦ଙ୍କା ଧରିନିଅ’’ । ଡ୍ରାଇଭର କହିଲା ‘‘ବାବୁ, ମୁଁ ମୋର ଯଥାସାଧ୍ୟ କରିଚି’’ । ଧୋଇ–ମୁଁ ତୁମକୁ ଦୋଷ ଦେଉନାହିଁ । ବେଶ୍‌ ମୁଁ ଏହିଲାଗେ ଗଲି । କହି ସେ ମଟରର ଫୁଟବୋର୍ଡ ଉପରୁ ରାସ୍ତାକୁ ଡ଼େଇଁ ପଡ଼ିଲେ । ମଟରଟା ସଟ୍‌କରି ଆଗକୁ ଚାଲିଗଲା । ପଛ ମଟର ଦୁଇଟା ସେତେବେଳକୁ ପ୍ରାୟ ଶହେ ଦେଢ଼ଶ ହାତ ପଛରେ । ଧୋଇବାକୁ ରାସ୍ତାକୁ ଆସି ଗଳିଭିତରେ ପଶିଗଲେ । ଗୋଟାଏ ଘରର ଦୁଆର ଉପରକୁ ଆଉଜିପଡି ଚାହିଁଲେ, ଦେଖିଲେ ପଛମଟର ଦୁଇଟା ଗଳି ପାଖରେ ଟିକିଏ ରହି ପୁଣି ଆଗ ମଟର ପଛରେ ଦଉଡ଼ିଲେ । ସେ ସେଠାରୁ ବାହାରି ଚାଲିଲେ ସିଧେ ଖଡ଼୍‌ଗପୁର ଷ୍ଟେସନ୍‌କୁ । ହାଉଡ଼ା ପୁରୀ ପାସେଞ୍ଜର ପ୍ରାୟ ରାତି ଦୁଇଟାବେଳେ ଖଡ଼୍‌ଗପୁର ଷ୍ଟେସନ ଛାଡ଼େ । ସେ ଷ୍ଟେସନରେ ଆସି ପହଞ୍ଚିଲା ବେଳକୁ ଗାଡ଼ି ଛାଡ଼ିବାକୁ ଆଉ ପ୍ରାୟ ପନ୍ଦର ମିନିଟ ସମୟ ଅଛି । ତରବର ହୋଇ ଟିକଟ ଖଣ୍ଡେ କିଣି ସେ ଯାଇ ଗାଡ଼ିରେ ବସିପଡ଼ିଲେ । ପ୍ଲାଟଫର୍ମ ଉପରକୁ ଚାହିଁଥାନ୍ତି । ଗାଡ଼ିର ତୃତୀୟ ଘଣ୍ଟାପଡ଼ିଲା । ଗାର୍ଡ଼ସାହେବ ସିଟି ବଜାଇ ପତାକା ହଲାଇଲା ଏତିକିବେଳେ ଚାରିଜଣ ଲୋକ ଗାଡ଼ିପାଖରେ ଦଉଡ଼ି ଦଉଡ଼ି ଆସିଲେ । ସେମାନଙ୍କ ହାତରେ ଗୋଟିଏ ଟର୍ଚଥିଲା । ଧୋଇବାବୁ ଝରକା ମଧ୍ୟରୁ ମୁହଁ ଭିତରକୁ ଘେନିଆସିବା ପୂର୍ବରୁ ଟର୍ଟ୍ଟର ଆଲୁଅ ଆସି ତାଙ୍କ ମୁହଁରେ ପଡ଼ିଲା । ଗାଡ଼ି ଠିକ୍‌ ଚାଲିଲା ବେଳକୁ ଚାରିଜଣ ମଣିଷ ତାଙ୍କ ଡ଼ବା ଦୁଆର ଖୋଲି ପଶିବାକୁ ଚେଷ୍ଟାକଲେ । ଧୋଇବାକୁ ଉଠିଯାଇ ଦୁଆର ମୁହଁରେ ଛିଡ଼ାହୋଇ ସଭା ଆଗରେ ଯେ ଥିଲା, ତାର ପେଟକୁ କରି ଗୋଟିଏ ନିର୍ଘାତ ଗୋଇଠା ମାଇଲେ । ଏ ଚାରିଜଣ ଯାକ ଯେପରି ଠେଲା ଠେଲି ହୋଇ ପଶିବାକୁ ଚେଷ୍ଟା କରୁଥିଲେ, ପ୍ରଥମ ଲୋକ ଉପରେ ମାଡ଼ ବସି ସେ ଖସି ପଡ଼ିଲା ମାତ୍ରକେ ବାକି ତିନି ଜଣ ମଧ୍ୟ ତାଙ୍କ ସଙ୍ଗରେ ପ୍ଲାଟଫର୍ମ ଉପରେ ଚିତ୍‌ପଟାଙ୍ଗ । ସେମାନେ ଉଠିଲା ବେଳକୁ ଗାଡ଼ି ଛାଡ଼ି ଦେଲାଣି । ଧୋଇ ବାବୁ ଦେଖିଲେ ସେମାନଙ୍କର ଆଉ ଗାଡ଼ି ଧରିବା ଅସମ୍ଭବ । ସେ ଆସନ ମାଡ଼ିବସି ଗୋଟିଏ ଦୀର୍ଘନିଃଶ୍ୱାସ ଛାଡ଼ିଲେ ।

Image